Unknown

 

 

 

 

 

 

 

 

 

 

 

ବିମଳା

ଶ୍ରୀ ଶରତ ଚନ୍ଦ୍ର ଘୋଷ

 

ପ୍ରଥମ ପରିଛେଦ

ଦୋଳପୂର୍ଣ୍ଣିମା

 

ଶୀତକାଳର କଷ୍ଟ ଅନ୍ତର୍ହିତ ହୋଇଅଛି । ଦୁଃଖୀ ଦରିଦ୍ରଙ୍କର ଅନ୍ନକଷ୍ଟ ଓ ବସ୍ତ୍ରକଷ୍ଟ ଆଉ ନାହିଁ । ବର୍ତ୍ତମାନ ବସନ୍ତକାଳ ଉପସ୍ଥିତ । ପ୍ରକୃତିଦେବୀ ଆନନ୍ଦରେ ଅଧୀରା ବୋଲି ବୋଧ ହେଉଅଛନ୍ତି । ଚତୁର୍ଦ୍ଦିଗସ୍ଥ ବୃକ୍ଷ ଲତାଦି ନବପଲ୍ଲବରେ ବିଭୁଷିତ ଓ ସୁଶୋଭିତ ହୋଇ ପୂର୍ଣ୍ଣଯୌବନପ୍ରାପ୍ତ ଦିଶୁଅଛନ୍ତି । ଆମ୍ବ ଓ ପଣସ ବୃକ୍ଷରାଜି ଫଳଭରରେ ଅବନତ ହୋଇ ମନୁଷ୍ୟ ଓ ପଶୁ ପକ୍ଷିଙ୍କର ଆନନ୍ଦବର୍ଦ୍ଧନ କରୁଅଛି । କୋକିଳର କୁହୁ କୁହୁ ଧ୍ୱନି ସର୍ବଦା ଶ୍ରୁତିଗୋଚର ହୋଇ ମାନବମନ ପ୍ରଫୁଲ୍ଳିତ କରୁଅଛି ଓ ଉପରୋକ୍ତ ଆନନ୍ଦ ଉତ୍ସବରେ ଯୋଗ ଦେବାକୁ ଯେପରି କି ସମସ୍ତଙ୍କୁ ଆହ୍ୱାନ କରୁଅଛି ।

 

ବସନ୍ତ ସମାଗମରେ ପଶୁପକ୍ଷୀଠାରୁ ବୃକ୍ଷଲତା ପର୍ଯ୍ୟନ୍ତ ସମସ୍ତେ ଆହ୍ଲାଦିତ, ମନୁଷ୍ୟ ବା ନ ହେବ କାହିଁକି ? ସମୁଦାୟ ପୃଥିବୀ ଆନନ୍ଦିତ, ମାତ୍ର ପ୍ରେମକାତରା ଯୁବତୀମାନେ କେବଳ ଆପଣା ଆପଣା ସ୍ୱାମୀଙ୍କ ଅଦର୍ଶନ ଜନିତ ମନକଷ୍ଟରେ ସଦା ମୁହ୍ୟମାନ। ହେ ଜଗତପିତା ! ତୁମ୍ଭର ଏକି ଅନ୍ୟାୟ ବିଚାର !

 

ରୋଗ, ଶୋକ, ଦୁଃଖପ୍ରପୀଡ଼ିତ ମାନବଙ୍କ ଆନନ୍ଦବେଗ ବୃଦ୍ଧି କରିବା ନିମିତ୍ତ ଦୋଳଯାତ୍ରା ସମାଗତ । ଦୋଳପୂର୍ଣ୍ଣିମା ଅତି ନିକଟବର୍ତ୍ତୀ । ଗ୍ରାମମାନଙ୍କରେ ଦୋଳଉପଲକ୍ଷରେ ବିଧିଗତ ଆମୋଦ ପ୍ରମୋଦର ଆୟୋଜନ ଆରମ୍ଭ ହୋଇଅଛି । ପୂଜାର ଆୟୋଜନ ଦେଖି ସ୍ୱାମୀବିରହା ଯୁବତୀମାନେ କିଞ୍ଚିତ ଆଶ୍ୱସ୍ତ ହୋଇଅଛନ୍ତି ଓ ଆପଣା ଆପଣା ପତିଙ୍କ ଆଗମନ ପ୍ରତୀକ୍ଷା କରି ପ୍ରତି ମୁହୂର୍ତ୍ତରେ ପଥପାର୍ଶ୍ୱକୁ ଦୃଷ୍ଟିପାତ କରୁଅଛନ୍ତି ।

 

ପୂର୍ଣ୍ଣିମା ପାଞ୍ଚଦିନ ଥାଉଁ ଥାଉଁ ଅଧିକ ଧୂମ୍‍ଧାମର ସହିତ ଉତ୍ସବ ଆରମ୍ଭ ହେଲା । କାର୍ଯ୍ୟୋ ପଲକ୍ଷରେ ଯେ ଯେଉଁଠି ବିଦେଶରେ ଥିଲେ ସମସ୍ତେ ଘରକୁ ଆସିଲେ । ପ୍ରତି ଗୃହରେ ଆନନ୍ଦ କୋଳାହଳ ଆରମ୍ଭ ହେଲା । ପିଲାମାନେ ଓ ଯୁବକମାନେ ସମସ୍ତେ ଫଗୁଖେଳ ଆରମ୍ଭ କଲେ ଓ ବିଗ୍ରହମୂର୍ତ୍ତିଙ୍କୁ ବିଧିମତେ ପୂଜାର୍ଚ୍ଚନା କରି ଗ୍ରାମରେ ବୁଲାଇ ଆମୋଦ ପ୍ରମୋଦ ଆରମ୍ଭ କଲେ । କି ଉତ୍ସାହ ! କି ଆନନ୍ଦ !

 

ଆଜି କେଶବବାବୁଙ୍କ ମେଳନ, ଆଜି ଆଚାର୍ଯ୍ୟଙ୍କ ଦୋଳ, ଆଜି ମହାଜନ ସାହୀରେ ମେଳନ, ଆଜି ଗୋବିନ୍ଦଜୀଉଙ୍କ ଚାଚେରୀ ଏହି ପରି ଆନନ୍ଦ କରୁ କରୁ କ୍ରମେ ଦୋଳପୂର୍ଣ୍ଣିମା ପହଞ୍ଚିଲା । ସେଦିନ ସକାଳୁ ଗ୍ରାମବାସୀ ସମସ୍ତେ ମିଳି ରଙ୍ଗଖେଳ ଆରମ୍ଭ କଲେ । ବାଳକମାନେ ଏକଦଳ ହୋଇ ଖେଳୁଅଛନ୍ତି, ଯୁବକମାନେ ଯେ ଯାହା ସଙ୍ଗୀ ସହିତ ଆମୋଦ କରୁଅଛନ୍ତି, କେହି ଘରେ ଲୁଚିଲେ ତାହାକୁ ବଳପୂର୍ବକ ଟାଣି ଆଣି ଫଗୁଖେଳରେ ମତାଉ ଅଛନ୍ତି । ବୃଦ୍ଧମାନେ ଏକ ସ୍ଥାନରେ ବସି ଶ୍ରୀବୃନ୍ଦାବନର ଫଗୁଖେଳ ବିଷୟ କଥୋପକଥନ କରୁଅଛନ୍ତି । ଗୋବିନ୍ଦପୁରବାସୀ ସମସ୍ତେ ଆଜି ପାଗଳ । ସ୍ତ୍ରୀଲୋକମାନେ ମଧ୍ୟ ଆପଣା ଆପଣା ଆମୋଦରେ ମତ୍ତ ।

 

ଦ୍ୱିପ୍ରହର ପର୍ଯ୍ୟନ୍ତ ରୀତିମତ ଫଗୁଖେଳ ହେଲା । ତତ୍‍ପରେ ସମସ୍ତେ କ୍ଳାନ୍ତହୋଇ ପଡ଼ିଲାରୁ ଯେ ଯାହା ଘରକୁ ଯାଇ ସ୍ନାନା ଦି ସମ୍ପନ୍ନ କଲୋ । ଭୋଜନାନ୍ତେ କିଞ୍ଚିତ ବିଶ୍ରାମ କଲାପରେ ସନ୍ଧ୍ୟାବେଳେ ପୁନରାୟ ସମସ୍ତେ ଗ୍ରାମମଧ୍ୟସ୍ଥ ଶ୍ରୀରସିକରାୟଙ୍କ ଦୋଳମଣ୍ଡପରେ ସମବେତ ହେଲେ । ଶ୍ରୀରସିକରାୟଙ୍କୁ ଦୋଳଯାତ୍ରା ପ୍ରସିଦ୍ଧ, ଏଣୁକରି ବହୁଦୂରରୁ ମଧ୍ୟ ଭଦ୍ରଲୋକମାନେ ଉତ୍ସବ ଦେଖିବାକୁ ଆସିଥିଲେ । ଅଳ୍ପବୟସ ବାଳକମାନେ ସନ୍ନିକଟସ୍ଥ ପୁଷ୍କରିଣୀ ଧାରରେ କୋମଳ ଘାସ ଉପରେ ଉପବେଶନ କଲେ ଓ ସାନ୍ଧ୍ୟସମୀରଣ ସେବନ କରିବାକୁ ଲାଗିଲେ । ଆଜି ସେମାନଙ୍କର ଭୟ ନାହିଁ । ଜ୍ୟୋସ୍ନାଲୋକ ସେମାନଙ୍କର ଭୟ ଦୂର କରିଅଛି । ଯେଉଁମାନେ ସନ୍ଧ୍ୟାବେଳେ ଘରୁ ବାହାରିବାକୁ ଭୟ କରନ୍ତି ସେମାନେ ଆଜି ଅବାଧରେ ଏଣେତେଣେ ଭ୍ରମଣ କରିବାକୁ ଲାଗିଲେ । ନିର୍ମଳ ସୁନୀଳ ଆକାଶରେ ବିଭାବତୀକୁ ଦେଖି ସେମାନଙ୍କ ମନରେ ଅପୂର୍ବ ଆନନ୍ଦ ଜାତହେଲା । ଚନ୍ଦ୍ରମାକୁ ଜଳରେ ପ୍ରତିବିମ୍ବିତ ଦେଖି କେହି କେହି ହାତ ବଢ଼ାଇ ତାକୁ ଧରିବାକୁ ଦୌଡ଼ିଲେ ମାତ୍ର ଅବିଳମ୍ବେ ନିଜ ନିଜ ଭ୍ରମ ବୁଝିପାରି ଆତ୍ମହରା ହୋଇ ଉଠିଲେ କେହି ଅବା ଜ୍ୟୋତ୍ସ୍ନାଲୋକରେ ଫୁଲଗଛ ଗୁଡ଼ିକର ସୌନ୍ଦର୍ଯ୍ୟ ଦେଖି ମନର ଆନନ୍ଦରେ ବିଶ୍ୱପତିଙ୍କର ଅପାର ମହିମାବିଷୟକ ଗୀତ ଗାନ କରିବାକୁ ଲାଗିଲେ । ସେ ଆନନ୍ଦ ଅନିର୍ବଚନୀୟ ।

 

ଏଣେ ଯୁବକମାନେ ମଧ୍ୟ ପ୍ରକୃତିର ମୋହିନୀରୂପ ଦର୍ଶନକରି ଆନନ୍ଦରେ ନୃତ୍ୟଗୀତାଦି ଆରମ୍ଭକଲେ । ବାଦ୍ୟଯନ୍ତ୍ରର ମଧୁରସ୍ୱର ସହିତ ମିଳାଇ ସୁଲଳିତ ସ୍ୱରରେ ସେମାନେ ଶ୍ରୀରାଧାଙ୍କର ବିରହଗୀତ ଓ ରାଧା କୃଷ୍ଣଙ୍କର ମିଳନ ବିଷୟକ ଗୀତ ଗାନକରି ସମସ୍ତଙ୍କୁ ମତାଇଲେ ।

 

ଯୁବତୀମାନେ ନିରୁପାୟ । ସେମାନେ ବାତାୟନ ପଥରେ ଚନ୍ଦ୍ରମାଙ୍କୁ ଅନାଇ ଆପଣା ଆପଣା ସ୍ୱାମୀଙ୍କ ପ୍ରେମକଥା ସ୍ମରଣକରି ଆନନ୍ଦରେ ବିହ୍ୱଳ ହେଲେ ଓ ଗୁଣୁ ୨ ସ୍ୱରରେ ବିରହଗୀତାଦି ଗାନ କରିବାକୁ ଲାଗିଲେ ।

 

ପ୍ରକୃତିର ଏପରି ଶୁଭ ସମ୍ମିଳନ ସମୟରେ ବୟସ୍ଥମାନେ ମଧ୍ୟ ଯେ ଆନନ୍ଦିତ ହୋଇ ନଥିଲେ ଏମନ୍ତ ନୁହେଁ । ସେମାନେ ବିଗ୍ରହଙ୍କୁ ନାନାବିଧ ବେଶଭୁଷାରେ ସଜ୍ଜିତ କରାଇ ବିମାନରେ ବସାଇ ମଣ୍ଡପ ଉପରେ ସ୍ଥାପନ କଲେ ଓ ଯେ ଯାହାର ଶକ୍ତିଅନୁସାରେ ଭକ୍ତିସହିତ ପୂଜାକଲେ ଓ ଶ୍ରୀକୃଷ୍ଣଙ୍କ ଲୀଳାବିଷୟକ ନାନାବିଧ କଥୋପକଥନରେ ରାତ୍ରି ଯାପନ କରିବାକୁ ଲାଗିଲେ ।

 

ରାତ୍ର ଅଧିକ ହେଲାପର ଯୁବକ ଓ ବୃଦ୍ଧମାନେ ପୁଣି ଏକତ୍ରିତ ହେଲେ ଓ ପ୍ରସାଦ ସେବନ କରିବାକୁ ବସିଲେ ଦେବପ୍ରାଙ୍ଗଣରେ ଏକତ୍ର ଉପବେଶନ କରି ସମସ୍ତେ ପ୍ରସାଦସେବନ କରିବା କମ୍ ସୌଭାଗ୍ୟର କଥା ନୁହେଁ । ସମସ୍ତେ ମତି ଆନନ୍ଦରେ ପ୍ରସାଦ ପାଇବାକୁ ଲାଗିଲେ ।

 

ଉକ୍ତ ଉତ୍ସବ ଉପଲକ୍ଷରେ ଆନନ୍ଦ ଅନୁଭବ କରିବା ନିମିତ୍ତ ଅନ୍ୟାନ୍ୟ ଆଗନ୍ତୁକମାନଙ୍କ ମଧ୍ୟରେ ଭୁବନେଶ୍ୱରବାସୀ ଗୋପାଳବାବୁ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ଭଦ୍ରମଣ୍ଡଳୀ ସମସ୍ତେ ଶ୍ରୀରସିକରାୟଙ୍କ ଦୋଳ ଦେଖି ଅତ୍ୟନ୍ତ ଆନନ୍ଦ ଅନୁଭବ କରିଥିବାର ପ୍ରକାଶ କଲେ । ପେଟ ପୁରିବା ସଙ୍ଗେ ସଙ୍ଗେ ଦୋଳମଣ୍ଡପ ଓ ଅଗଣାଟି ପକ୍କା କରିବା ନିମିତ୍ତ ସମସ୍ତେ ପ୍ରତିଶ୍ରୁତି ହେଲେ । ସମସ୍ତେ ଚାନ୍ଦାକରି ଦେବ କାର୍ଯ୍ୟଟି ଆଗାମୀ ଦୋଳ ମଧ୍ୟରେ ସମ୍ପନ୍ନ କରିବାକୁ ମନସ୍ଥ କଲେ । ଉକ୍ତ ପ୍ରସ୍ତାବଟି ଗୋପାଳବାବୁ ସମ୍ପୂର୍ଣ୍ଣରୂପେ ଅନୁମୋଦନ କଲେ । କଥା ପଡ଼ୁ ପଡ଼ୁ ଗୋପାଳବାବୁଙ୍କର ଗୋଟିଏ ପରମାସୁନ୍ଦରୀ ବିବାହଯୋଗ୍ୟା କନ୍ୟା ଥିବାର ପ୍ରକାଶ ପାଇଲା । ଭଦ୍ରମଣ୍ଡଳୀ ମଧ୍ୟରୁ ଦୁର୍ଗାବାବୁ ତତ୍ରସ୍ଥ ସୁପରିଚିତ ମହାଦେବବାବୁଙ୍କ ପୁତ୍ତ୍ର ଦେବେନ୍ଦ୍ରଙ୍କ ସହିତ ଗୋପାଳ ବାବୁଙ୍କ କନ୍ୟାର ବିବାହ ବିଷୟକ ପ୍ରସ୍ତାବ ଉତ୍ଥାପନ କଲେ । ଉପସ୍ଥିତ ଭଦ୍ରମଣ୍ଡଳୀ ସମସ୍ତେ ଏହା ଅନ୍ତରର ସହିତ ଅନୁମୋଦନ କଲେ ଓ ଉକ୍ତ ଶୁଭପରିଣୟ ଉପଲକ୍ଷରେ ସେହି ମଣ୍ଡପରେ ସମବେତ ହୋଇ ପୁଣି ସମସ୍ତେ ଭୋଜନ କରିବାର ଇଛା ପ୍ରକାଶ କଲେ ।

 

ମହାଦେବବାବୁ ଓ ଗୋପାଳବାବୁ ଉଭୟେ ଉକ୍ତ ପ୍ରସ୍ତାବରେ ସମ୍ମତ ହେଲେ । ପାତ୍ରୀ ଦେଖି ବିବାହ ସ୍ଥିର କରିବାର କଥା ହେଲା । ପାନଭୋଜନ ଶେଷ ହେଲା । ଦୋଳଉତ୍ସବ ଶେଷ ହେଲା । ଆଉ ବର୍ଷେ ବଞ୍ଚିଲେ ପୁଣି ଏକାଠି ଏହିପରି ଆମୋଦ ପ୍ରମୋଦ ହେବ ଏହା କହି ଯେ ଯାହା ଘରକୁ ପ୍ରତ୍ୟାବର୍ତ୍ତନ ଗଲେ ।

 

ଦ୍ୱିତୀୟ ପରିଛେଦ

ବିବାହ ପ୍ରସ୍ତାବ

 

ମହାଦେବବାବୁ ଉକ୍ତ ଶୁଭସଂବାଦ ଯଥା ସମୟରେ ଆପଣା ସ୍ତ୍ରୀ ଓ ପରିବାରବର୍ଗଙ୍କୁ ଜଣାଇଲେ । ଦେବେନ୍ଦ୍ରର ମାତା କହିଲେ ‘‘ମୋହର ଦେବ ପାଇଁ ଗୋଟିଏ ପରମାସୁନ୍ଦରୀ କନ୍ୟାପାଇଲେ ହିଁ ହେଲା, ଆଉ କିଛି ଖୋଜିବ ନାହିଁ ।’’ ପରିବାରବର୍ଗଙ୍କ ମଧ୍ୟରେ କେହି କହିଲେ ‘‘ବଡ଼ ଘରର ଝିଅ ଆଣିବା ଆବଶ୍ୟକ’’, କେହି କହିଲେ’’ ସଦ୍ଗୁଣସମ୍ପନ୍ନା ହେବା ଆବଶ୍ୟକ, କେବଳ ରୂପ ଦେଖିଲେ ହେବ ନାହିଁ ।’’ ସ୍ତ୍ରୀ ମାନଙ୍କ ମଧ୍ୟରେ ଏହିରୂପ ନାନାଦି ତର୍କ ବିତର୍କ ଆମ୍ଭର ହେଲା-। ପୁରୁଷମାନେ କହିଲେ ‘‘ପାତ୍ରୀ ନିରୋଗୀ ଓ ଆଧୁନିକ ସମୟ ଅନୁଯାୟୀ କିଞ୍ଚିତ ଶିକ୍ଷିତା ମଧ୍ୟ ହେବା ଆବଶ୍ୟକ ।’’

 

କ୍ରମେ ଉକ୍ତ ସଂବାଦ ମହାଦେବବାବୁଙ୍କ ଦୂରସ୍ଥ ଆତ୍ମୀୟ ଓ ବନ୍ଧୁମାନଙ୍କ କର୍ଣ୍ଣଗୋଚର ହେଲା । ତେଣୁ ବନ୍ଧୁମାନଙ୍କ ମଧ୍ୟରେ ଜଣେ ପତ୍ର ଲେଖିଲେ ‘‘ଗୋପାଳବାବୁଙ୍କ ଘର ଆମ୍ଭର ବନ୍ଧୁଘର, ମୁଁ ତାଙ୍କର ଘରର ହାଲ ସମସ୍ତ ଜାଣେ ।’’ ପତ୍ର ପାଇବା ମାତ୍ରକେ ମହାଦେବବାବୁ ଓ ତାଙ୍କ ସ୍ତ୍ରୀ ଉଦିଗ୍ନ ହେଲେ ଓ ଅବିଳମ୍ବରେ ତାଙ୍କ ଘରଠାକୁ ଥରେ ଆସି ସମସ୍ତ ବିଷୟ ସ୍ଥିର କରି ଯିବା ଲାଗି ତାଙ୍କୁ ଅନୁରୋଧ କରି ପତ୍ର ଲେଖିଲେ ।

 

ବନ୍ଧୁଟିଙ୍କୁ ଦୁଇଦିନ ମଧ୍ୟରେ ଆସିବା ଲାଗି ପତ୍ର ଲେଖା ଗଲା । ମହାଦେବବାବୁଙ୍କ ସ୍ତ୍ରୀ ଉତ୍କଣ୍ଠିତ ଚିତ୍ତରେ ଦିନଯାପନ କରିବାକୁ ଲାଗିଲେ । ସେ ପ୍ରତି ମୁହୂର୍ତ୍ତରେ ତାଙ୍କର ଆଗମନ ପ୍ରତୀକ୍ଷା କରିବାକୁ ଲାଗିଲେ । କୌଣସି ଶବ୍ଦ ଶୁଣିବା ମାତ୍ରକେ ସେ ଆସିଲେ ବୋଲି ମନେ କରିବାକୁ ଲାଗିଲେ । କାହାର ସ୍ୱର ଶୁଣିଲେ ତାଙ୍କର ସ୍ୱର ବୋଲି ଭ୍ରମ ହେବାକୁ ଲାଗିଲା । ତାଙ୍କର ମନ ବଡ଼ ଚଞ୍ଚଳ ହେଲା । କ୍ରମେ ଦିନେ, ଦୁଇଦିନ, ତିନିଦିନ ଅତିବାହିତ ହେଲା ।

 

ଏଣେ ବନ୍ଧୁଟି ମହାଦେବବାବୁଙ୍କ କଥା ଟାଳି ପାରିଲେ ନାହିଁ । ସେ ତାଙ୍କ ଘରଠାକୁ ଯିବାର ମନସ୍ଥ କଲେ । ଅଗତ୍ୟା ନଗେନ୍ଦ୍ର ବାବୁ ଆପଣା ଗୃହର ସମୁଦାୟ ବନ୍ଦୋବସ୍ତ କରିଦେଇ ମହାଦେବବାବୁଙ୍କ ଗୃହାଭିମୁଖରେ ଯାତ୍ରା କଲେ । ତହିଁ ଆରଦିନ ସେ ତାଙ୍କ ଘରଠାରେ ଉପସ୍ଥିତ ହେଲେ । ତାଙ୍କ ପାଇ ମହାଦେବବାବୁଙ୍କ ଅତ୍ୟନ୍ତ ଆନନ୍ଦିତ ହେଲେ । ସେ ଆନନ୍ଦର ସୀମା ନାହିଁ ।

 

ମହାଦେବବାବୁ ବନ୍ଧୁମାନଙ୍କ ଆଦର ଅଭ୍ୟର୍ଥନାରେ ସଦା ମୁକ୍ତହସ୍ତ । ସେ ଲୋକଙ୍କୁ ଖୁଆଇବାକୁ ମଧ୍ୟ ବଡ଼ ଭଲ ପାନ୍ତି । ସେ ଯେ ଅତିଥିସତ୍କାର ଭଲରୂପେ କରିବେ ଏଥିରେ ଅବା ଆଶ୍ଚର୍ଯ କଣ ? ଅତିଥି ଭଲରୂପେ ପାନ ଭୋଜନାଦି ସମାପ୍ତ କରି ବିଶ୍ରାମ କଲେ । ଓପରବେଳା ମହାଦେବବାବୁଙ୍କ ହିତାକାଙ୍ଖୀ ପ୍ରତିବେଶୀମାନେ ସମସ୍ତେ ଏକତ୍ରିତ ହେଲେ ! ଆମ୍ଭର ପୂର୍ବୋକ୍ତ ଅତିଥି ନଗେନ୍ଦ୍ରବାବୁ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ତତ୍‍ପରେ ଦେବେନ୍ଦ୍ରର ବିବାହପ୍ରସ୍ତାବ ପଡ଼ିଲା । ତେଣୁ ନଗେନ୍ଦ୍ରବାବୁ ପାତ୍ରୀର ସମସ୍ତ ହାଲ ପ୍ରକାଶ କରି କହିଲେ ‘‘ଗୋପାଳବାବୁଙ୍କ ଝିଅ ସୁରୁପା, ପରମାସୁନ୍ଦରୀ, ନମ୍ରା, ଗୃହକର୍ମ ଓ ଶିଳ୍ପକାର୍ଯ୍ୟ ନିପୁଣା । ସେ ଆଧୁନିକ ନିୟମାନୁଯାୟୀ ଶିକ୍ଷିତା ଓ ଗୀତବାଦ୍ୟ ନିପୁଣା । ଏପରି ସତ୍‍ବଂଶୀୟା ଓ ଗୁଣସମ୍ପନ୍ନାକନ୍ୟା ଅତି ବିରଳ ।’’ ଏହା ଶୁଣି କାହାରି କିଛି ଆପତ୍ତି ରହିଲା ନାହିଁ । ସମସ୍ତେ ଏକବାକ୍ୟରେ ଉକ୍ତ ଶୁଭକାର୍ଯ୍ୟ ସମ୍ପାଦନରେ ମତ ଦେଲେ । ମହାଦେବବାବୁ ଓ ତାଙ୍କ ସ୍ତ୍ରୀ ଭାବୀ ପୁନ୍ତ୍ରବଧୁର ଗୁଣବର୍ଣ୍ଣନାରେ ଏତେଦୂର ମୁଗ୍ଧ ହୋଇଥିଲେ ଯେ ସେମାନେ ବାହ୍ୟଜ୍ଞାନ ଶୂନ୍ୟ ହୋଇ ପଡ଼ିଲେ ଓ ଉପରୋକ୍ତ କଥୋପକଥନରେ କର୍ଣ୍ଣପାତ ମଧ୍ୟ କରି ନଥିଲେ । ତତ୍‍ପରେ ମହାଦେବବାବୁ ପଚାରିଲେ ‘‘ଉକ୍ତ ବିବାହରେ ସମସ୍ତଙ୍କର ମତ ଅଛି କି ?’’ ସମସ୍ତେ ଉଚ୍ଚୈଃସ୍ୱରରେ ହାସ୍ୟ କରି ଉତ୍ତର ଦେଲେ’’ ଆପଣଙ୍କ ମନ କେଉଁଠି ଥିଲା ? ବୋହୁ ନ ଦେଖୁଣୁ ଏତେ ମୁଗ୍ଧ ? ଆମ୍ଭମାନଙ୍କର ସମ୍ପୂର୍ଣ୍ଣ ମତ ଅଛି କେବଳ ପାତ୍ରୀ ଦେଖି ମହାପ୍ରସାଦ ନିର୍ବିନ୍ଧ ମାତ୍ର ବାକି ।’’

 

ପାତ୍ର ଘରଠାରେ ବିବାହର ସମସ୍ତ ସ୍ଥିର ହେଲା । ବର୍ତ୍ତମାନ ଗୋପାଳବାବୁ ଘରଠାରେ କ’ଣ ହେଉଅଛି ବୁଝିବା ଚାଲ । ଶ୍ରୀରସିକରାୟଙ୍କ ଦୋଳ ଦେଖି ଗୋପାଳବାବୁ ଆପଣା ଘରଠାରେ ପହଞ୍ଚିଲେ । ଘରେ ନ ପହଞ୍ଚୁଣୁ ସେଠାକାର ସମସ୍ତେ ଉତ୍ସବର ବୃତ୍ତାନ୍ତ ପଚାରିବାବୁ ଲାଗିଲେ । କେହି ପଚାରିଲେ ‘‘ମଉସା ! ଦୋଳ କିପରି ଦେଖିଲେ ? ଆମ୍ଭପାଇଁ କ’ଣ ଆଣିଛନ୍ତି-?’’ କେହି କହିଲା ‘‘ଆସନ୍ତା ବର୍ଷ ଆମ୍ଭର ଶ୍ରୀଗୋବିନ୍ଦଜୀଉଙ୍କର ମଧ୍ୟ ସେହିପରି ଉତ୍ସବ କରିବା, ଗୋବିନ୍ଦଙ୍କ ଇଛା ।’’ ପିଲାମାନେ ତାଙ୍କ ଚତୁର୍ଦ୍ଦିଗ ବେଢ଼ି ଭୋଗ ମାଗିବାକୁ ଲାଗିଲେ ।

 

ଗୋପାଳବାବୁ ଗୃହ ମଧ୍ୟରେ ପ୍ରବେଶ କଲା ମାତ୍ରକେ ତାଙ୍କ ସ୍ତ୍ରୀ ସହାସ୍ୟବଦନରେ ଜିଜ୍ଞାସା କଲେ ‘‘ତୁମ୍ଭେ ଏତେଦୂର ଯାଇ ଯେ ଧର୍ମ କରି ଆସିଅଛି ତାହାର ଅଧେ ଭାଗ ତ ମୁଁ ନିଶ୍ଚୟ ପାଇବି, ତୁମ୍ଭେ ମୋହ ପାଇଁ ଆଉ କ’ଣ ଆଣିଅଛ ?’’ ଗୋପାଳବାବୁ ଉତ୍ତର ଦେଲେ ‘‘ତୁମ୍ଭ ପାଇଁ ଆଉ କ’ଣ ଆଣିବି ଗୋଟିଏ ଶୁଭସଂବାଦ ଆଣିଅଛି ।’’

 

‘‘କ’ଣ ?’’

 

‘‘ବିମିପାଇଁ ଗୋଟିଏ ବର ଠିକ କରି ଆସିଅଛି ।’’

 

‘‘କିପରି, କ’ଣ କୁହ, ମୋ ମନ ଥଏ ହେଉନାହିଁ ।’’

 

‘‘ସମସ୍ତ କହୁଅଛି ଶୁଣ । ଗୋବିନ୍ଦପୁର ନିବାସୀ ମହାଦେବ ବାବୁଙ୍କର ଗୋଟିଏ ପୁତ୍ତ୍ର ଅଛି । ପୁତ୍ତ୍ରଟିର ରୂପ ଯେପରି ଗୁଣ ମଧ୍ୟ ସେହିପରି ।’’

 

ସ୍ତ୍ରୀ ଅତି ବ୍ୟଗ୍ରଭାବରେ ଜିଜ୍ଞାସା କଲେ ‘‘ନାମ କ’ ଣ ?’’

 

‘‘ଦେବେନ୍ଦ୍ର ।’’

 

‘‘ସ୍ୱଭାବ, ଚରିନ୍ତ୍ର କିପରି ?’’

 

‘‘ଅତି ଶାନ୍ତ, ସଚ୍ଚରିନ୍ତ୍ର, ପରୋପକାରୀ ।’’

 

‘‘ଘରେ ଖାଇବାକୁ କିଛି ଅଛି ତ’’

 

“ହଁ, ଜମି ବାଡ଼ି ବେଶ ଅଛି, ଆମ୍ଭର ବିମ ଖାଇ ପିଇ ଆନନ୍ଦରେ ରହି ପାରିବ । ଜୁଆଁଇ ବେଶ ବିଦ୍ୱାନ୍, ବି, ଏ, ପାଶ କରିଅଛି । ସେ ଆପଣା ଗୁଣରେ ସମ୍ପତ୍ତି ବଢ଼ାଇବ, ଭାବନା କ’ଣ ?’’

 

ତତ୍‍ପରେ ଗୋପାଳବାବୁ ଆତ୍ମୀୟ, ବନ୍ଧୁବାନ୍ଧବ ସମସ୍ତଙ୍କ ସହିତ ଉକ୍ତ ବିଷୟର ମରାମର୍ଶ କଲେ । ସମସ୍ତେ ଏକବାକ୍ୟରେ ଉତ୍ତର ଦେଲେ ‘‘ମହାଦେବବାବୁ ଉଚ୍ଚବଂଶଜାତତ, ଧନୀ ଓ ସଜ୍ଜନବ୍ୟକ୍ତି, ପୁତ୍ତ୍ର ମଧ୍ୟ ଉପଯୁକ୍ତ । ଏପରି ସ୍ଥାନରେ ବନ୍ଧୁ କରିବା ଉଚିତ । ଆମ୍ଭେମାନେ ଶୁଣିଅଛୁ ପୁତ୍ତ୍ରଟି ଗ୍ରାମବାସୀମାନଙ୍କର ଆଦର ଓ ଗୌରବର ପାନ୍ତ୍ର ।’’ ତହୁଁ ଗୋପାଳବାବୁ ଉତ୍ତର ଦେଲେ ‘‘ଏପରି ଜୁଆଁଇ ଭାଗ୍ୟରେ ଥିଲେ ହେବ । ଭଗବାନ ଭରସା ମାତ୍ର ।’’

 

ଗୋପାଳବାବୁ ମହାଦେବବାବୁଙ୍କ ପୁତ୍ତ୍ର ଦେବେନ୍ଦ୍ର ସହିତ କନ୍ୟାର ବିବାହ ଦେବାର ସ୍ଥିର କଲେ । ତତ୍‍ପରେ ଶୁଭକ୍ଷଣରେ ଗୋପାଳବାବୁ ଶୁଭ ବିବାହର ପ୍ରସ୍ତାବକର୍ତ୍ତା ଦୁର୍ଗାଚରଣ ବାବୁଙ୍କ ନିକଟ ପନ୍ତ୍ର ଲେଖିଲେ । ପନ୍ତ୍ରର ସାରାଂଶ ଏହି ‘‘ମହାଶୟ, ଦୋଳ ଉପଲକ୍ଷରେ ଆପଣଙ୍କ ଗ୍ରାମଠାରେ ଯେ ଆନନ୍ଦ ଅନୁଭବ କରି ଆସିଛନ୍ତି ତାହା ଚିର ଦିନ ମନେ ରହିବ । ଆପଣମାନଙ୍କର ଅତିଥିସତ୍କାର ଜଗତରେ ଅତୁଳନୀୟ । ଆସିବା ସମୟରେ ଦେବତାଙ୍କ ସମ୍ମୁଖରେ ଯେ ଶୁଭ ବିବାହର ପ୍ରସ୍ତାବ ହୋଇଥିଲା ତହିଁରେ କାଳବିଳମ୍ବ ଅନୁଚିତ । ମହାଦେବବାବୁଙ୍କ ତୁଲ୍ୟ ସତ୍‍କୂଳସମ୍ଭୁତ ବ୍ୟକ୍ତିଙ୍କ ସହିତ ବନ୍ଧୁତା ସ୍ଥାପନ କରିବା ମୋହ ପକ୍ଷରେ ଭାଗ୍ୟର କଥା । ଏଣୁକରି ମୋହର ବିନୀତ ପ୍ରାର୍ଥନା ଆପଣ ମହାଦେବବାବୁ ଓ ତାଙ୍କ ବନ୍ଧୁବାନ୍ଧବମାନଙ୍କ ସହିତ ମୋହର କୁଟୀରରେ ଥରେ ପଦାର୍ପଣ କରି କନ୍ୟା ଦେଖି ମହାପ୍ରସାଦ ନିର୍ବନ୍ଧ କଲେ ବାଧିତ ହେବି । ଅଧିକ ଲେଖିବା ଅନାବଶ୍ୟକ ।’’

 

ତୃତୀୟ ପରିଚ୍ଛେଦ

ସ୍ୱପ୍ନ

 

ପାଠକ ପାଠିକାମାନେ ଦେବେନ୍ଦ୍ରର ନାମ ଶୁଣି ଅଛନ୍ତି ଓ ତାହାର ଗୁଣର ଆଭାସ ମଧ୍ୟ ପାଇ ଅଛନ୍ତି । ବର୍ତ୍ତମାନ ତାହାର କାର୍ଯ୍ୟ କଳାପର କିଞ୍ଚିତ ପରିଚୟ ଏଠାରେ ଦେବା ଆବଶ୍ୟକ । ଯାହାର ବିବାହ ଲାଗି ଏତେ ମନ୍ତ୍ରଣା ଯନ୍ତ୍ରଣା, ଯାହାର ଗୁଣରେ ଗ୍ରାମବାସୀମାନେ ଗୌରବାନ୍ୱିତ ଯାହାର ଗୁଣାବଳୀର ବର୍ଣ୍ଣନା ମାତ୍ର ଶ୍ରବଣକରି ଲୋକେ ମୁଗ୍ଧ, ସେ କିପରି ଏହା ଜାଣିବା ନିମିତ୍ତ କୌତୁହଳାନ୍ତ୍ରାନ୍ତ ହେବା ମନୁଷ୍ୟ ସ୍ୱଭାବୋଚିତ ।

 

ଆମ୍ଭମାନଙ୍କର ସୁପରିଚିତ ଦେବର ଦୈନିକ କାର୍ଯ୍ୟକଳାପର ଗୋଟିଏ ନିୟମ ଅଛି । ସେ ସମୁଦାୟ କାର୍ଯ୍ୟ ନିୟମିତରୂପେ କରେ । ତାହାର ଗୋଟିଏ ଦୈନିକ ଲିପି ବା ଡାଏରୀ ଅଛି । ଏହା ଆଧୁନିକ ଫେସନର ନୁହେଁ । ଏହା ଥିବାଦ୍ୱାରା ତାହାର କାର୍ଯ୍ୟଗୁଡ଼ି ଶୃଙ୍ଖଳାର ସହିତ ସମ୍ପନ୍ନ ହୋଇଥାଏ । ସେ ସ୍ୱାସ୍ଥ୍ୟରକ୍ଷାର ନିୟମଗୁଡ଼ିକ ଭଲରୁପେ ପାଳନ କରେ ।

 

ଦେବ ପ୍ରତିଦିନ ସକାଳୁ ଉଠି ନିତ୍ୟକର୍ମ ଶେଷ କରି କିଛିସମୟ ଗ୍ରନ୍ଥ ପାଠ କରେ, ତତ୍‍ପରେ ଗ୍ରାମବାସୀମାନଙ୍କର ଅଭାବ ଅଭିଯୋଗର ବିଷୟ ବୁଝେ । ରୋଗୀର ଚିକିତ୍ସା, ଔଷଧ ଓ ପଥ୍ୟାଦିର ବ୍ୟବସ୍ଥା କରିବା ତାହା ପକ୍ଷରେ ଗୋଟିଏ ବିଶେଷ ଆନନ୍ଦର ବିଷୟ । କାହାରି ଅଭାବ ମୋଚନ କରିପାରିଲେ ସେ ଆପଣାକୁ ଭାଗ୍ୟବାନ ମନେକରେ । ପରର ସୁଖଦୁଃଖରେ ସହାନୁଭୂତି ଦେଖାଇବା ତାହାର ପ୍ରକୃତ । ଜୀବର ସେବାହିଁ ତାହାର ଜୀବନର ଏକମାତ୍ର ବ୍ରତ । କାହାକୁ ସତ ପରାମର୍ଶ ଦେଇ, କାହାକୁ ଅବା ମିଷ୍ଟକଥା କହି, କାହାକୁ ବା ଆର୍ଥିକ ସାହାଯ୍ୟ ଦେଇ ସେ ତୁଷ୍ଟ କରେ ।

 

ସେ ଅତ୍ୟନ୍ତ ପରିଶ୍ରମୀ । ଅବସର ସମୟ ତାହାର ନାହିଁ କହିଲେ ଚଳେ । କିପରି ପରମଙ୍ଗଳ ସାଧନ କରିବି ଏହି ଚିନ୍ତାରେ ସେ ସଦା ବ୍ୟସ୍ତ । ଗ୍ରାମରେ ଉଚ୍ଚଶିକ୍ଷା ନିମିତ୍ତ ଯେ ସ୍କୁଲ ପ୍ରତିଷ୍ଠିତ ହୋଇଅଛି, ବାଳିକାମାନଙ୍କ ନିମିତ୍ତ ଯେ ବିଦ୍ୟାଳୟ ସ୍ଥାପିତ ହୋଇଅଛି, ସେ ସମସ୍ତ ତାହାର ଉତ୍ସାହ ଓ ଯନ୍ତ୍ରର ଫଳମାତ୍ର । ଗ୍ରାମସ୍ଥ ଦାତବ୍ୟଚିକିତ୍ସାଳୟ ଦେବର ଅନ୍ୟତମ କୀର୍ତ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ ।

 

ବର୍ତ୍ତମାନ ଯୁଗରେ କେହି କେହି ଧର୍ମପ୍ରତି ଘୃଣା ଦେଖାଇ ପାରିଲେ ଆପଣାକୁ ଗୌରବାନ୍ୱିତ ମଣନ୍ତି । ଅଳ୍ପ ଶିକ୍ଷାପ୍ରାପ୍ତ ହେବା ମାତ୍ରକେ ଦେବତାଙ୍କ ପ୍ରତି ଅଶ୍ରଦ୍ଧା ଦେଖାଇବା ଯେପରି ଗୋଟିଏ ଉଚିତକାର୍ଯ୍ୟ ବୋଲି ସେମାନେ ବିବେଚନା କରିଥାନ୍ତି । ଦେବ ସେବାର ବନ୍ଦୋବସ୍ତ ବା ପୁରାତନ ଦେବମନ୍ଦିର ଜୀର୍ଣ୍ଣସଂସ୍କାର କରାଇବା ଗୋଟିଏ ନୀଚ କାର୍ଯ୍ୟବୋଲି କେତେକ ଲୋକଙ୍କୁ ବୋଧ ହୋଇଥାଏ । ଏମନ୍ତ କି, ଏ ବିଷୟରେ ତର୍କ ବିତର୍କ କରିବାକୁ ମଧ୍ୟ ସେମାନଙ୍କର ଇଚ୍ଛାହୁଏ ନାହିଁ, କାଳେ କେହି କିଛି ମନେ କରିବେ, ଆପଣ ମାନ ଚାଲିଯିବ, ଆପଣାର ସୁନାମ ନଷ୍ଟ ହୋଇଯିବ । ପାଟି କରି ଇଶ୍ୱରଙ୍କ ନାମ କରିବା ମଧ୍ୟ ସେମାନଙ୍କ ମତରେ ଅନ୍ୟାୟ କାର୍ଯ୍ୟ ମଧ୍ୟରେ ପରିଗଣିତ ହୁଏ ।

 

ଏରୂପ ସଙ୍କଟ ସମୟରେ ଆମ୍ଭମାନଙ୍କର ସୁପରିଚିତ ଦେବ ଗ୍ରାମସ୍ଥ ପୁରାତନ ଠାକୁର ଶ୍ରୀରସିକରାୟଙ୍କ ସେବାପୂଜା ନିମିତ୍ତ ଜମି ଖଞ୍ଜିବା ଓ ଦେଉଳର ଜୀର୍ଣ୍ଣସଂସ୍କାର କାର୍ଯ୍ୟରେ ହସ୍ତକ୍ଷେପ କରିଥିଲା । ସେ ରାତ୍ର ଦିନ ପରିଶ୍ରମ କରି ଦ୍ୱାରେ ଦ୍ୱାରେ ଭିକ୍ଷାକରି ଦେବପ୍ରତିଷ୍ଠିତଙ୍କର ସେବା ପୂଜାର ସୁବନ୍ଦୋବସ୍ତ ଓ ଦେଉଳର ଜୀର୍ଣ୍ଣସଂସ୍କାର କରାଉଥିଲା । ତାହାର ପ୍ରତିଦିନ ଓପରବେଳାଟି ଉକ୍ତକାର୍ଯ୍ୟ ପର୍ଯ୍ୟବେକ୍ଷଣରେ ଅତିବାହିତ ହେଉଥିଲା । ଏଥିରେ ମଧ୍ୟ ସନ୍ତୁଷ୍ଟ ନହୋଇ ସେ ପୁରାତନ ଦେଉଳମାନଙ୍କର ଜୀର୍ଣ୍ଣସଂସ୍କାର ଓ ଲୁପ୍ତପ୍ରାୟ ଗ୍ରନ୍ଥମାନଙ୍କର ଉଦ୍ଧାରଲାଗି ଗୋଟିଏ ସ୍ଥାୟୀ ପାଣ୍ଠି କରିବା ନିମିତ୍ତ ଯତ୍ନ କରୁଥିଲା ।

 

ରାତ୍ରରେ ମଧ୍ୟ ତାହାର ଅବସର ନଥିଲା । ଗରିବଛାତ୍ରମାନେ ଆପଣା ଆପଣା ଜଟିଳ ବିଷୟର ମୀମାଂସା ନିମନ୍ତେ ତାହା ନିକଟ ଆସୁଥିଲେ ଓ ସେ ବିଶଦରୂପେ ବ୍ୟାଖ୍ୟା କରି ସମସ୍ତ ବୁଝାଇ ଦେଉଥିଲା । ଏଣୁକରି ଗରିବଛାନ୍ତ୍ରମାନଙ୍କର ପାଠ ଅଭ୍ୟାସରେ ଆଦୌ କଷ୍ଟ ହେଉନଥିଲା ଓ ଘରଠାରେ ଶିକ୍ଷକ ନଥିବାର ଅଭାବ ମଧ୍ୟ ସେମାନେ ବୋଧ କରି ପାରୁନଥିଲେ ।

 

ସର୍ବଦା ନିୟମିତରୂପେ କାର୍ଯ୍ୟକରି ଦେବ ରାତ୍ରରେ ସୁନିଦ୍ରା ଲାଭ ଥିଲା । ଭୋଜନାନ୍ତେ ବିଛଣାକୁ ଗଲା ମାତ୍ରକେ ସେ ନିଦ୍ରାଭିଭୂତ ହେଉଥିଲା । ରାତ୍ରରେ ନିଦ୍ରାର ଅଭାବ ସେ କେବେହେଁ ଅନୁଭବ କରିପାରୁ ନଥିଲା । ଦିନେ ଆମ୍ଭର ଦେବ ଦିନମାନ ପରିଶ୍ରମ କରି ରାତ୍ରରେ ନିଦ୍ରା ଗଲା । ପ୍ରଭାତ ସମୟରେ ସେ ଏକ ଅଦ୍ଭୁତ ସ୍ୱପ୍ନ ଦେଖିଲା । ‘‘ସେ ଗୋଟିଏ ଜନଶୂନ୍ୟ ସ୍ଥାନରେ ଉପସ୍ଥିତ ହୋଇଅଛି । ସେ ସ୍ଥାନରୁ ଦୃଷ୍ଟିପାତ କଲେ ବହୁଦୂରରେ ମଧ୍ୟ ଲୋକାଳୟର ଚିହ୍ନ ମାତ୍ର ଦୃଷ୍ଟିଗୋଚର ହେଉନାହିଁ । ଏପରି ନିର୍ଜନସ୍ଥାନରେ ଗୋଟିଏ ସୁନ୍ଦର ଉଦ୍ୟାନ । ଉଦ୍ୟାନଟି ସୁନ୍ଦର ସୁନ୍ଦର ଫୁଲ ଓ ଫଳବିଶିଷ୍ଟ ବୃକ୍ଷରେ ପରିପୂର୍ଣ୍ଣ ଜ୍ୟୋସ୍ନାଲୋକରେ ଉଦ୍ୟାନସ୍ଥ ବୃକ୍ଷଗୁଡ଼ିକର ସୌନ୍ଦର୍ଯ୍ୟ ବୃଦ୍ଧି ହୋଇଅଛି ଓ ସେମାନେ ହାସ୍ୟ କରୁଥିବା ପରି ଦିଶୁଅଛନ୍ତି । ଉଦ୍ୟାନ ମଧ୍ୟରେ ଗୋଟିଏ ଦେବମନ୍ଦିର ଓ ତହିଁ ସମ୍ମୁଖରେ ଗୋଟିଏ ଜଳାଶୟ । ଚନ୍ଦ୍ରମାଙ୍କ ସୁବିମଳ କିରଣ ସାହାଯ୍ୟରେ ଉଦ୍ୟାନମଧ୍ୟସ୍ଥ ସମୁଦାୟ ବସ୍ତୁ ସ୍ପଷ୍ଟରୂପେ ଦିଶୁଅଛି–ପୁଷ୍ପ ଉପରିସ୍ଥ କୀଟ, ପତଙ୍ଗ ମଧ୍ୟ ବାକି ରହୁନାହିଁ’’ ।

 

‘‘ଦେବ ଉକ୍ତ ଉଦ୍ୟାନର ସୌନ୍ଦର୍ଯ୍ୟରେ ବିମୋହିତ । ଏପରି ସୁନ୍ଦର ଦୃଶ୍ୟଦ୍ୱାରା କିଏ ଅବା ଆକୃଷ୍ଟ ନହେବ ? ହଠାତ୍ ସୁମଧୁର ସଙ୍ଗୀତ ଓ ବାଦ୍ୟଧ୍ୱନି ଶ୍ରୁତିଗୋଚର ହେଲା । ଦେବ ଚକିତଭାବରେ ଚତୁର୍ଦ୍ଦିଗକୁ ଦୃଷ୍ଟି ପାତ କଲା । କେଉଁଠାରୁ ଏ ସୁଲଳିତ ସ୍ୱର ଆସୁଅଛି ? ଦେଖୁ ଦେଖୁ ହଠାତ୍ ଦେଉଳର କବାଟ ଫିଟିଲା ଓ ଦେବୀ ଗୋଟିଏ ଅଳ୍ପ ବୟସ୍କା କୁମାରୀ ବେଶରେ ବହିର୍ଗତ ହେଲେ । ଏ କୁମାରୀ ନା ଦେବୀ ? ଦେବ ମନ ମଧ୍ୟରେ ଭୟାନକ ଆନ୍ଦୋଳନ ଉପସ୍ଥିତ ହେଲା । ସେ ଅନିମେଷ ଲୋଚନରେ ଅନାଇ ରହିଲା, କିଛି ସ୍ଥିର କରି ପାରିଲା ନାହିଁ । ଦେବୀ ସହାୟ ବଦନରେ ଦେବ ଆଡ଼କୁ ଅନାଇ ପଶ୍ଚାତ୍ ଅନୁଗମନ କରିବାକୁ ଇଙ୍ଗିତ କଲେ । ଦେବୀଙ୍କ ଆଜ୍ଞାନୁସାରେ ଦେବ ତାଙ୍କର ଅନୁଗମନ କରିବାକୁ ଲାଗିଲା, ତାହା ମନରେ ଭୟ ଜାତ ହେଲା ନାହିଁ । ଦେବୀ ମୋହପରି ପାପିକୁ ଏତେ ଦୟା ଦେଖାଉ ଅଛନ୍ତି କାହିଁକି ? କିପାଇଁ ପଶ୍ଚାତ୍ ଅନୁଗମନ କରିବାକୁ ଆଦେଶଦେଲେ ? କି ଉଦ୍ଦେଶ୍ୟ ? ଦେବ କିଛି ବୁଝିପାରିଲା ନାହିଁ ।

 

‘‘ଦେବୀ ଲାଲ, ସବୁଜ, ହଳଦିଆ, ଗୋଲାପି, ନେଳିଆ ଇତ୍ୟାଦି ନାନାରଙ୍ଗର ସୁଗନ୍ଧଯୁକ୍ତ ଫୁଲ ନିରୀକ୍ଷଣ କରି ଦେଖୁଦେଖୁ ଗୋଟିଏ ସୁନ୍ଦର ଫୁଲ ଦେଖାଇ ଦେବକୁ କହିଲେ ‘‘ତୁମ୍ଭେ ଏହିପରି ଗୋଟିଏ ସୁନ୍ଦରୀ ସ୍ତ୍ରୀ ପାଇବ ତାହାର ନାମ ବିମଳା ।’’ ଦେବ ଚିତ୍ରାର୍ପିତବତ୍ ସମସ୍ତ ଦେଖିଲା ଓ ଣୁଣିଲା ମାତ୍ର ତାହାର ବାକ୍ୟରୋଧ ହେଲା, ସେ କିଛି ଉତ୍ତର ଦେଇ ପାରିଲା ନାହିଁ । ହଠାତ୍ ଗୋଟିଏ ଶବ୍ଦ ହେଲା ଓ ତଦ୍‍ସଙ୍ଗେ ଦେବୀ ଅନ୍ତର୍ଦ୍ଧାନ ହେଲେ । ଦେବେନ୍ଦ୍ର ଏକାକୀ, ତାହାର ଆରାଧ୍ୟ ଦେବୀ ଆଉ ନାହାନ୍ତି । ଦେବୀଙ୍କ ଅଦର୍ଶନଜନିତ ଦୁଃଖରେ ମର୍ମ୍ମାହତ ହୋଇ ଦେବ ଉଚ୍ଚୈଃସ୍ୱରରେ କ୍ରନ୍ଦନ କରିବାକୁ ଲାଗିଲା ଓ ତଦ୍ ସଙ୍ଗେ ତାହାର ନିଦ୍ରାଭଙ୍ଗ ହେଲା ।’’

 

ସୁଖସ୍ୱପ୍ନ ଭାଙ୍ଗି ଗଲା । ଦେବ ଆଉ ସ୍ୱପ୍ନରାଜ୍ୟରେ ନାହିଁ । ସେ ଶର୍ଯ୍ୟାରେ ଶାୟିତ । ସେ ଅଦ୍ଭୁତ ସ୍ୱପ୍ନ ବୃତ୍ତାନ୍ତ ସ୍ମରଣ କରିବାକୁ ଲାଗିଲା । କ୍ରମେ କ୍ରମେ ତାହାର ସମସ୍ତ ସ୍ମରଣ ହେଲା ମାତ୍ର ନାମଟି କ’ଣ ଠିକ ମନେ ହେଲା ନାହିଁ–ନିର୍ମଳା, ନା କମଳା, ନା ବିମଳା । ଦେବେନ୍ଦ୍ର ଏପରି ଅଦ୍ଭୁତ ସ୍ୱପ୍ନର କିଛି କାରଣ ନିର୍ଦ୍ଦେଶ କରି ପାରିଲା ନାହିଁ । କାହାକୁ ଅବା ଏହାର କାରଣ ଜିଜ୍ଞାସା କରିବ ? ଅଗତ୍ୟା ସେ ସ୍ୱପ୍ନ ବୃତ୍ତାନ୍ତଟି କାହାକୁ ପ୍ରକାଶ ନ କରି ଆପଣା ମନ ମଧ୍ୟରେ ରଖିଲା ।

 

ଚତୁର୍ଥ ପରିଚ୍ଛେଦ

ଭୁବନେଶ୍ୱର ଯାନ୍ତ୍ର

 

ଗୋପାଳବାବୁଙ୍କ ଠାରୁ ଶୁଭବିବାହର ସମ୍ମତସୂଚକ ପତ୍ର ପାଇ ସମସ୍ତେ ମୁଗ୍ଧ ହେଲେ । ଦୁର୍ଗାବାବୁ ମଧ୍ୟ ମହାଦେବ ବାବୁଙ୍କୁ ଶୁଭ କାର୍ଯ୍ୟ ଶୀଘ୍ର ସମ୍ପନ୍ନ କରିବାକୁ କହିଲେ । ମହାଦେବ ବାବୁଙ୍କର ଯେ ଉକ୍ତ ବିଷୟରେ ସମ୍ପୂର୍ଣ୍ଣ ମତ ଥିଲା ଏହା ପାଠକ ପାଠିକାମାନଙ୍କୁ ଅବିଦିତ ନାହିଁ । ଉକ୍ତ ଶୁଭକାର୍ଯ୍ୟ ସମ୍ପାଦନରେ କୌଣସି ବ୍ୟାଘାତ ନଥିବାରୁ ତାହା କାର୍ଯ୍ୟରେ ପରିଣତ କରିବାକୁ ପାନ୍ତ୍ର ଘରଠାରେ ସମସ୍ତେ ବ୍ୟସ୍ତ ହେଲେ । ଶୁଭକାର୍ଯ୍ୟ ନିମିତ୍ତ ଶୁଭଦିନର ଅପେକ୍ଷା କରିବା ମନୁଷ୍ୟ ସ୍ୱଭାବୋଚିତ । ମହାଦେବ ବାବୁ ଆତ୍ମୀୟମାନଙ୍କୁ ପାତ୍ରୀ ଦେଖି ମହାପ୍ରସାଦ ନିର୍ବନ୍ଧ କରିବାକୁ ଯିବା ନିମିତ୍ତ ଆମନ୍ତ୍ରଣ କଲେ । ଶୁଭବେଳାରେ ମହାଦେବ ବାବୁ ବନ୍ଧୁବାନ୍ଧବ ଓ ଆତ୍ମୀୟମାନଙ୍କ ସହିତ ଭୁବନେଶ୍ୱର ଯାତ୍ରା କଲେ । ସମସ୍ତେ ମହା ଆନନ୍ଦରେ ଶୁଭକାର୍ଯ୍ୟ ସମ୍ପାଦନ ନିମିତ୍ତ ବହିର୍ଗତ ହେଲେ । ସେ ଏକ ଅପୂର୍ବ ଦୃଶ୍ୟ !

 

ଆନନ୍ଦ କୋଳାହଳରେ ମତ୍ତ ଥିବା ଯୋଗୁଁ କେହି ପଥକଷ୍ଟ ଆଦୌ ଅନୁଭବ କରି ପାରିଲେ ନାହିଁ । କ୍ରମେ କ୍ରମେ ସମସ୍ତେ ଭୁବନେଶ୍ୱରସ୍ଥ କେଦାରଗୌରୀଠାରେ ଉପସ୍ଥିତ ହେଲେ । ସେଠାକାର ପ୍ରାକୃତିକ ଦୃଶ୍ୟ ସମସ୍ତଙ୍କ ମୁଗ୍ଧ କଲା । ସମସ୍ତେ ପ୍ରାତଃକୃତ୍ୟ ଶେଷ କରି ପବିତ୍ରସଲିଳ କେଦାରକୁଣ୍ଡରେ ସ୍ନାନ କଲେ । ଉକ୍ତ ନିର୍ମଳ ଜଳରେ ସ୍ନାନକରି ସମସ୍ତେ ଯେ ଆନନ୍ଦ ଓ ଶାନ୍ତିଲାଭ କଲେ ତାହା ବର୍ଣ୍ଣନାତୀତ ।

 

ସ୍ନାନାଦି ଶେଷ କଲା ଉତ୍ତାରୁ ସମସ୍ତେ ଜଗତ୍‍ମାତା ଗୌରୀଙ୍କୁ ଦର୍ଶନ କରିବାକୁ ଗଲେ-। ମାତାଙ୍କର ମୁଗୁନିପ୍ରସ୍ତର ଖୋଦିତ ସୁନ୍ଦର ଓ ସୌମ୍ୟ ମୂର୍ତ୍ତି ଦର୍ଶନ କରି ସମସ୍ତଙ୍କର ଅନ୍ତଃକରଣରେ ଅପୂର୍ବ ଧର୍ମଭାବ ଜାତ ହେଲା । ମାତାଙ୍କର ଶାନ୍ତ ମୁଖମଣ୍ଡଳ ଓ ଆଶ୍ୱାସବ୍ୟଞ୍ଜକ ଭାବ ଦେଖି ସମସ୍ତେ ମୋହିତ ହୋଇ ମାତାଙ୍କର ଚରଣତଳେ ପଡ଼ି ଯେ ଯାହାର ମନୋବାଞ୍ଛା ପୂରଣ ନିମିତ୍ତ ପ୍ରାର୍ଥନା କଲେ । ମହାଦେବବାବୁ ମଧ୍ୟ ସ୍ଥିର ରହି ପାରିଲେ ନାହିଁ । ସେ ଭକ୍ତିଭରରେ ପ୍ରାର୍ଥନା କଲେ ‘‘ମୋ, ଏହି ଶୁଭକାର୍ଯ୍ୟ ସମ୍ପନ୍ନ ହେଲେ ମୋହର ଶକ୍ତିଅନୁଯାୟୀ ଭୋଗ ଦେବି-।’’ଉକ୍ତ ଶୁଭସମ୍ମିଳନ ଯେ ମାତାଙ୍କର ଇଚ୍ଛା ପ୍ରସ୍ତୁତ ଏହା କେହି ବୁଝି ପାରିଲେ ନାହିଁ । ମାତା ଉକ୍ତ ପ୍ରାର୍ଥନାରେ ଆନନ୍ଦିତ ହୋଇ ସ୍ୱଶରୀରରୁ ପୁଷ୍ପ ଭୂମିରେ ନିକ୍ଷେପ କରି ମନୋବାଞ୍ଛା ପୂରଣର ସଙ୍କେତ ଦେଲେ । ମହାଦେବ ବାବୁ ଭୂପତିତ ପୁଷ୍ପଟିକୁ ସାଦରରେ ଗ୍ରହଣ କଲେ ।

 

ଦର୍ଶନକାର୍ଯ୍ୟ ଶେଷ କରି ସମସ୍ତେ ଗୋପାଳ ବାବୁଙ୍କ ଗୃହାଭିମୁଖରେ ଅଗ୍ରସର ହେବାକୁ ଲାଗିଲେ । ବାଟରେ ନାନାଦି ବିଷୟର କଥୋପକଥନ କରୁ କରୁ ସମସ୍ତେ ପାତ୍ରୀ ଘରଠାରେ ପହଞ୍ଚିଲେ । ଗୋପାଳ ବାବୁ ସମସ୍ତଙ୍କୁ ସାଦରରେ ଗ୍ରହଣ କଲେ ଓ ବିଧିମତେ ଅତିଥିସତ୍କାରର ବ୍ୟବସ୍ଥା କଲେ । ଅତିଥିମାନେ ଭୋଜନାନ୍ତେ କିଞ୍ଚିତ ବିଶ୍ରାମ କଲେ । ମହାଦେବ ବାବୁଙ୍କ ମନ ଆଉ ସ୍ଥିର ହେଲା ନାହିଁ । ସେ ଭାବୀ ପୁତ୍ତ୍ରବଧୁର ମୁଖଦର୍ଶନ ନିମିତ୍ତ ବ୍ୟସ୍ତ ହେଲେ । ଯାହା ହେଉ ଓପରବେଳା ପାତ୍ରୀ ଦେଖିବାର କଥା ହେଲା ।

 

ଶୁଭ ମୁହୂର୍ତ୍ତରେ ଗୋପାଳବାବୁ ନିଜ କନ୍ୟା ବିମଳାକୁ ସୁନ୍ଦର ଭାବରେ ସଜ୍ଜିତ କରି ସଭାରେ ଉପସ୍ଥିତ କଲେ । ପାତ୍ରୀର ଯେପରି ରୂପ ସେଥିରେ ବସନ ଭୂଷଣର ଆଦୌ ଆବଶ୍ୟକତା ନ ଥିଲେ ମଧ୍ୟ ଗୋପାଳବାବୁ ସେ ବିଷୟରେ କିଛି ମାତ୍ର ତ୍ରୁଟି କରି ନ ଥିଲେ । ସୁରୂପା ଓ ସରଳା କୁମାରୀଟି ଲଜ୍ଜାରେ ଅଧୋବଦନ ହୋଇ ବସି ରହିଲା । ତାହାର ଲଜ୍ଜାବନତ ଅଥଚ ସହାସ୍ୟବଦନ ଓ ନମ୍ରଭାବ ଦେଖି ସମସ୍ତେ ମୋହିତ ହେଲେ ।

 

ମହାଦେବବାବୁଙ୍କର ଆନନ୍ଦର ସୀମା ରହିଲା ନାହିଁ । ତତ୍‍ପରେ ଦୁର୍ଗାବାବୁ କହିଲେ ‘‘ଗୋପାଳବାବୁ, ପାତ୍ରୀ ଆମ୍ଭମାନଙ୍କର ପସନ୍ଦ ମାତ୍ର ଶାସ୍ତ୍ରାନୁସାରେ ବରକନ୍ୟାର କୋଷ୍ଠି ମିଳନ ଆବଶ୍ୟକ ।’’ ତଦନୁଯାୟୀ ମହାଦେବବାବୁ ପାତ୍ରୀର କୋଷ୍ଠି ଆଣିଲେ । ପାତ୍ର ଓ ପାତ୍ରୀଙ୍କର କୋଷ୍ଠି ବିଚାର ହେଲା ଓ ତହିଁରେ ମଧ୍ୟ କୌଣସି ଦୋଷ ଲକ୍ଷିତ ହେଲା ନାହିଁ । ଆମ୍ଭମାନଙ୍କର ସୁପରିଚିତ ଦେବ ଓ ବିମଳାର ବିବାହ ବିଷୟରେ ଆଉ କୌଣସି ଅନ୍ତରାୟ ନାହିଁ ଦେଖି ଉଭୟ ପକ୍ଷ ଅତିଶୟ ଆନନ୍ଦିତ ହେଲେ ଓ ଅଶ୍ରୁ ବିସର୍ଜନ ଦ୍ୱାରା ଆପଣା ଆପଣା ଆରାଧ୍ୟ ଦେବତାଙ୍କୁ ଅନ୍ତରର ଭକ୍ତି ପ୍ରଦର୍ଶନ କଲେ ।

 

ଆଧୁନିକ ଯୁଗର ପାଠକ ପାଠିକାମାନେ ମୋହ ଉପରେ ବିଶେଷ ବିରକ୍ତ ହୋଇଥିବେ-। ଉକ୍ତ ଶୁଭବିବାହ ସମ୍ପାଦନ ବିଷୟରେ ଉଭୟ ପକ୍ଷ ବିଶେଷ ସତର୍କତାର ସହିତ କାର୍ଯ୍ୟ କରୁଥିଲେ-। ଉଭୟ ପକ୍ଷ ପ୍ରଥମ ଆପଣା ଆପଣା ମନକୁ ମନାଇଲେ, ତତ୍‍ପରେ ବନ୍ଧୁ ବାନ୍ଧବ, ଆତ୍ମୀୟ ସ୍ୱଜନ ସମସ୍ତଙ୍କର ମତ ନେଲେ, ଏମନ୍ତ କି ପ୍ରତିବେଶୀମାନଙ୍କର ମତ ସୁଦ୍ଧା ନେଲେ । ସେଥିରେ ସନ୍ତୁଷ୍ଟ ନ ହୋଇ ସେମାନେ ପାତ୍ର ଓ ପାତ୍ରୀଙ୍କର କୋଷ୍ଠୀ ବିଚାର ମଧ୍ୟ କଲେ-। ଏତେ ସାବଧାନ ହୋଇ ମଧ୍ୟ ସେମାନେ ଗୋଟିଏ ଭୁଲକାର୍ଯ୍ୟ କଲେ ସେ ଭ୍ରମଟି କ’ଣ ଏହା କହିବା ବାହୁଲ୍ୟ ମାତ୍ର । ପାଠକ ପାଠିକାମାନେ ଏହା ନିଶ୍ଚୟ ବୁଝିଥିବେ । ମନୁଷ୍ୟ ମାତ୍ରକେ ଭ୍ରମରେ ପଡ଼ିଥାନ୍ତି ଅତଏବ ଏମାନେ ଯେ ଭ୍ରମରେ ପଡ଼ିବେ ଏଥିରେ ଅବା ଆଶ୍ଚର୍ଯ୍ୟ କ’ଣ ? ଯାହା ହେଉ ଏହି ଭ୍ରମଟି ମାର୍ଜନୀୟ । ବିବାହର ସମସ୍ତ ସ୍ତିର ହେଲା ମାତ୍ର, ପାତ୍ର ବା ପାତ୍ରୀ କାହାରି ମତ ନିଆ ଗଲା ନାହିଁ । ଏମନ୍ତ କି ସେମାନେ ଉକ୍ତ ବିଷୟରେ ସମ୍ପୂର୍ଣ୍ଣ ଅନଭିଜ୍ଞ ରହିଲେ । ଏହା କମ୍ ଆଶ୍ଚର୍ଯ୍ୟର କଥା ନୁହେଁ । ଗୋପାଳବାବୁ ଓ ମହାଦେବବାବୁ ଏ ଗୁରୁଦାୟିତ୍ୱ ଆପଣା ଆପଣା ଉପରେ ନେଲେ । ହେ ସହୃଦୟ ପାଠକ ପାଠିକାମାନେ, ଯେଉଁ ଶୁଭସନ୍ନିଳନ ଦେବୀ ବାଞ୍ଚିତ ତହିଁରେ ପୁଣି ମତ ନେବାର ଆବଶ୍ୟକ କ’ଣ ?

 

ଆସନ୍ତା ବୈଶାଖମାସ ଶୁକଳ ଏକାଦଶୀ ତିଥିରେ ବିବାହର ଦିନ ସ୍ଥିର ହେଲା । ଉକ୍ତ ପୁଣ୍ୟମାସରେ ଶୁଭକାର୍ଯ୍ୟ ସମ୍ପନ୍ନ ବିଷୟରେ ଉଭୟପକ୍ଷ ସମ୍ମତ ହେଲେ । ଦେବୀଙ୍କ ଇଚ୍ଛା ପୂର୍ଣ୍ଣହେଲା । ଦେବେନ୍ଦ୍ରର ସ୍ୱପ୍ନବୃତ୍ତାନ୍ତ ଓ ଦେବୀଙ୍କ ଇଚ୍ଛାର ବିନ୍ଦୁ ବିସର୍ଗ କେହି ଜାଣିପାରିଲେ ନାହିଁ-। ଶୁଭବିବାହ ସମ୍ପନ୍ନ ବିଷୟରେ ଗୋପାଳ ବାବୁ ଓ ମହାଦେବ ବାବୁଙ୍କର ଏତେ ଚିନ୍ତା, ଯତ୍ନ ଓ ସତର୍କତା ଯେ ଅନାବଶ୍ୟକ ଏହା ପାଠକ ପାଠିକାମାନେ ଭଲରୂପେ ବୁଝିଥିବେ । ଯେଉଁ ବିବାହ ଦେବୀ ବାଞ୍ଛିତ ସେଥିରେ ପୁଣି ମନୁଷ୍ୟର ଯତ୍ନ ଓ ସତର୍କତା ଆବଶ୍ୟକ ଏହା କିଏ ବା କହିବ ? ଆମ୍ଭେମାନେ ଆପଣା ଆପଣା ମଙ୍ଗଳ ସକାଶେ ଯେତେ ଚେଷ୍ଟା ନକରୁ ଭଗବାନ ତାହାଠାରୁ ଅଧିକ ଯତ୍ନବାନ ମାତ୍ର ଆମ୍ଭେମାନେ ଅଳ୍ପବୁଦ୍ଧି ମନୁଷ୍ୟ ତାହା ବୁଝିବାକୁ ଅକ୍ଷମ ।

 

ବିବାହର ସମୁଦାୟ କଥା ସ୍ଥିର ହେଲା । ମହାପ୍ରସାଦ ନିର୍ବନ୍ଧ ମଧ୍ୟ ହେଲା ମାତ୍ର ଦେବା ନେବା କଥା ଆଦୌ ପଡ଼ିଲା ନାହିଁ ଦେଖି କେହି କେହି ଅସନ୍ତୁଷ୍ଟ ହୋଇଥିଲେ । କାରଣ ବର୍ତ୍ତମାନ ସଭ୍ୟତାର ଆଲୋକ ପାଇ ଆମ୍ଭେମାନେ ବିବାହ ଉପଲକ୍ଷରେ ଦୁଇପଇସା ରୋଜଗାରର ଉପାୟ ପ୍ରାୟ କରିଥାଉଁ । ଏହାର ବ୍ୟତିନ୍ତ୍ରମ ଦେଖିଲେ କିଏ ବା କ୍ଷୁବ୍ଧ ନ ହେବ ? ଯାହାହେଉ ମହାଦେବବାବୁ ‘ବରପଣ’ ପ୍ରଥାର ସମ୍ପୂର୍ଣ୍ଣ ବିରୋଧୀ ଥିବାରୁ ସେ ଉକ୍ତ ବିଷୟ ଆଦୌ ଉତ୍ଥାପନ କଲେ ନାହିଁ । ବରପକ୍ଷ ମଧ୍ୟରେ ଜଣେ ଉକ୍ତକଥା ଉଠାଇଲେ ମାତ୍ରକେ ମହେଦେବବାବୁ ତାହା ବନ୍ଦ କରାଇ ଦେଲେ ଓ କହିଲେ ‘‘ଏତ ବିକା କିଣା ବେପାର ନୁହେଁ, ସେ ଯାହା ଦେବେ ତାହା ଯଥେଷ୍ଟ ।’’ ସୁତରାଂ ଏହି ବିବାହରେ କୌଣସି ରକମ ଜୋର ଜୁଲମର ଲେଶମାତ୍ର ରହିଲା ନାହିଁ । ଉଭୟପକ୍ଷ ଉଭୟପକ୍ଷଙ୍କୁ ବନ୍ଧୁତା ବନ୍ଧନରେ ଆବଦ୍ଧ କରିବାକୁ ଆଗ୍ରହାନ୍ୱିତ ହେଲେ । ଏପରି ସ୍ଥଳରେ ଲେଣ ଦେଣର କଥା କି ଆଦୌ ଉଠିପାରେ ? ପାଠକ ପାଠିକାମାନେ ଏପରି ବିବାହ ଯେ ଭବିଷ୍ୟତରେ ଅଶେଷ ମଙ୍ଗଳଦାୟକ ହେବ ଏଥିରେ ଅବା ସନ୍ଦେହ କ’ଣ ?

 

ଶୁଭବିବାହର ସମସ୍ତ ସ୍ଥିରକରି ମହାଦେବବାବୁ ଆନନ୍ଦଚିତ୍ତରେ ଆତ୍ମୀୟ ସ୍ୱଜନ, ବନ୍ଧୁ-ବାନ୍ଧବମାନଙ୍କ ସହିତ ଗୃହକୁ ପ୍ରତ୍ୟାବର୍ତ୍ତନ କଲେ । ଗୋପାଳବାବୁଙ୍କ ସାଦର ସମ୍ଭାଷଣରେ ଯେ ସମସ୍ତେ ପରମପ୍ରୀତଲାଭ କରିଥିଲେ ଏହା କହିବା ବାହୁଲ୍ୟ ମାତ୍ର ।

Image

 

ପଞ୍ଚମ ପରିଚ୍ଛେଦ

ସଖୀଦ୍ୱୟ–ଲକ୍ଷ୍ମୀ ଓ ସରସ୍ୱତୀ

 

ମହାପ୍ରସାଦନିର୍ବନ୍ଧ ସଙ୍ଗେ ସଙ୍ଗେ ବିମଳାର ବିବାହବାର୍ତ୍ତା ଚତୁର୍ଦ୍ଦିଗରେ ପ୍ରଚାରିତ ହେଲା-। ପ୍ରତିବେଶିମାନେ ସମସ୍ତେ ବିମଳା ଭଲଘରେ ବିଭାହେବ ଶୁଣି ଆହ୍ଲାଦିତ ହେଲେ । ସେ ପ୍ରତିବେଶିମାନଙ୍କର ସମସ୍ତଙ୍କର ପ୍ରିୟ ଥିଲା । ଅତଏବ ସେ ଉପଯୁକ୍ତ ପାତ୍ରରେ ପଡ଼ିଲା ଶୁଣି ସମସ୍ତେ ଯେ ଆନନ୍ଦିତ ହେବେ ଏଥିରେ ଅବା ଆଶ୍ଚର୍ଯ୍ୟ କ’ଣ ? ସମସ୍ତେ ମହାଦେବବାବୁଙ୍କୁ ଦେଖିବାକୁ ଆସିଲେ ।

 

ଲକ୍ଷ୍ମୀ ଓ ସରସ୍ୱତୀ ନାମକ ଦିଓଟି ଷୋଡ଼ଶବର୍ଷୀୟା ଯୁବତୀ ବିମଳାକୁ ଅତ୍ୟନ୍ତ ଭଲ ପାଉଥିଲେ ଓ ଆପଣାର ଛୋଟଭଉଣୀ ପରି ମଣୁଥିଲେ । ଉକ୍ତ ଶୁଭସଂବାଦରେ ସେମାନେ ଯେ କେତେଦୂର ଆନନ୍ଦିତ ହେଲେ ତାହା ପାଠକ ପାଠିକାମାନଙ୍କୁ ଜଣାଇବା ବାହୁଲ୍ୟ ମାତ୍ର । ଏକେ ଯୁବତୀ ସେଥିରେ ପୁଣି ଶୁଭବିବାହ ସଂବାଦ, ସେମାନେ କ’ଣ ଆଉ ସ୍ଥିର ରହି ପାରନ୍ତି ? ଦୁହେଁ ସରଳା ବାଲିକା ସହିତ ନାନାଦି ଥଟ୍ଟା ତାମାସା ଆରମ୍ଭ କଲେ ।

 

ଲକ୍ଷ୍ମୀ–କିଲୋ ବିମି ! ତୋହ ଘରକୁ କୁଣିଆ ଆସିଛନ୍ତି କି ?

 

ସରସ୍ୱତୀ–ହଁ, ଏଠାକୁ କୁଣିଆ ଆସି ସମସ୍ତ ମହର୍ଗ କଲେ ।

 

ଲକ୍ଷ୍ମୀ–ଆଁଲୋ, ପାଟି ଫିଟୁ ନାହିଁକି ? ମହାଦେବବାବୁ ଆସିଛନ୍ତି କାହିଁକି ?

 

ସରଳା ବାଳିକା ନୀରବ ନିରୁତ୍ତର । ସେ କ’ଣ ଉତ୍ତର ଦେବ ।

 

ସର–ତୋହର କ’ଣ ବିଭା ହେଉଅଛି ?

 

ଲକ୍ଷ୍ମୀ–ଆମ୍ଭଙ୍କୁ କହିଲେ ଆମ୍ଭେ ବରକୁ ଛଡ଼ାଇ ନବୁ ନାହିଁ !

 

ସରସ୍ୱତୀ–ପିଲାଟା କ’ଣ ବା ଜାଣେ, କ’ଣ ବା କହିବ ?

 

ଲକ୍ଷ୍ମୀ–ନାହିଁଲୋ ନାହିଁ, ବିମି ପକ୍କା । ସେ ବାହା ହେବ–ବାଜା ବାଜିବ, ବର ଆସିବ, କେତେ ସୁନାର ଗହଣା ପିନ୍ଧିବ, ଏହାକି ସେ ଜାଣେ ନା ? ଭଲରୂପେ ଜାଣେ ।

 

ସରସ୍ୱତୀ–ବିମି ! ମୋ ରାଣ, ତୋହ ବର ନା’ଟି କ’ଣ କହ ।

 

ବିମଳା ଲଜ୍ଜାରେ ମସ୍ତକ ଅବନତ କଲା ।

 

ଲକ୍ଷ୍ମୀ–ଆଲୋ ଶୁଣ–‘‘ଦେବ, ଦେବ ।’’

 

ସର–ଦେବ ବଡ଼ ଗୁଣବନ୍ତ ଶୁଣିଲି ।

 

ଲକ୍ଷ୍ମୀ–ହଁ, ସେ ବୋଝେ ବହି ପଢ଼ିଚି, ‘ବେ’ (ବି. ଏ ) ପାଶ କରିଛି ନା କ’ଣ ?

 

ସର–ସେ ସେଠାକାର ସମସ୍ତଙ୍କର ପ୍ରିୟପାତ୍ର । ତାହା ଗୁଣରେ ଗ୍ରାମବାସୀ ସମସ୍ତେ ଗୌରବାନ୍ୱିତ ।

 

ଲକ୍ଷ୍ମୀ–ସେ ବଡ଼ ପରୋପକାରୀ ।

 

ସର–ହଁ, ଲୋ ବୁଢ଼ି (ବିମି) ! ତା ରୂପ କି ସୁନ୍ଦର ହୋଇ ନଥିବ ?

 

ଲକ୍ଷ୍ମୀ–ହଁ ଲୋ, ତୋହଠାରୁ ନିଶ୍ଚୟ ଭଲ ।

 

ସର–ସେ ବଡ଼ ଠାକୁରଭକ୍ତ ଶୁଣିଲି ।

 

ଲକ୍ଷ୍ମୀ–ହଁ, ଆମ୍ଭର ବିମିକୁ ଖୁବ ଭକ୍ତି କରିବ, ଫୁଲଦେଇ ପୂଜା କରିବ ।

 

ସର–ଆଲୋ ବୁଢ଼ି ! ଆମକୁ ଟିକେ ମନେ ରଖିବୁ ନା ?

 

ଲକ୍ଷ୍ମୀ–ହଁ ଲୋ, ଆମ୍ଭମାନଙ୍କର ଅନେକ ଦିନ ହେଲା ବିଭା ହୋଇଅଛି, ସେ କଥା ପାସୋର ଗଲାଣି ବର୍ତ୍ତମାନ ବିମିର ବିଭା ଭଲରୂପେ ଦେଖିବା ।

 

ସର–ଖାଲି ବିଭା ଦେଖିବୁ ନା ଆଉ କିଛି ?

 

ଲକ୍ଷ୍ମୀ–ଆଉ କ’ଣ କହ ।

 

ଯୁବତୀ ଦୁହେଁ ନାନାଦି ହାସ୍ୟ କୌତୁକ କରି ମଧ୍ୟ ବିମଳାକୁ ହସାଇ ପାରିଲେ ନାହିଁ । ବିମଳାକୁ ନିରୁତ୍ତର ଦେଖି ସେମାନେ ଅଗତ୍ୟା ଚୁପ ଦେବାକୁ ବାଧ୍ୟ ହେଲେ । ତତ୍‍ପରେ ଦୁହେଁ ବିମଳାର ମାତାଙ୍କ ନିକଟ ପହଞ୍ଚିଲେ ଓ ସହାସ୍ୟ ବଦନରେ କହିଲେ ‘‘ବିମିର ବିବାହରେ ଆମ୍ଭମାନଙ୍କୁ ଭୁଲିବେ ନାହିଁ । ବେଶ୍‍ ଜୁଆଁଇ ପାଉ ଅଛନ୍ତି । ବିମିର କପାଳରେ ସୁଖ ଅଛି ।’’

 

ବିମଳାର ମାତା–ହଁ ଭଗବାନଙ୍କ ଇଚ୍ଛା, ଆମ୍ଭେମାନେ ସାମାନ୍ୟ ମନୁଷ୍ୟ କ’ଣ ବା ବୁଝିବା ? ଆମ୍ଭେମାନେ ଉପଲକ୍ଷ ମାତ୍ର । ବିମଳା ଖୁସିରେ ରହିଲେ ଆମ୍ଭମାନଙ୍କର ଯଥେଷ୍ଟ ।

 

ଯୁବତୀ ଦୁହେଁ–ବିମଳାର ଉକ୍ତ ବିବାହରେ ମତ ଅଛି । ଆମ୍ଭେମାନେ ତାକୁ ଅନେକ ଥଟ୍ଟା କଲୁ ମାତ୍ର ସେ କିଛି ଉତ୍ତର ଦେଲା ନାହିଁ । ‘ମୌନଂ ସମ୍ମତି ଲକ୍ଷଣଂ ।’

 

ବିମଳାର ମାତା–ଆଶୀର୍ବାଦ କର ସେମାନେ ସୁଖରେ ରହନ୍ତୁ ।

 

ଯୁବତୀ ଦୁହେଁ–ବିମଳା ସଦ୍ଗୁଣସମ୍ପନ୍ନା, ତାହା କପାଳ ମନ୍ଦ ହେବ କି ପାଇଁ ? ଭଗବାନଙ୍କର କି ବିଚାର ନାହିଁ ?

 

ମାତା–ଭଗବାନଙ୍କ ଇଚ୍ଛା ଓ ଗୁରୁଜନମାନଙ୍କର ଆଶୀର୍ବାଦ ।

 

ତତ୍‍ପରେ ଯୁବତୀ ଦୁହେଁ ନାନାଦି ତର୍କ ବିତର୍କ କରୁ କରୁ ଆପଣା ଆପଣା ଘରକୁ ଲେଉଟି ଗଲେ ଓ ଉକ୍ତ ଘଟଣାର ସବିଶେଷ ବିବରଣ ତତ୍‍କ୍ଷଣାତ୍ ଘରଠାରେ ପ୍ରକାଶ କଲେ । ଏକଥା ପ୍ରଚାର ନକରି ସେମାନେ ରହିବେ ବା କିପରି, ପେଟ ଫୁଲିଯିବ ନାହିଁ ? ଉକ୍ତ ବିଷୟ ଘେନି ଅନ୍ୟାନ୍ୟ ଯୁବତୀମାନଙ୍କ ମଧ୍ୟେର ମଧ୍ୟ ନାନାଦି ଆନ୍ଦୋଳନ ହେଲା ।

Image

 

ଷଷ୍ଠ ପରିଚ୍ଛେଦ

ନରାଜ

 

ହେ ସହୃଦୟ ପାଠକ ପାଠିକାମାନେ, ଆମ୍ଭର ଦେବ କ’ଣ କରୁଅଛି ଦେଖିବା ଚାଲ । ଦେବ ସ୍ୱପ୍ନ ଦେଖିବା ଦିନଠାରୁ ବଡ଼ ବ୍ୟସ୍ତ ହୋଇ ପଡ଼ିଅଛି । କୌଣସି ମତେ ତାହାର ମନ ସ୍ଥିର ହେଉନାହିଁ । ସେ ଯେ ସ୍ୱପ୍ନରାଜ୍ୟ ଦେଖିଅଛି ସେ ସ୍ଥାନ କେଉଁଠି ? କାହାକୁ ବା ଏ ସ୍ୱପ୍ନ ବୃତ୍ତାନ୍ତ କହିବ ? ଆହାର, ନିଦ୍ରା ତ୍ୟାଗ କରି ଦେବ ସଦା ଏହି ଚିନ୍ତାରେ ମଗ୍ନ । ସଂସାରର କୌଣସି ବସ୍ତୁ ତାହାକୁ ଭଲ ଲାଗୁ ନାହିଁ । ତାହାର ଅନ୍ତଃକରଣକୁ ଅଶାନ୍ତିର ଛାୟା ସ୍ପର୍ଶ କରିଅଛି । ବର୍ତ୍ତମାନ ଉପାୟ କ’ଣ ଏହା ଭାବି ସେ ବ୍ୟାକୁଳ ।

 

ଆମ୍ଭର ଦେବ ପୁସ୍ତକ ପାଠରେ ସଦା ମନୋଯୋଗୀ । ସେ କଦାପି ସମୟ ବୃଥା ନଷ୍ଟକରେ ନା ଏହା ସମସ୍ତଙ୍କୁ ଜଣା । ସେ ଦିନେ ଖଣ୍ଡେ ପୁସ୍ତକ ପାଠ କରୁ କରୁ ନରାଜର ବର୍ଣ୍ଣନା ପାଠକଲା । ଉକ୍ତ ବର୍ଣ୍ଣନା ପାଠକରି ରମଣୀୟ ସ୍ଥାନଟି ଦର୍ଶନ ନିମିତ୍ତ ସେ ମନ ବଳାଇଲା । ସେ ଭାବିଲା ‘‘ଏହି କି ସେହି ସ୍ୱପ୍ନରାଜ୍ୟ ?’’

 

କିପରି ନରାଜ ଦର୍ଶନ କରିବି ଏହି ଚିନ୍ତାରେ ସେ ସଦା ମଗ୍ନ । ଅଗତ୍ୟା ଦିନେ ସେ ଉକ୍ତ ସ୍ଥାନ ଦର୍ଶନ କରିବାର ଇଚ୍ଛା ପିତାମାତାଙ୍କ ନିକଟ ପ୍ରକାଶ କଲା । ପିତାମାତା ଉପଯୁକ୍ତ ପୁତ୍ରର ଆଶା ଅବା ଅପୂରଣ ରଖିବେ କାହିଁକି ? ପିତାମାତାଙ୍କ ଅନୁମତି ଘେନି ଦୁଇଜଣ ବନ୍ଧୁ ସହିତ ଦେବ ନୌକାରୋହଣରେ ନରାଜ ଯାତ୍ରା କଲା ।

 

ନୌକା ତିନିଜଣ ଆରୋହୀଙ୍କୁ ଘେନି କୁଳୁ କୁଳୁ ଶବ୍ଦରେ ଜଳସ୍ରୋତ ଅତିନ୍ତ୍ରମ କରି ପଶ୍ଚିମାଭିମୁଖରେ ଅଗ୍ରସର ହେବାକୁ ଲାଗିଲା । ଆରୋହୀବୃନ୍ଦ ଅଦୂରସ୍ଥିତ ଗୈରିକ ଓ ନୀଳବର୍ଣ୍ଣ ଛୋଟ ଛୋଟ ପାହାଡ଼ଗୁଡ଼ି ଓ ଶୁଭ୍ରବର୍ଣ୍ଣ ବାଳୁକାରାଶି ଦର୍ଶନ କରୁ କରୁ ମହାଆନନ୍ଦରେ ଅଗ୍ରସର ହେବାକୁ ଲାଗିଲେ । ସୁଶୀତଳ ପ୍ରାତଃସମୀରଣ ପ୍ରବାହିତ ହୋଇ ସେମାନଙ୍କୁ ଅଧିକ ମତାଇଲା । ମସ୍ତକୋପରି ନୀଳାକାଶ, ନିମ୍ନରେ ନୀଳବର୍ଣ୍ଣ ଜଳରାଶି ଓ ଅଦୂରସ୍ଥିତ ପକ୍ଷୀମାନଙ୍କର ଆନନ୍ଦଗୀତ ସେମାନଙ୍କ ମନରେ ଏକ ଅପୂର୍ବ ଭାବ ଜାତ କଲା । ସେମାନେ ମନର ଆବେଗରେ ଈଶ୍ୱରଙ୍କ ମହିମା ଗାନ କରିବାକୁ ଲାଗିଲେ । ଏଥି ସଙ୍ଗେ ହାରମୋନିୟମର ସୁମିଷ୍ଟସ୍ୱର ମିଳିତ ହୋଇ ସ୍ୱର୍ଗରାଜ୍ୟର ଅବତାରଣା କଲା ।

 

ବନ୍ଧୁ ତିନିହେଁ ମହାନନ୍ଦରେ ଯାତ୍ରା କରିବାକୁ ଲାଗିଲେ । କ୍ରମେ ଶ୍ରୀଧବଳେଶ୍ୱର ମହାଦେବଙ୍କ ଉଚ୍ଚ ଦେଉଳ ଦୃଷ୍ଟିଗୋଚର ହେଲା । ତହୁଁ ସମସ୍ତେ ଭକ୍ତିଭରରେ ଧବଳେଶ୍ୱରଙ୍କୁ ଦଣ୍ଡବତ କଲେ । ତିନି ହେଁ ଅନିମେଷ ଲୋଚନରେ ଦେଉଳର ଅଗ୍ରଭାଗ ଦର୍ଶନ କରୁ କରୁ ଗଲେ-। କ୍ରମେ ଆଉ ଦେଉଳ ଦୃଷ୍ଟିଗୋଚର ହେଲା ନାହିଁ ତହୁଁ ସେମାନେ କିଞ୍ଚିତ ଦୁଃଖିତ ଭାବରେ ନିଜ ନିଜ ସ୍ଥାନରେ ବସି ରହିଲେ ।

 

ସୁର୍ଯ୍ୟର ତେଜ ପ୍ରଖର ହେବାରୁ ସେମାନେ ନୌକାକୁ ଏକ ସ୍ଥାନରେ ରଖି ସ୍ନାନାଦି କାର୍ଯ୍ୟ ଶେଷକଲେ । ତଦନନ୍ତର ସମସ୍ତେ ବାଲୁକା ରାଶି ଉପରେ ଉପବେଶନ କରି ମହାନନ୍ଦରେ ଆହାରାଦି ସମ୍ପନ୍ନ କଲେ । ସେ ଆନନ୍ଦ ବର୍ଣ୍ଣନାତୀତ ।

 

ଆହାରାଦି ଶେଷ କରି ସେମାନେ ପୁଣି ନୌକାରେ ଚଢ଼ିଲେ । ନାଉରିଆମାନେ ବର୍ତ୍ତମାନ ଦ୍ରୁତଗତିରେ ନୌକା ଚଳାଇଲେ । ଦ୍ୱିପ୍ରହର ପର ନୌକା ନରାଜଠାରେ ପହଞ୍ଚିଲା । ନୌକାରୁ ଓହ୍ଲାଇ ତିନିହେଁ ବାଦ୍ୟଯନ୍ତ୍ର ଘେନି ପାହାଡ଼ ଉପରିସ୍ଥିତ ଶିବବନ୍ଦିର ଆଡ଼କୁ ଅଗ୍ରସର ହେବାକୁ ଲାଗିଲେ । କିଛିକ୍ଷଣ ପରେ ସେମାନେ ସମ୍ମୁଖସ୍ଥ କ୍ଷୁଦ୍ର ମଣ୍ଡପଠାରେ ପହଞ୍ଚିଲେ । ସେଠାରେ ସେମାନେ ବିଶ୍ରାମ ନିମିତ୍ତ ଉପବେଶନ କଲେ ।

 

ସେଠାରେ ଉପବେଶନ କରି ତିନିହେଁ ଚତୁର୍ଦ୍ଦିଗ ନିରୀକ୍ଷଣ କରିବାକୁ ଲାଗିଲେ । ଏପରି ନିର୍ଜନସ୍ଥାନ ଅତି ବିରଳ । ପାହାଡ଼ଟି ନାନାଦି ବୃକ୍ଷଲତାଦିରେ ଭୂଷିତ । ମସ୍ତକୋପରି ବିରାଜିତ ଶିବମନ୍ଦିର, ନିମ୍ନରେ ନୀଳବର୍ଣ୍ଣ, ଅନନ୍ତ ଓ ଅତଳ ଜଳରାଶି, ଅଦୂରସ୍ଥିତ ଶ୍ୟାମଳ ବିସ୍ତୀର୍ଣ୍ଣ ଭୂମିଖଣ୍ଡ ଓ ଅସ୍ତଗମନୋନ୍ମୁଖ ସୂର୍ଯ୍ୟଦେବଙ୍କୁ ଦେଖି ସେମାନେ ଆତ୍ମହରା ହେଲେ । ଦେବ ପ୍ରକୃତିଦେବୀର ଏହି ଅତୁଳ ଐଶ୍ୱର୍ଯ୍ୟ ଦେଖି ଆଶ୍ଚ ର୍ଯ୍ୟାନ୍ୱିତ ହେଲା ଓ ଉକ୍ତ ସ୍ଥାନକୁ ମନେ ମନେ ସ୍ୱପ୍ନରାଜ୍ୟ ସହିତ ତୁଳନା କରିବାକୁ ଲାଗିଲା । ‘ଏହା କି ସେହି ସ୍ୱପ୍ନରାଜ୍ୟ’ ? ଏହାହିଁ କେବଳ ତାହା ମନରେ ଉଦୟ ହେବାକୁ ଲାଗିଲା ।

 

ପ୍ରକୃତିଦେବୀର ରମଣୀୟ ଲୀଳାକ୍ଷେନ୍ତ୍ର ଦର୍ଶନକରି ବନ୍ଧୁ ଦୁହେଁ ବାଦ୍ୟଯନ୍ତ୍ର ସଂଯୋଗ ଗୀତ ଆରମ୍ଭ କଲେ । ଦେବ ନିଶ୍ଚଳଭାବରେ ସଙ୍ଗୀତ ଶ୍ରବଣ କରିବାକୁ ଲାଗିଲା ଓ ଆନନ୍ଦ ଉପଭୋଗ କରିବାକୁ ଲାଗିଲା । ସେ ଆନନ୍ଦ ଅନିର୍ବଚନୀୟ, ତାହାର ଅନ୍ତ ନାହିଁ ।

 

କିଛିକ୍ଷଣ ଆମୋଦ ପ୍ରମୋଦ ପର ତିନିହେଁ ଦେବଦର୍ଶନରେ ବହିର୍ଗତ ହେଲେ । ଦେଉଳ ମଧ୍ୟରେ ପ୍ରବେଶ କରିବା ମାତ୍ରକେ ଦେବ ଯାହା ଦେଖିଲା ତାହା ତାକୁ ଅଧିକ ବିସ୍ମୟାନ୍ୱିତ କଲା । ତାହା ଧମନୀରେ ରକ୍ତ ବିଦ୍ୟୁତ୍ ବେଗରେ ପ୍ରବାହିତ ହେବାକୁ ଲାଗିଲା । ସେ ଚିନ୍ତ୍ରାର୍ପିତବତ୍ ସ୍ଥିରଭାବରେ ଏକସ୍ଥାନରେ ଦଣ୍ଡାୟମାନ ରହିଲା । ଦେବ ସମ୍ମୁଖରେ ଏକ ରୂପଲାବଣ୍ୟସମ୍ପନ୍ନା ସୁନ୍ଦରୀ ବାଳିକା ଓ କିଞ୍ଚିତ ଦୂରରେ ଦିଓଟି ବୟସ୍କା ସ୍ତ୍ରୀ ଲୋକ । କେହି କାହାକୁ ଚିହ୍ନି ପାରିଲେ ନାହିଁ-। ବାଳିକାକୁ ଦର୍ଶନମାତ୍ରକେ ଉଭୟ ଅଜ୍ଞାତସାରରେ ଉଭୟକୁ ମନପ୍ରାଣ ସମର୍ପଣ କରି ପକାଇଲେ-। କି ଅଦ୍ଭୁତ ମିଳନ !

 

ପାଠକ ପାଠିକାମାନଙ୍କୁ ଏହି ବାଳିକାର ପରିଚୟ ଦେବା ଅନାବଶ୍ୟକ । ବାଳିକାଟିହିଁ ଆମ୍ଭମାନଙ୍କର ସୁପରିଚିତ ବିମଳା । ସେ ମଧ୍ୟ ପ୍ରତିବେଶୀମାନଙ୍କ ସହିତ ଦେବଦର୍ଶନରେ ଆସିଅଛି-। ଈଶ୍ୱରଙ୍କ କି ମାୟା । ଏହି ଶୁଭସମ୍ମିଳନକୁ ଦେବୀଇପ୍ସିତ ବ୍ୟତୀତ ଆଉ କ’ଣ କୁହାଯିବ-?

 

ତିନୋଟି ଯୁବକଙ୍କୁ ସମ୍ମୁଖରେ ଦେଖି ବୟସ୍ଥା ସ୍ତ୍ରୀଲୋକ ଦିଓଟି ବାଳିକାକୁ ତୀବ୍ରଭାବରେ କହିଲେ ‘‘ବିମଳା ଏଆଡ଼େ ଘୁଞ୍ଚି ଆ, ମଣିଷ ଦେଖା ଯାଉ ନାହାନ୍ତି କି ?’’ ସରଳା ବାଳିକା ସାଂସାରିକ ରୀତି ନୀତି ବିଷୟରେ ସମ୍ପୂର୍ଣ୍ଣ ଅନଭିଜ୍ଞ ଥିବାରୁ ଆଗନ୍ତୁକମାନଙ୍କ ସମ୍ମୁଖରେ ଦଣ୍ଡାୟମାନା ଥିଲା । ଏହା ତାହାର ସ୍ୱଭାବ । ସେ ଗାଳି ଶୁଣି ଏକ ପାଖିଆ ହୋଇଗଲା ।

 

ଦେବ ଭାବିବାକୁ ଲାଗିଲା ‘‘ଏହି କି ସେହି ସ୍ୱପ୍ନରାଜ୍ୟ ? ଏହିକି ସେହି ସ୍ୱପ୍ନୋକ୍ତବାଳିକା-?’’ ତାହା ମନ ମଧ୍ୟରେ ମହା ଆନ୍ଦୋଳନ ଉପସ୍ଥିତ ହେଲା । ବିମଳା ନାମଟି ଦେବ କର୍ଣ୍ଣରେ ବାରମ୍ବାର ପ୍ରତିଧ୍ୱନିତ ହେବାକୁ ଲାଗିଲା । ଏ ଅଦ୍ଭୁତ ମିଳନର ବିଷୟ ଭାବି ସେ ଅଧୀର ହେଲା ।

 

ପାହାଡ଼ର ଚତୁର୍ଦ୍ଦିଗରେ ଭ୍ରମଣ କଲାପର ଦେବ ପୁଣି ପାହାଚରେ ଓହ୍ଲାଇ ବନ୍ଧୁ ଦୁହିଁଙ୍କ ସହିତ ନୌକାରେ ଚଢ଼ିଲା । ଦେବର ଆଶା ଥିଲା ସେହି ବାଳିକାକୁ ଆଉ ଥରେ ଦେଖି ଚକ୍ଷୁ ତୃପ୍ତ କରିବ ମାତ୍ର ସେ ଯେପରି ଅନ୍ତର୍ଦ୍ଧାନ ହେଲା ପ୍ରାୟ ବୋଧ ହେଲା । ବାଳିକାଟିର କୌଣସି ସଂବାଦ ଆଉ ମିଳିଲା ନାହିଁ ।

 

ଦର୍ଶନାଦି କାର୍ଯ୍ୟ ଶେଷ କରି ଦେବ ବନ୍ଧୁ ଦୁହିଙ୍କ ସହିତ ଗୃହାଭିମୁଖରେ ଯାତ୍ରା କଲା । ଏହି ଅଦ୍ଭୁତ ଘଟନାଟି ତାହା ମନରେ ଏପରି ଦୃଢ଼ଭାବରେ ଅଙ୍କିତ ହୋଇ ଥିଲା ଯେ ସେ କେବଳ ଏହା ହିଁ ଭାବିବାକୁ ଲାଗିଲା । ବନ୍ଧୁ ଦୁହିଁଙ୍କ କଥୋପକଥନ ବା ହାସ୍ୟ କୌତୁକରେ ସେ ଆଦୌ ମନଯୋଗ ଦେଇ ପାରିଲା ନାହିଁ । ବନ୍ଧୁଦୁହେଁ ଏ ବିଷୟ କିଛି ମାତ୍ର ବୁଝିପାରିଲେ ନାହିଁ ।

Image

 

ସପ୍ତମ ପରିଚ୍ଛେଦ

ଦେବେନ୍ଦ୍ରର ଭାବନା

 

ଦେବେନ୍ଦ୍ର ନରାଜରୁ ପ୍ରତ୍ୟାବର୍ତ୍ତନ କଲା ମାତ୍ର ତାହାର ମନର ଅବସ୍ଥା ପୂର୍ବଠାରୁ ଅଧିକ ଖରାପ ହେଲା । ମନର ଶାନ୍ତି ତାକୁ ଏକା ବେଳକେ ଛାଡ଼ି ଯିବାପରି ବୋଧ ହେଲା । ପୁସ୍ତକପାଠରେ ତାହାର ମନ ଆଉ ବଳାଇଲା ନାହିଁ । ସେ ସଦା ଚିନ୍ତାମଗ୍ନ । ସେ ଭାବିଲା ‘‘କି ବିଷମ ରୋଗ ଉପସ୍ଥିତ ହେଲା ! ମୁଁ କାହିଁକି ନରାଜ ଗଲି ?’’ ଏପରି ନାନାଦି ଚିନ୍ତାରେ ସେ ବ୍ୟସ୍ତ ହୋଇ ପଡ଼ିଲା ।

ଯୁବକମାନଙ୍କ ମନରେ ଉକ୍ତରୂପ ପ୍ରେମସଞ୍ଚାର ସ୍ୱାଭାବିକ । ମାତ୍ର ଆମ୍ଭମାନଙ୍କର ଦେବ ଆଧୁନିକ ଯୁଗର ନବ୍ୟସଭ୍ୟ ନଥିବା ଯୋଗୁଁ ପ୍ରେମର ଉକ୍ତରୂପ ଘାତ ପ୍ରତିଘାତ ତାହା ପକ୍ଷରେ ବଡ଼ ବିଷମ ହୋଇ ପଡ଼ିଲା ।

ସମୟ ଗୁଣେ ସମସ୍ତ ସହି ହୁଏ । କାଳକ୍ରମେ ପିତାମାତା ମଧ୍ୟ ଏକ ମାତ୍ର ପୁତ୍ର ଶୋକ ଭୁଲି ପାରନ୍ତି, ଅବଳା ସ୍ତ୍ରୀ ମଧ୍ୟ ସ୍ୱାମୀ ବିରହ ସହ୍ୟ କରି ପାରେ, ଯାହା ଅସମ୍ଭବ ତାହା ମଧ୍ୟ ସମ୍ଭବ ହୋଇ ଥାଏ । ଏପରି ସ୍ଥଳରେ ଆମ୍ଭର ଦେବ ଯେ ପ୍ରେମର ଘାତ ପ୍ରତିଘାତ ସହ୍ୟ କରି ନ ପାରିବ ଏମନ୍ତ ନୁହେ ମାତ୍ର ସମୟ ଆବଶ୍ୟକ ।

ଦେବ ନରାଜରୁ ଫେରିଅଛି ମାତ୍ର ତାହା ମନଟି ସେହିଠାରେ ଅଛି । ବିମଳା ନାମଟି ତାକୁ ଅଧିକ ବ୍ୟାକୁଳ କରିଅଛି । ପୂର୍ବ ସ୍ୱପ୍ନ ବୃତ୍ତାନ୍ତ କ୍ରମେ କ୍ରମେ ସତ୍ୟ ବୋଲି ତାକୁ ବୋଧ ହେଉ ଅଛି ମାତ୍ର ସମ୍ପୂର୍ଣ୍ଣ ସତ୍ୟ ଏହା ବୁଝି ନ ପାରିବା ଯୋଗୁଁ ସେ ସଦା ଚିନ୍ତିତ ଅଛି ।

ମହାଦେବବାବୁ ଭୁବନେଶ୍ୱରଠାରୁ ଫେରି ଆସିଅଛନ୍ତି । ପୁତ୍ତ୍ରର ବିବାହର ସମୁଦାୟ ଆୟୋଜନ ଆରମ୍ଭ ହୋଇ ଅଛି । ତାଙ୍କର ଏକମାତ୍ର ପୁତ୍ତ୍ର ସୁତରାଂ ଆୟୋଜନର ତ୍ରୁଟି ହେବ ବା କାହିଁକି ? ଚତୁର୍ଦ୍ଦିଗରେ ଶୁଭ ସଂବାଦ୍ ପ୍ରଚାରିତ ହୋଇଅଛି । କ୍ରମେ ଉକ୍ତ ସଂବାଦ ଦେବର କର୍ଣ୍ଣଗୋଚର ମଧ୍ୟ ହୋଇଅଛି ।

 

ବିବାହ ସ୍ଥିର ଏହା ଶୁଣି ଦେବ ଅଧିକ ବ୍ୟାକୁଳ । କେଉଁଠି ହେବ ? କାହା ସହିତ ହେବ ? ବିମଳା ବ୍ୟତୀତ ଅନ୍ୟ କେହି କି ମୋର ସ୍ତ୍ରୀ ହୋଇ ପାରେ ? ପିତା କେଉଁଠି ସ୍ଥିର କଲେ-? ଯେବେ ବିମଳା ସହିତ ନ ହୁଏ ତେବେ କ’ଣ ହେବ ? ଏରୂପ ନାନାଦି ବିଷୟ ଚିନ୍ତା କରି ସେ କୌଣସି ଉପାୟ ନ ଦେଖି ଅଗତ୍ୟା ଭଗବାନଙ୍କ ଉପରେ ନିର୍ଭର କରିଅଛି । ସେ ଭାବେ ‘‘ଦେବୀଙ୍କ ଇଚ୍ଛା ଅନ୍ୟ ଉପାୟ ନାସ୍ତି ।’’

 

ଏହିରୂପେ ଦେବ ନିର୍ଜନରେ କେତେ ଭାବେ ତାହା ମୁଁ ପାଠକ ପାଠିକାମାନଙ୍କୁ ଅଧିକ କ’ଣ କହିବ । ତାହାର ମନର ଅବସ୍ଥା ବର୍ଣ୍ଣନାତୀତ ।

 

ଦେବ ଭାବେ ‘‘ଏକା ଥିଲି ବର୍ତ୍ତମାନ ହେବି ଦୁଇ । ଯେ ସ୍ତ୍ରୀ ହେବ ସେ କିପରି ଜାଣେ ନାହିଁ । ଯାହା ଉପରେ ଭବିଷ୍ୟତ ଜୀବନର ସୁଖ ଦୁଃଖ ଦାୟିତ୍ୱ ସମସ୍ତ ନିର୍ଭର କରେ ସେ ଯେବେ ମନୋମତ ନ ହୁଏ ତେବେ ଜୀବନଟି ଯେ କେଡ଼େ ଅଶାନ୍ତିମୟ ହେବ କି’ଏ ଜାଣେ ? ମୋହର ଗୋଟିଏ ଚିନ୍ତା ଥିଲା ବର୍ତ୍ତମାନ ହେଲା ଦୁଇ, ଏ ଗୁରୁଦାୟିତ୍ୱ ବହନ କରିବି କିପରି ? ଭଗବାନ ସହାୟ ।’’

 

ସମୟେ ସମୟେ ସେ ଭାବେ ‘‘ଦେବୀଙ୍କ ବାକ୍ୟ କି ମିଥ୍ୟା ହେବ ? ଏହା କେବେହେଁ ହୋଇ ନ ପାରେ । ଦେବୀ ମୋହର ମନୋବାଞ୍ଛା ପୂରଣ କରିବେ ନିଶ୍ଚୟ । ତାଙ୍କର ଦୟା ଅସୀମ ଓ ବର୍ଣ୍ଣନାତୀତ ।’’ ଉକ୍ତରୂପ ଚିନ୍ତା କରି ଦେବ କିଞ୍ଚିତ ଆଶ୍ୱସ୍ତ ହୁଏ ।

Image

 

ଅଷ୍ଟମ ପରିଚ୍ଛେଦ

ଶୁଭ ପରିଣୟ

 

ମହାଦେବବାବୁ ପୁତ୍ତ୍ରର ବିବାହ ଉପଲକ୍ଷରେ ବିଧିମତେ ଆୟୋଜନ ଅରମ୍ଭ କଲେ । ସେ ସଦା ମୁକ୍ତହସ୍ତ ତହିଁରେ ପୁଣି ଏକମାତ୍ର ପୁତ୍ତ୍ରର ବିବାହ । ଏହି ଶୁଭ ଉତ୍ସବରେ ମହାଦେବବାବୁ ଯେ ବିଶେଷ ଆୟୋଜନ କରିବେ ଏହା କହିବା ବାହୁଲ୍ୟ ମାତ୍ର ।

 

ମହାଦେବବାବୁ ଦୂରସ୍ଥିତ ବନ୍ଧୁ ବାନ୍ଧବ, ଆତ୍ମୀୟ, କୁଟୁମ୍ବ କି ଧନୀ କି ଦରିଦ୍ର ସମସ୍ତଙ୍କୁ ଶୁଭବିବାହ ଉତ୍ସବରେ ଯୋଗ ଦେବା ନିମିତ୍ତ ନିମନ୍ତ୍ରଣ କରି ପଠାଇଲେ । ଦିନ ଥାଉଁ ଥାଉଁ ସମସ୍ତଙ୍କ ନିକଟ ଉକ୍ତ ସଂବାଦ ପହଞ୍ଚିଲା । ସମସ୍ତେ ଆପଣା ଆପଣା ଘରର ବନ୍ଦୋବସ୍ତ କରି ଉତ୍ସବରେ ଯୋଗ ଦେବା ନିମିତ୍ତ ପ୍ରସ୍ତୁତ ହେବାକୁ ଲାଗିଲେ ।

 

ଏଣେ ଆଗନ୍ତୁକମାନଙ୍କର ଯଥୋଚିତ ଅଭ୍ୟର୍ଥନା ଓ ପରିଚର୍ଯ୍ୟା ନିମିତ୍ତ ମହାଦେବବାବୁ ବିଶେଷ ବନ୍ଦୋବସ୍ତ କଲେ । ସେ ପ୍ରତ୍ୟେକ ବିଷୟରେ ଦୁର୍ଗାବାବୁଙ୍କ ପରାମର୍ଶମତେ କାର୍ଯ୍ୟ କରିବାକୁ ଲାଗିଲେ । ସମସ୍ତଙ୍କୁ ସନ୍ତୁଷ୍ଟ କରିବି ଏପରି ଆନ୍ତରିକ ଉଚ୍ଛା ଥିଲେ ଭଗବାନ ସହାୟ ହୁଅନ୍ତି । ମହାଦେବବାବୁ ବିନୀତ ଭାବରେ ସମସ୍ତଙ୍କ ସାହାଯ୍ୟ ପ୍ରାର୍ଥନା କଲେ ଓ ସମସ୍ତେ ସର୍ବାନ୍ତଃକରଣରେ ଉକ୍ତ ଶୁଭକାର୍ଯ୍ୟରେ ତାଙ୍କୁ ସାହାଯ୍ୟ ମଧ୍ୟ ଦେଲେ ।

 

ବିବାହ ପୂର୍ବରୁ ବନ୍ଧୁ ବାନ୍ଧବ ସମସ୍ତେ ତାଙ୍କ ଘରଠାରେ ସମବେତ ହେଲେ । ସେ ମଧ୍ୟ ସମସ୍ତଙ୍କର ଭୋଜନାଦିର ରୀତିମତ ବନ୍ଦୋବସ୍ତ କରି ସମସ୍ତଙ୍କୁ ତୃପ୍ତ କଲେ । ବନ୍ଧୁମାନେ କୌଣସି ବିଷୟର ଅଭାବ ବୋଧ କଲେ ନାହିଁ । ଯେ ଯାହାର ଇଚ୍ଛାନୁଯାୟୀ ଆମୋଦ ପ୍ରମୋଦ କରିବାକୁ ଲାଗିଲେ । ମହାଦେବବାବୁ ଏ ବିଷୟରେ ମୁକ୍ତହସ୍ତ । ଚତୁର୍ଦ୍ଦିଗରେ ଆନ୍ଦର ସ୍ରୋତ ପ୍ରବାହିତ ହେବାକୁ ଲାଗିଲା । ପିଲାମାନେ ଆପଣା ଆପଣା ଆମୋଦ ପ୍ରମୋଦରେ ମତ୍ତ, ଯୁକ୍ତମାନେ ଆପଣା ଆପଣା ସଙ୍ଗୀମାନଙ୍କ ସହିତ ଆମୋଦରେ ମତ୍ତ ଓ ସ୍ତ୍ରୀଲୋକମାନେ ମଧ୍ୟ ଆପଣା ଆପଣା ଇଚ୍ଛାନୁଯାୟୀ ଆନନ୍ଦକୋଳାହଳରେ ପ୍ରବୃତ୍ତ ହେଲେ । ସେ ଏକ ଅପୂର୍ବ ଦୃଶ୍ୟ !

 

ଉକ୍ତ ଶୁଭଉତ୍ସବ ଉପଲକ୍ଷରେ ଦେଉଳମାନଙ୍କରେ ମଧ୍ୟ ଦେବାର୍ଚ୍ଚନାର ବିଶେଷ ଆୟୋଜନ ହୋଇଥିଲା । ମାତା ଗୌରୀଙ୍କଠାରେ ଯେ ବିଶେଷଭାବେ ପୂଜାର ବ୍ୟବସ୍ଥା ହୋଇଥିଲା । ଏହା କହିବା ବାହୁଲ୍ୟ ମାତ୍ର । ମହାଦେବବାବୁ ଦେବତାଙ୍କ ଆଶୀର୍ବାଦ ଲାଭ କରିବା ନିମିତ୍ତ ବିଶେଷ ଯତ୍ନବାନ ହେଲେ । ସେ ଗୋଟିଏ ପୁରାତନ ଦେଉଳର ଜୀର୍ଣ୍ଣସଂସ୍କାର ମଧ୍ୟ କରାଇଦେଲେ । ମହାଦେବବାବୁଙ୍କ ନାମ ଚତୁର୍ଦ୍ଦିଗରେ ପ୍ରଚାରିତ ହେଲା । ସମସ୍ତେ ତାଙ୍କୁ ଧନ୍ୟ ଧନ୍ୟ କରିବାକୁ ଲାଗିଲେ ।

 

ଗରିବ ଦୁଃଖୀମାନେ ବାକୀ ରହିବେ ବା କାହିଁକି ? ସେମାନଙ୍କୁ ମଧ୍ୟ ଭଲରୂପେ ଭୋଜନ ଦିଆଗଲା ଓ ବସ୍ତ୍ର ବିତରଣ କରାଗଲା । ଭୋଜନାନ୍ତେ ସମସ୍ତେ ‘ମଙ୍ଗଳ ହେଉ ’ ବୋଲି ଚିତ୍କାର କରି ପ୍ରସ୍ଥାନ କଲେ ।

 

ମହାଦେବବାବୁଙ୍କ ଗୃହ ଯେପରି ସ୍ୱର୍ଗରାଜ୍ୟରେ ପରିଣତ ହେଲା । ସେଠାରୁ ଦୁଃଖ, ଶୋକ, ତାପ ଅନ୍ତର୍ହିତ ହେଲା ପ୍ରାୟ ବୋଧ ହେଲା । ଚତୁର୍ଦ୍ଦିଗରେ ଶାନ୍ତି ବିରାଜିତ ହେଲା ।

 

ଆମୋଦ ପ୍ରମୋଦ ଶେଷ ହେଲାପରେ ଶୁଭ ଏକାଦଶୀ ତିଥିରେ ମହାଦେବବାବୁ ଆଡ଼ମ୍ବର ସହିତ ଭୁବନେଶ୍ୱର ଯାତ୍ରା ନିମିତ୍ତ ପ୍ରସ୍ତୁତ ହେବାକୁ ଲାଗିଲେ । ବହୁମୂଲ୍ୟ ବେଶଭୂଷାରେ ବରକୁ ସଜ୍ଜିତ କରାଇ ସେ ଶୋଭାଯାତ୍ରା କଲେ। ଶୋଭାଯାତ୍ରା ଅତ୍ୟନ୍ତ ନୟନ ତୃପ୍ତିକର ହେଲା ଓ ସେଥିରେ ସମସ୍ତେ ଯୋଗଦେଲେ । ବାଦ୍ୟଯନ୍ତ୍ରର ସୁମଧୁର ସ୍ୱର ସମସ୍ତଙ୍କୁ ମତାଇଲା । ମହା ଆନନ୍ଦରେ ବରଯାନ୍ତ୍ରୀମାନେ ଯାତ୍ରା କଲେ । ସନ୍ଧ୍ୟାସମୟରେ ସମସ୍ତେ କେଦାରଗୌରୀଙ୍କଠାରେ ଉପସ୍ଥିତ ହେଲେ । ମହାଦେବବାବୁ ପୁତ୍ତ୍ରକୁ ଗୌରୀମାତାଙ୍କୁ ଦର୍ଶନ କରିବା ନିମିତ୍ତ ପଠାଇଲେ । ଦେବ ମାତାଙ୍କ ନିକଟ ଉପସ୍ଥିତ ହେଲା ଓ ତାଙ୍କର ଅଲୌକିକ ରୂପ ଦେଖି ସ୍ତମ୍ଭିତ ହେଲା । ସେ ଦେଖିଲା ସ୍ୱପ୍ନସ୍ଥ ଦେବୀ ସମ୍ମୁଖରେ ବିରାଜମାନ । ଦେବୀଙ୍କୁ ଦର୍ଶନ ମାତ୍ରକେ ତାହା ମନରେ ଅପାର ଆନନ୍ଦ ଜାତହେଲା ଦେବର ଚିନ୍ତା ଦୂରହେଲା ଦେବ ଆନନ୍ଦରେ ଅଧୀର ହୋଇ ଦେବୀଙ୍କ ଚରଣପ୍ରାନ୍ତେ ପଡ଼ି କେତେ ଯେ ପ୍ରାର୍ଥନା କଲା କିଏ ଅବା କହିପାରିବ ? ଦେବୀ ମଧ୍ୟ ସ୍ଥିର ରହିବେ କିପରି ? ସେ ଆନନ୍ଦରେ ଅଧୀରା ହେଲେ ଓ ଆପଣା ଦେହରୁ ପୁଷ୍ପବୃଷ୍ଟି କରି ମନୋବାଞ୍ଛା ପୂରଣର ସଙ୍କେତ ଦେଲେ ।

 

ଦେବୀଙ୍କଠାରୁ ଆଶୀର୍ବାଦ ଘେନି ବର ପୁଣି ଯାତ୍ରା କଲେ । ବରଯାତ୍ରିମାନେ ଯଥାସମୟରେ ଗୋପାଳବାବୁଙ୍କ ଘରଠାରେ ପହଞ୍ଚିଲେ । ଗୋପାଳବାବୁ ଦେବେନ୍ଦ୍ରକୁ ଦେଖି ଅତ୍ୟନ୍ତ ଆନନ୍ଦିତ ହେଲେ ଓ ସମସ୍ତଙ୍କୁ ବିଧିମତେ ଅଭ୍ୟର୍ଥନା କରି ଘରକୁ ନେଲେ । କିଛି ସମୟ ବିଶ୍ରାମ କଲାପରେ ଶୁଭଲଗ୍ନ ଉପସ୍ଥିତ ହେଲା । ଗୋପାଳବାବୁ ସଯତ୍ନରେ ବରକୁ ବିବାହ ବେଦୀକୁ ଘେନି ଗଲେ ।

 

ବିବାହବେଦୀ ଅତି ସୁନ୍ଦର ଭାବରେ ସଜ୍ଜିତ ହୋଇଥିଲା ତହିଁରେ ପୁଣି ମହାଦେବବାବୁଙ୍କ ମନୋନୀତ ଗ୍ୟାସାଲୋକରେ ଚତୁର୍ଦ୍ଦିଗ ଆଲୋକିତ ହୋଇ ଏକ ଅପୂର୍ବ ଦୃଶ୍ୟ ଧାରଣ କରିଥିଲା । ଦେବ ଏହାଦେଖି ଅବାକ୍ ! ବେଦୀର ଚତୁର୍ଦ୍ଦିଗରେ ଦାନ ସାମଗ୍ରୀ ପରିପୂର୍ଣ୍ଣ । ବେଦୀ ସମ୍ମୁଖରେ ବିଗ୍ରହମୂର୍ତ୍ତି ବିରାଜମାନ ଓ ପୁରୋହିତ ମଧ୍ୟ ଉପସ୍ଥିତ । ଚତୁର୍ଦ୍ଦିଗ ଲୋକ ପରିପୂର୍ଣ୍ଣ । ବାଦ୍ୟଯନ୍ତ୍ରର ସୁମଧୁର ତାନରେ ସମସ୍ତେ ଆତ୍ମହରା । ସେ ଏକ ଅପୂର୍ବ ସଂଯୋଗ । ଭଗବାନଙ୍କ ମହିମା କିଏ ବୁଝିପାରିବ ? ଶୁଭକ୍ଷଣରେ ଶଙ୍ଖଧ୍ୱନି ଓ କୂଳକାମିନିମାନଙ୍କ ହୁଳହୁଳି ଶ୍ରୁତିଗୋଚର ହେଲା ଓ ସୁସଜ୍ଜିତ କନ୍ୟା ବେଦୀ ନିକଟକୁ ଆନୀତ ହେଲା । ଦେବର ମନ ମଧ୍ୟରେ ଯେ ଆନ୍ଦୋଳନ ଉପସ୍ଥିତ ହେଲା ଏହା ପାଠକ ପାଠିକାମାନେ ଅନୁଭବ କରୁଥିବେ । ‘‘ଏହି ବାଳିକା କି ସେହି ନରାଜ ପର୍ବତସ୍ଥ ବାଳିକା ନା କ’ଣ ?’’ କ୍ରମେ ବିବାହ କାର୍ଯ୍ୟ ଆରମ୍ଭ ହେଲା । ପୁରୋହିତ ମନ୍ତ୍ରପାଠ କରିବାକୁ ଲାଗିଲେ । ଦେବ ମନ୍ତ୍ରପାଠ କରୁ କରୁ ଏକ ଅପୂର୍ବ ବନ୍ଧନରେ ଆବଦ୍ଧ ହେଲା । ଏହା କି ବନ୍ଧନ ? –ମାୟା–ସଂସାର ବନ୍ଧନ । କ୍ରମେ ବିଧିମତେ ସମସ୍ତ କାର୍ଯ୍ୟ ହେଉଁ ହେଉଁ ଦେବ ବିମଳାର ମୁଖଦର୍ଶନ ମାତ୍ରକେ ସ୍ତମ୍ଭିତ ହେଲା । ‘‘ଯାହାକୁ ମୁଁ ନରାଜଠାରେ ଦେଖିଥିଲି ସେହି ବିମଳା ! ଯେ ବିମଳାକୁ ମୁଁ ଅଜ୍ଞାତସାରରେ ମନପ୍ରାଣ ସମର୍ପଣ କରି ଥିଲି ସେହି ସରଳା ପତ୍ନୀରୂପେ ବରିତା !’’ ବିମଳାହିଁ ଯେ ସ୍ୱପ୍ନୋକ୍ତ ବାଳିକା ଏହା ତାହାର ବର୍ତ୍ତମାନ ସ୍ପଷ୍ଟରୂପେ ବିଶ୍ୱାସ ହେଲା ।

 

ତାହାର ପୂର୍ବବାଞ୍ଛିତ ବିମଳାକୁ ଅର୍ଦ୍ଧାଙ୍ଗିନୀରୂପେ ପ୍ରାପ୍ତହୋଇ ଦେବ ନିଜକୁ ଧନ୍ୟ ମନେ କଲା । ତାହାର ବହୁଦିନର ଦୁଃଶ୍ଚିନ୍ତା କ୍ଷଣକ ମଧ୍ୟରେ ଅନ୍ତର୍ହିତ ହେଲା । ସେ ଅନ୍ତଃକରଣରେ ଅପୂର୍ବ ଆନନ୍ଦ ଅନୁଭବ କରିବାକୁ ଲାଗିଲା । ସ୍ନେହଲତିକା ବିମଳା ମଧ୍ୟ ସଂସାର ସାଗରରେ ଦେବକୁ ଆଶ୍ରୟସ୍ୱରୂପ ପାଇ ମହା ଆନନ୍ଦିତ ହେଲା ।

 

ଦେବ ବର୍ତ୍ତମାନ ଦେବୀଙ୍କର ଆଶ୍ୱାସବାଣୀ ସମ୍ପୂର୍ଣ୍ଣରୂପେ ହୃଦୟଙ୍ଗମ କରିବାକୁ ସକ୍ଷମ ହେଲା । ସେ ଅଲକ୍ଷିତଭାବରେ ଅଶ୍ରୁ ବିସର୍ଜନ କରି ଆପଣାର ହୃଦୟର କୃତଜ୍ଞତା ଦେବୀଙ୍କଠାରେ ଜଣାଇଲା । ଗୌରୀ ମାତା ଯେ ସାକ୍ଷାତ ଦେବୀ ଏହା ତାହାର ଦୃଢ଼ ବିଶ୍ୱାସ ହେଲା ମାନବ ଏହା ବିଶ୍ୱାସ ନ କରି କି ରହିପାରେ ?

 

ଦେବ ଓ ବିମଳାକୁ ଏକତ୍ର ଦେଖି ମହାଦେବବାବୁ ଓ ଗୋପାଳ ବାବୁ ଆପଣା ଆପଣାକୁ ଧନ୍ୟ ମଣିଲେ । ପରିବାରବର୍ଗଙ୍କ ମଧ୍ୟରେ ମଧ୍ୟ ଆନନ୍ଦର ସୀମା ରହିଲା ନାହିଁ ।

Image

 

ନବମ ପରିଚ୍ଛେଦ

ସଖାଦ୍ୱୟ–ସତ୍ୟ ଓ ହରି

 

ବର୍ତ୍ତମାନ ଦେବର ବିବାହ ହୋଇଅଛି । ସେ ଏକା ଥିଲା ଦୁଇ ହୋଇଅଛି । ତାହାର ଗୋଟାଏ ପେଟ ଥିଲା ବର୍ତ୍ତମାନ ଯୋଡ଼ାଏ ହୋଇଅଛି । ବିବାହ ସଙ୍ଗେ ସଙ୍ଗେ ତାହାର ଦାୟିତ୍ୱ ବୃଦ୍ଧି ହୋଇଅଛି, ତାହାର ମାନସିକ ଚିନ୍ତା ମଧ୍ୟ ଦ୍ୱିଗୁଣିତ ହୋଇଅଛି, ମାତ୍ର ସୁଖ ଦୁଃଖରେ ସହାନୁଭୂତି ଦେଖାଇବା ନିମିତ୍ତ ସେ ଜଣେ ଲୋକ ପାଇଅଛି ।

 

ଦେବର ସହପାଠୀମାନେ ଏହି ଉତ୍ସବରେ ଆନ୍ତରିକ ଯୋଗଦାନ ଦେଇଅଛନ୍ତି । ସେମାନେ କନ୍ୟା ଦେଖି ଆନନ୍ଦିତ ହୋଇ ଅଛନ୍ତି । ସେମାନେ ଆପଣା ଆପଣା ଇଚ୍ଛାମତ ଆମୋଦ ପ୍ରମୋଦ ହାସ୍ୟ କୌତୁକରେ ସମୟ କଟାଉ ଅଛନ୍ତି । ସେମାନଙ୍କ ଆନନ୍ଦ ଉତ୍ସବରେ ବାଧା ଦେବା ମନୁଷ୍ୟର ଅସାଧ୍ୟ । ଦେବର ସହପାଠୀମାନଙ୍କ ମଧ୍ୟରେ ସତ୍ୟ ଓ ହରି ଦୁଇଜଣ ପ୍ରଧାନ ଅର୍ଥାତ୍ ଦୁହେଁ ବହୁଦିନରୁ ଏକସଙ୍ଗରେ ପଢ଼ି ଆସୁଅଛନ୍ତି । ଏମାନେ ଦେବର ଅନ୍ତରଙ୍ଗ କହିଲେ ଅତ୍ୟୁକ୍ତି ହେବ ନାହିଁ । ଦୁହେଁ ଦେବକୁ ଘେନି ନାନାଦି କୌତୁକ ଆରମ୍ଭ କରିଅଛନ୍ତି ଏହା ସ୍ୱାଭାବିକ । ଏଠାରେ ତାହାର କିଞ୍ଚିତ ଆଭାସ ପାଠକ ପାଠିକା ମାନଙ୍କୁ ନ ଦେଇ ମୁଁ ରହିପାରୁ ନାହିଁ ।

 

ସତ୍ୟ–ହଁ, ହେଭାଇ, ତୁମ୍ଭେ ବାହା ହେବନାହିଁ କହିଥିଲ ପରା, ଏ କ’ଣ ହେଲା ?

 

ହରି–ଦେବ ଗୋଟାଏ ଭୁଲ କରିପକାଇ ଅଛି । ଭୁଲତ ସମସ୍ତଙ୍କର ହୋଇଥାଏ ।

 

ସତ୍ୟ–ନା, ସେ ନିଜେ ବାହା ହୋଇନାହିଁ ଆମ୍ଭମାନଙ୍କ ପାଇଁ କରିଅଛି ।

 

ହରି–ହଁ ଭାଇଦେବ ! ଏତେଦିନର ପ୍ରତିଜ୍ଞା କି ରୂପେ ପାସୋରିଲ ? ବିମଳାର ଗୁଣରେ ପାସୋରିଲ ବୋଧହୁଏ ?

 

ସତ୍ୟ–ଦେବର କଥା ଛାଡ଼, ଆମ୍ଭେମାନେ ମଧ୍ୟ ବର୍ତ୍ତମାନ ଘରଦୁଆର, ସ୍ତ୍ରୀ ପୁତ୍ତ୍ର ସବୁ ପାସୋରୀ ଯାଇଅଛୁଁ ।

 

ହରି–ଭାଇ ଦେବ, ବର୍ତ୍ତମାନ ତୁମ୍ଭର ଛାତ୍ରାବସ୍ଥା ଗଲା ତୁମ୍ଭେ ସଂସାରଧର୍ମ ଅବଲମ୍ୱନ କଲ ।

 

ଦେବ–ଜୀବ ଈଶ୍ୱରଙ୍କ ଅଧୀନ । ଆମ୍ଭମାନଙ୍କର ଉପାୟ କ’ଣ ? ଭଗବାନଙ୍କ ଇଚ୍ଛା ପୂର୍ଣ୍ଣହେବ ।

 

ସତ୍ୟ–ଦେଖ, ଦିନକ ମଧ୍ୟରେ ଦେବର ମନଭାବ ବଦଳି ଗଲାଣି । ଯା କଥା ତାହା ମୁଁହରୁ କେବେ ହଁ ଶୁଣାଯାଇ ନଥିଲା ତାହା ବର୍ତ୍ତମାନ ଶୁଣାଗଲା ।

 

ହରି–ଆହୁରି କେତେ ନୂଆ ନୂଆ କଥା ଶୁଣିବ ଅପେକ୍ଷା କର ।

 

ସତ୍ୟ–ବର୍ତ୍ତମାନ ତୁମ୍ଭେ ଯେପରି ଶାନ୍ତିରେ ସଂସାରଧର୍ମ ନିର୍ବାହ କର ଏତି କି ଆମ୍ଭମାନଙ୍କର ପ୍ରାର୍ଥନା ।

 

ହରି–ଭାଇ ଦେବ, ଭାବନା କ’ଣ ? ଏହି ସଂସାର ପାରିହେବାକୁ ତୁମ୍ଭେତ ଜଣେ ସାହାଯ୍ୟ କାରୀ ପାଇଲ । ଭଗବାନ ତୁମ୍ଭଙ୍କୁ ଉପଯୁକ୍ତ ଲୋକ ଦେଇଅଛନ୍ତି । ଆମ୍ଭମାନଙ୍କର ଆଉ କୌଣସି ଚିନ୍ତା ନାହିଁ । ସତ୍ୟ–ଏତେଦିନ ଆମ୍ଭେମାନେ ତୁମ୍ଭକୁ ସୁଖ ଦୁଃଖରେ ସହାନୁଭୂତି ଦେଖାଉଥିଲୁଁ ବର୍ତ୍ତମାନ ଆମ୍ଭଠାରୁ ଅଧିକ ସହାନୁଭୂତି ଦେଖାଇବାର ଲୋକ ତୁମ୍ଭେ ପାଇଲ ।

 

ଦେବ–ଭାଇ, ତୁମ୍ଭମାନଙ୍କ ସହାନୁଭୂତିଠାରୁ ଅଧିକ ପରିମାଣରେ ସହାନୁଭୂତି ପାଇବି ଏହା କେବେହେଁ ମନେକର ନା । ତୁମ୍ଭମାନଙ୍କର ବାତ୍ସଲ୍ୟ, ଉପକାର, ସତ୍‍ପରାମର୍ଶ ଜୀବନରେ ଭୁଲିପାରିବି ନାହିଁ । ତୁମ୍ଭେମାନେ ମୋତେ କିଣି ପକାଇଅଛ, ଅଧିକ କ’ଣ କହିବି । ତୁମ୍ଭେମାନେ ଏପରି କହି ମୋହ ମନରେ କଷ୍ଟ ଦିଅ ନା ।

 

ହରି–ତୁମ୍ଭେ ବର୍ତ୍ତମାନ ନୂତନ ଜୀବନ ଲାଭ କରିଅଛ, ଆଶାକରୁଁ ଅତି ସୁଖରେ ଜୀବନଯାପନ କରି ଆମ୍ଭମାନଙ୍କୁ ଅଧିକ ସୁଖୀ କରାଇବ ।

 

ସତ୍ୟ–ଆମ୍ଭେମାନେ ତୁମ୍ଭର ବର୍ତ୍ତମାନ ଅବସ୍ଥାକୁ ହିଂସାକରୁ ନାହୁଁ । ଆମ୍ଭମାନଙ୍କର ଇଛା ଯେ ତୁମ୍ଭେ ବର୍ତ୍ତମାନ ଆମ୍ଭମାନଙ୍କୁ ଏକାବେଳେକେ ଭୁଲିଯାଇ ସମୁଦାୟ ଅନ୍ତଃକରଣର ସହିତ ବିମଳାକୁ ଭଲ ପାଅ ଏଥିରେ ଆମ୍ଭମାନଙ୍କର କୌଣସି ଦୁଃଖ ନାହିଁ ।

 

ହରି–ଭାଇ ଦେବ, ଶ୍ରୀ ରସିକରାୟଙ୍କଠାରେ ଆମ୍ଭମାନଙ୍କର ଆହୁରି ଗୋଟାଏ ପ୍ରାର୍ଥନା ଯେ ତୁମ୍ଭେ ଶୀଘ୍ର ଗୋଟିଏ ସୁପୁତ୍ତ୍ର ଲାଭ କରି ଆପଣା ବଂଶର ମୁଖ ଉଜ୍ଜ୍ୱଳ କର ।

 

ସତ୍ୟ–ଭଗବାନ ଆମ୍ଭମାନଙ୍କ ପ୍ରାର୍ଥନାରେ ନିଶ୍ଚୟ କର୍ଣ୍ଣପାତ କରିବେ ।

 

ଦେବ–ଭଗବାନ ମାତ୍ର ଭରସା । ତୁମ୍ଭମାନଙ୍କ ସହିତ ମୋହର ପୂର୍ବପରି ସଦ୍ଭାବ ଅକ୍ଷୁଣ୍ଣ ଥାଏ ଯେପରି ତହିଁର କିଛିମାତ୍ର ବ୍ୟତିନ୍ତ୍ରମ ନ ହୁଏ ଏହାହିଁ ମୋହର ଏକମାତ୍ର ପ୍ରାର୍ଥନା ।

Image

 

ଦଶମ ପରିଚ୍ଛେଦ

ବିପଦର ସୂତ୍ରପାତ

 

ବିବାହ କାର୍ଯ୍ୟଟି ସୁଶୃଙ୍ଖଳାରେ ସମ୍ପନ୍ନ ହେଲା । ମହାଦେବବାବୁ ବରକନ୍ୟାଙ୍କୁ ଘେନି ଗୃହକୁ ଆସିଲେ । ନବଦମ୍ପତିଙ୍କୁ ଦେଖି ସମସ୍ତେ ନୟନ ତୃପ୍ତ କଲେ । ମହାଦେବବାବୁ ଜୀବନର ଗୋଟିଏ ପ୍ରଧାନକାର୍ଯ୍ୟ ସମ୍ପାଦନ କରି ପରମତୃପ୍ତି ଲାଭକଲେ । ନବବଧୂ ଆସିଲାରୁ ମହାଦେବବାବୁଙ୍କ ଗୃହରେ ଆନନ୍ଦ କୋଳାହଳ ଦ୍ୱିଗୁଣିତ ହେଲା ବିମଳ ସେବାଦିକରି ଗୁରୁଜନମାନଙ୍କର ପ୍ରୀତିଭୋଜନ ହେଲା । ନବବଧୂକୁ ପାଇ ସମସ୍ତେ ଆଶାତୀତ ଆନନ୍ଦଲାଭ କଲେ। କ୍ରମେ ସେ ପ୍ରତିବେଶୀମାନଙ୍କର ମଧ୍ୟ ଆଦରର ପାତ୍ରୀ ହୋଇପଡ଼ିଲା । ତାହା ଗୁଣରେ ସମସ୍ତେ ଗୌରବାନ୍ୱିତ ହେଲେ । ବିମଳା ସମସ୍ତଙ୍କର ମନହରଣ କରି ସମସ୍ତଙ୍କୁ ସନ୍ତୁଷ୍ଟ କଲା । ଶଶୁର, ଶାଶୁ ଓ ପରିବାରବର୍ଗସ୍ଥ ସମସ୍ତେ ଆପଣା ଆପଣାକୁ ଭାଗ୍ୟବାନ ମଣିଲେ-। ବିମଳାର ସୁନାମ ଚତୁର୍ଦ୍ଦିଗରେ ବ୍ୟାପ୍ତହେଲା । ସମସ୍ତେ ଏକବାକ୍ୟରେ ତାହାର ପ୍ରଶଂସା କରିବାକୁ ଲାଗିଲେ-

 

ଚିରଦିନ କେବେହେଁ ସମାନ ଯାଏ ନା । ଏତେ ଆନନ୍ଦ କେବେହେଁ ଚିରଦିନ ରହେ ନା-। ପୃଥିବୀର କୌଣସି ବସ୍ତୁ ଚିରସ୍ଥାୟୀ ନୁହେଁ । ବିମଳାର ସୁନାମ କେବେହେଁ ଚିରଦିନ ସ୍ଥାୟୀ ହୋଇ ନ ପାରେ । ଏ ସଂସାରରେ ଭଲ ମନ୍ଦ ଉଭୟ ଅଛି । ଏଠାରେ ଭଲଲୋକ ଅଛନ୍ତି ଓ ମନ୍ଦଲୋକ ମଧ୍ୟ ଅଛନ୍ତି । କ୍ରମେ ବିମଳାର ପ୍ରଶଂସା କାହାରି କାହାରି କର୍ଣ୍ଣଶୂଳ ହୋଇ ପଡ଼ିଲା । ତାହାର ଏତେ ସୁଖ୍ୟାତି ଲାଭରେ କେହି କେହି ଈର୍ଷାନ୍ୱିତ ହୋଇ ପଡ଼ିଲେ ।

 

ବନ୍ଧୁ, ବାନ୍ଧବ ପ୍ରତିବେଶୀମାନଙ୍କ ମଧ୍ୟରେ ଯେଉଁମାନେ କେବେହେଁ ସୁନାମ ଲଭି ନାହାନ୍ତି, ଯେଉଁମାନେ ଭଲ ବୋଲି କେବେହେଁ ସୁଖ୍ୟାତି ପାଇ ନାହାନ୍ତି, ଯେଉଁମାନଙ୍କର ଗୁଣର ପରିଚୟ ଆଦୌ ମିଳି ନାହିଁ ସେମାନେ କିପରି ଅନ୍ୟର ଏତେଦୂର ସନ୍ମାନ, ପ୍ରଶଂସା ସହ୍ୟ କରିପାରିବେ ? ଏହା ମନୁଷ୍ୟର ସ୍ୱଭାବ । ଏହି ସ୍ୱଭାବ ଯୋଗୁଁ ମନୁଷ୍ୟ ଭଗବାନଙ୍କ ନିକଟରୁ ଦୂରେ ନିକ୍ଷିପ୍ତ ଓ ଅଭିଶପ୍ତ । ପରର ଭଲ ସମସ୍ତେ ଦେଖି ପାରନ୍ତି ନାହିଁ । ଅନ୍ୟର ଭଲଶୁଣିଲେ ଅନେକଙ୍କର ଗାତ୍ରଜ୍ୱାଳା ଉପସ୍ଥିତ ହୁଏ । ଧନ୍ୟ ଭଗବାନଙ୍କ ସୃଷ୍ଟି !

 

ବିମଳାର ପ୍ରଶଂସା ଆଉ ଲୋକେ କେତେ ସହ୍ୟ କରିବେ ! କେହି କେହି ତାହାର କାର୍ଯ୍ୟର ପ୍ରତିବାଦ ଆରମ୍ଭ କଲେ। କ୍ରମେ ତାହାର ଦୋଷ ଅନ୍ୱେଷଣରେ ସେମାନେ ବନ୍ଧ ପରିକର ହେଲେ । ଦୋଷ ବା ପାଇବେ କୁଆଡ଼ୁ ? କ୍ରମେ ଗୋଟାଏ ପଞ୍ଝା ମିଳି ବିମଳାର ଅଯଥା ଦୋଷ ପ୍ରଦର୍ଶନ କରିବାରେ ମତ୍ତ ହେଲେ । ବିମଳାର ନିନ୍ଦାବାଦ କରି ପାରିଲେ ସେମାନେ ସୁଖ ଭୋଗ କରିବାକୁ ଲାଗିଲେ । କ୍ରମେ ସେମାନେ କୌଶଳଦ୍ୱାରା ବିମଳାର ହିତାକାଙ୍କ୍ଷୀରୂପେ ପରିଚିତ ହୋଇ ତାକୁ କୁପରାମର୍ଶଦ୍ୱାରା ଅସତ୍ ପଥରେ ଚାଳିତ କରିବାର ଚେଷ୍ଟା କରିବାକୁ ଲାଗିଲେ । ଏତେ ଷଡ଼ଯନ୍ତ୍ର କରି ମଧ୍ୟ ବିମଳାର ମନକୁ କେହି ବଦଳାଇ ପାରିଲେ ନାହିଁ । ବିମଳା ସେମାନଙ୍କ ପରାମର୍ଶରେ ଚାଳିତ ନ ହେବାରୁ ସେମାନଙ୍କର ଅଧିକ କୋପର କାରଣ ହେଲା । ବିମଳା ଘୋର ବିପଦରେ ପଡ଼ି ମଧ୍ୟ ଅଟଳ ରହିଲେ । ଧନ୍ୟ ନାରୀ ! ଭଗବାନ ତୁମ୍ଭର ସାହାୟ ।

 

କ୍ରମେ ବିମଳାର ଅଯଥା ଦୁର୍ନାମ, ଅଖ୍ୟାତି ଶଶୁର ଶାଶୁ ଓ ସ୍ୱାମୀଙ୍କ ମଧ୍ୟ କର୍ଣ୍ଣଗୋଚର ହେଲା । ଭଗବାନ କି ନାହାନ୍ତି ? ସତ୍ୟକଥା କି କେବେ ହଁ ଲୁଚାଇ ହୁଏ ? ସତ୍ୟ ଘଟନା ପ୍ରକାଶ ହେଲା କ୍ରମେ ଅସତ୍ ବ୍ୟକ୍ତିମାନଙ୍କର ଷଡ଼ଯନ୍ତ୍ର ପ୍ରକାଶିତ ହୋଇ ପଡ଼ିଲା । ସମସ୍ତେ ମର୍ମ୍ମାହତ ହେଲେ ।

 

ସରଳା ବାଳିକା ସାଂସାରିକ କୁଟବୁଦ୍ଧିର ଆଭାସ ମଧ୍ୟ ଏତେଦିନ ପାଇ ନଥିଲା । ଦୁଷ୍ଟଲୋକେ ନବଦମ୍ପତି ମଧ୍ୟରେ ମନୋମାଳିନ୍ୟର ଚେଷ୍ଟା ମଧ୍ୟ କରିବାକୁ ନ୍ତ୍ରୁଟି କରି ନ ଥିଲେ । ସରଳା ବାଳିକାକୁ ସ୍ୱାମୀର ଚକ୍ଷୁଃଶୁଳ କରିବାକୁ ବିଶେଷଚେଷ୍ଟା ହୋଇଥିଲା । ମାତ୍ର ଭଗବାନଙ୍କ କୃପାରୁ ବିମଳା ଏ ବିପଦରୁ ରକ୍ଷା ପାଇଲା ।

 

ହିଂସାଦ୍ୱାରା ଏ ସଂସାରରେ କେତେ ଅନିଷ୍ଟ ଘଟିପାରେ ପାଠକ ପାଠିକାମାନେ ଏହାର ଜ୍ୱଳନ୍ତ ଦୃଷ୍ଟାନ୍ତ ସମ୍ମୁଖରେ ଦେଖୁ ଅଛନ୍ତି । ହିଂସାବିଷ ଆମ୍ଭମାନଙ୍କ ଶରୀରରେ ଥରେ ପ୍ରବେଶ କଲେ ଆଉ ରକ୍ଷା ନାହିଁ । ଏହା ମନୁଷ୍ୟକୁ ଏକାବେଳକେ ନାଶ କରି ପକାଏ ।

 

ସଦ୍ଗୁଣସମ୍ପନ୍ନା ବିମଳା ଅନେକଙ୍କର ଚକ୍ଷୁଃଶୂଳ ହୋଇ ପଡ଼ିଲା । ସେ ଅସତ୍ ପରାମର୍ଶକାରୀଙ୍କ ମତରେ ଚାଳିତ ହୋଇ ଥିଲେ ଆଉ ରକ୍ଷା ନଥିଲା, ତାହାର ସର୍ବନାଶ ହୋଇ ଥାନ୍ତା । ସେ ଶଶୁରାଳୟ ଓ ପିତ୍ରାଳୟରୁ ବିତାଡ଼ିତ ହୋଇ କି ଅସହ୍ୟ ଯନ୍ତ୍ରଣା ଭୋଗ କରି ଜୀବନ ଯାପନ କରିଥାନ୍ତା କି’ ଏ କହିବ ? ତାହାର ମନର ଶାନ୍ତି ଚିରଦିନ ନିମିତ୍ତ ଅନ୍ତର୍ହିତ ହୋଇଥାନ୍ତା । ସ୍ତ୍ରୀ ଲୋକମାନଙ୍କର ଜୀବନ କି ବିପଦସଙ୍କୁଳ ! ପ୍ରତି ପଦରେ ସେମାନଙ୍କର ସାବଧାନ ହେବା ଆବଶ୍ୟକ ନଚେତ୍ ସର୍ବନାଶ ଅନିବାର୍ଯ୍ୟ ।

 

ଦେବ ଉକ୍ତ ବିପଦର ଆଭାସ ପାଇ ମର୍ମାନ୍ତିକ ଯାତନା ଭୋଗ କଲା । ସେ ଏତେଦିନ ଏକାକୀ ଅତି ସୁଖରେ ଦିନ କଟାଉ ଥିଲା । ତାହାର କୌଣସି ଚିନ୍ତା ନଥିଲା । ବର୍ତ୍ତମାନ ସ୍ତ୍ରୀର ଭଲମନ୍ଦ ପାଇଁ ତାକୁ ସଦା ସତର୍କ ରହିବାକୁ ହେଲା । ସ୍ତ୍ରୀର ଦୋଷ ହେଲେ ତହଁର ଫଳ ତାକୁ ମଧ୍ୟ ଭୋଗ କରିବାକୁ ହେବ ଜାଣିପାରି ସେ ଅଧିକ ଚିନ୍ତିତ ହେଲା । ଭଗବାନ ଯେ ଗୁରୁ ଦାୟିତ୍ୱ ତାହା ଉପରେ ଅର୍ପଣ କରି ଅଛନ୍ତି ସେ କ୍ରମେ ଉପଲବ୍ଧି କରିବାକୁ ଲାଗିଲା ।

 

ଏଣୁକରି ଦେବ ସ୍ତ୍ରୀକୁ ବିଶେଷ ସାବଧାନ କରି ଦେଲା ଓ ଭବିଷ୍ୟତରେ ବନ୍ଧୁ ବାନ୍ଧବମାନଙ୍କ ସହିତ ବିଶେଷ ସାବଧାନରେ କାର୍ଯ୍ୟ କରିବାକୁ ଆଦେଶ ଦେଲା ।

Image

 

ଏକାଦଶ ପରିଚ୍ଛେଦ

କ୍ଷେନ୍ତ୍ରବାସ

 

ମହାଦେବବାବୁ ଲକ୍ଷ୍ମୀରୂପା ନବବଧୂକୁ ପାଇ ସମସ୍ତ କଷ୍ଟ ଭୁଲି ଗଲେ । ସେ ଗୃହକୁ ଆସିଲା ଦିନରୁ ମହାଦେବବାବୁଙ୍କର ଅଧିକରୁ ଅଧିକ ହେବାକୁ ଲାଗିଲା। ଲକ୍ଷ୍ମୀଦେବୀ ଯେପରି ତାଙ୍କ ଘରଠାରେ ନିଶ୍ଚଳା ହୋଇ ରହିଲେ । ଆୟ ସଙ୍ଗେ ସଙ୍ଗେ ମହାଦେବବାବୁଙ୍କର ଦାନ ମଧ୍ୟ ବୃଦ୍ଧି ହେଲା । ଦେବ ପ୍ରତିଷ୍ଠା, ଜଳାଶୟ ଓ କୂପ ଖନନ, ସ୍କୁଲ ପ୍ରତିଷ୍ଠା, ସାହିତ୍ୟ ଚର୍ଚ୍ଚା, ଦାତବ୍ୟ ଚିକିତ୍ସାଳୟ ଇତ୍ୟାଦି ନାନାଦି ଦେଶହିତକର କାର୍ଯ୍ୟରେ ସେ ଅଜସ୍ର ଅର୍ଥବ୍ୟୟ କରିବାକୁ ଲାଗିଲେ-

 

ଏଣେ ମହାଦେବବାବୁଙ୍କ ସ୍ତ୍ରୀ ଗୁଣସମ୍ପନ୍ନା ପୁତ୍ତ୍ରବଧୂ ଉପରେ ସଂସାରର ଭାର ଦେଇ କିଞ୍ଚିତ ବିଶ୍ରାମ ନେଲେ । ବିମଳା ଯଥାସାଧ୍ୟ ଚେଷ୍ଟା କରି ପରିବାରବର୍ଗଙ୍କ ମନୋରଞ୍ଜନ କରିବାକୁ ଲାଗିଲା । ଅଳ୍ପବୟସ୍କା ବାଳିକା ହେଲେ ମଧ୍ୟ ସେ ଅଳ୍ପସମୟ ମଧ୍ୟରେ ନିଜଗୁଣରେ ସମସ୍ତଙ୍କୁ ଆପଣାର କରି ପକାଇଲେ । ସେ କୌଣସି ବିଷୟରେ ଆପଣାର ଦୋଷ ବୁଝି ପାରିଲେ ତତ୍‍କ୍ଷଣାତ ତାହାର ପ୍ରତୀକାର କରୁଥିଲା । ସୁତରାଂ କାହାରି କୌଣସି ବିଷୟରେ ପ୍ରତିବାଦ କରିବା ବା ଉପଦେଶ ଦେବାର ଆବଶ୍ୟକ ହେଉ ନଥିଲା । ଗୃହରେ ଶାନ୍ତି ବିରାଜିଲା । ରୋଗ, ଶୋକ ତାପ ଇତ୍ୟାଦି ଯେପରି ସେ ସ୍ଥାନ ଛାଡ଼ି ପଳାଇଲେ । ଯେ ଗୃହରେ ବିମଳା ଅଛି ସେଠାରେ ପୁଣି ଅଶାନ୍ତି କିପରି ରହିବ ?

 

ପିତାମାତା ବର୍ତ୍ତମାନ ସଂସାର ଝଞ୍ଜାରୁ କିଞ୍ଚିତ ବିଶ୍ରାମ ଲଭି ଅଛନ୍ତି ଜାଣିପାରି ଦେବ ଅଧିକ ଆନନ୍ଦିତ ହେଲା । ତାହାର ମାନସିକ ଚିନ୍ତା କେତେକ ପରିମାଣରେ ଦୂର ହେଲା । ପରିବାରବର୍ଗଙ୍କ ମୁଖରୁ ବିମଳାର ପ୍ରଶଂସା ଶୁଣି ସେ ଆଶ୍ୱସ୍ତ ହେଲା । ସେ ମାତା ଗୌରୀଙ୍କୁ ହୃଦୟର କୃତଜ୍ଞତା ଜଣାଇବାକୁ ଲାଗିଲା । ସେ ବର୍ତ୍ତମାନ ଗୌରୀଙ୍କକୃପା ସମ୍ପୂର୍ଣ୍ଣରୂପେ ହୃଦୟଙ୍ଗମ କରିବାକୁ ଲାଗିଲା । ଏଣୁକରି ପୂର୍ବସ୍ୱପ୍ନ ବୃତ୍ତାନ୍ତ ତାହା ହୃଦୟରେ ଦୃଢ଼ରୂପେ ଅଙ୍କିତ ହେବାକୁ ଲାଗିଲା ।

 

କ୍ରମେ ମହାଦେବବାବୁଙ୍କ ସ୍ତ୍ରୀ ବିମଳା ଉପରେ ସଂସାରର ସମସ୍ତଭାର ଅର୍ପଣ କରି ନିଜେ ବିଗ୍ରହଙ୍କ ପୂଜା, ସାଧନ ଭଜନରେ ମନୋନିବେଶ କଲେ । ବିମଳା ମଧ୍ୟ ସଂସାରକାର୍ଯ୍ୟ ସୁଚାରୁରୂପେ ସମ୍ପନ୍ନ କରିବାକୁ ଲାଗିଲା । ଏହିରୂପେ କେତେକ ଦିନ ଅତିବାହିତ ହେଲା ।

 

ମହାଦେବବାବୁ ମଧ୍ୟ ଦେବ ଉପରେ ସମ୍ପତ୍ତି ରକ୍ଷଣାବେକ୍ଷଣର ଭାର ଅର୍ପଣ କରି ସାଧନ ଭଜନରେ ଦିନ କଟାଉ ଥିଲେ । ଦେବ ପିତାଙ୍କୁ ବୃଦ୍ଧ ବୟସରେ କିଞ୍ଚିତ ସାହାଯ୍ୟ କରିବାର ଉପାୟ ପାଇ ଯଥାସାଧ୍ୟ ଯତ୍ନଦ୍ୱାରା ସମସ୍ତ କାର୍ଯ୍ୟ ଚଳାଉଥିଲା । ମହାଦେବବାବୁ ଉପଯୁକ୍ତ ପୁତ୍ତ୍ରର କାର୍ଯ୍ୟକୁଶଳତାର ପରିଚୟ ପାଇ ଆପଣାକୁ ଧନ୍ୟ ମଣିଲେ । କ୍ରମେ ତାଙ୍କର ସଂସାର ପ୍ରତି ବିତୃଷ୍ଣା ଜନ୍ମିଲା । ଅତୁଳ ଧନ ସମ୍ପତ୍ତି ତାଙ୍କର ମନୋରଞ୍ଜନ କରି ପାରିଲା ନାହିଁ । ସେ ସାଧନ ଭଜନରେ ଅଧିକ ସନ୍ତୋଷ ଲାଭ କରିବାକୁ ଲାଗିଲେ ।

 

ପିତାମାତାଙ୍କର ଉକ୍ତରୂପ ସଂସାର ବୈରାଗ୍ୟ ଦେଖି ଦେବକିଞ୍ଚିତ ଚିନ୍ତିତ ହେଲା । ବିମଳା ମଧ୍ୟ ଶଶ୍ରୁ ଦେବୀଙ୍କୁ ସଂସାରଭାର ପୁଣି ଗ୍ରହଣ କରିବାକୁ ଅନେକ ଥର ଅନୁରୋଧ କରିଥିଲା । ତହିଁରେ ସେ ଉତ୍ତର ଦେଉଥିଲେ ‘‘ମୁଁ ଅନେକ ଦିନ ଏହି ଭାର ଘେନି ବୁଲି ଅଛି ବର୍ତ୍ତମାନ ତୁମ୍ଭେ ନିଅ, ମୋହର ଆଉ କ’ଣ ଦିନ ଆସୁଛି ? ତୋହର ଘର ତୁ କରିବୁ ଏହା ଦେଖିବାକୁ ସୁନ୍ଦର, ଏହା ଦେଖି ଯାଇ ପାରିଲେ ମୋହର ଯଥେଷ୍ଟ ।’’ ବିମଳା ଏହା ଶୁଣି ନ୍ତ୍ରନ୍ଦନ ସମ୍ୱରଣ କରି ନ ପାରି ଉଚ୍ଚୈଃସ୍ୱରରେ କାନ୍ଦୁଥିଲା । ତେଣୁ ଶଶ୍ରୁଦେବୀ ତାକୁ ଅନେକ ବୁଝାଇ ଶାନ୍ତ୍ୱନା ଦେଉଥିଲେ ।

 

ଏହିରୂପେ କିଛିଦିନ ଅତିବାହିତ ହେଲା । ମହାଦେବବାବୁ ଶେଷ ଜୀବନରେ ସଂସାର ତ୍ୟାଗ କରି ଶ୍ରୀକ୍ଷେତ୍ରବାସ କରିବାକୁ ମନସ୍ଥ କଲେ । ତାଙ୍କ ସ୍ତ୍ରୀ ମଧ୍ୟ ତାଙ୍କର ଅନୁଗାମିନୀ ହେବାକୁ ଇଚ୍ଛୁକ ହେଲେ ।

 

ଦିନେ ମହାଦେବବାବୁ ଉକ୍ତ ଇଚ୍ଛା ପୁତ୍ତ୍ରକୁ ପ୍ରକାଶ କରି କହିଲେ ‘‘ପ୍ରତ୍ୟକ ହିନ୍ଦୁର ଶେଷ ଜୀବନରେ ବାନପ୍ରସ୍ଥ ଅବଲମ୍ବନ ବାଞ୍ଛନୀୟ । ମୋହର ବର୍ତ୍ତମାନ ସେ ସମୟ ଉପସ୍ଥିତ ହୋଇଅଛି, ମୁଁ କ୍ଷେତ୍ରବାସ କରିବାର ମନସ୍ଥ କରିଅଛି । ତୁମ୍ଭର ସମ୍ପତ୍ତି ତୁମ୍ଭେ ନିଅ ଓ ଭୋଗ କର ।’’ ଏହା ଶୁଣି ଦେବ ଅବାକ୍ । ସେ ନିଶ୍ଚଳ ହୋଇ ଚିତ୍ରାର୍ପିତବତ୍ ଦଣ୍ଡାୟମାନ ରହିଲା । ତାହାର ବାକ୍ୟ ରୋଧ ହୋଇଗଲା । ଏପରି କଥା ଶୁଣିବ ବୋଲି ସେ ସ୍ୱପ୍ନରେ ମଧ୍ୟ ଭାବି ନଥିଲା । କି ଭୟାନକ ବିପଦ ! ଭଗବାନଙ୍କର କି ମାୟା ! ଦେବ ନାନାରୂପ ଚିନ୍ତା କରି କିଛି ସ୍ଥିର କରି ପାରିଲା ନାହିଁ ।

 

ମହାଦେବବାବୁ ପୁଣି କହିଲେ ‘‘ଦେବ, ପିତାମାତାଙ୍କୁ ସେମାନଙ୍କର ଇଚ୍ଛାନୁଯାୟୀ ଧର୍ମକାର୍ଯ୍ୟ କରିବାକୁ ଦେବା ପୁତ୍ତ୍ରର ପ୍ରଧାନ କର୍ତ୍ତବ୍ୟ । ତୁମ୍ଭେ ଆମ୍ଭମାନଙ୍କର ସତ୍‍କାର୍ଯ୍ୟରେ ପ୍ରତିବନ୍ଧକ ହୁଅ ନା । ଆମ୍ଭମାନଙ୍କୁ କ୍ଷେନ୍ତ୍ରବାସ କରିବାକୁ ଦିଅ । ତୁମ୍ଭେ ଅଧୀର ହେଲେ ଚଳିବ କିପରି ? ତୁମ୍ଭେ ବର୍ତ୍ତମାନ ଆମ୍ଭମାନଙ୍କୁ ସାନ୍ତ୍ୱନା ଦେବାକୁ ସକ୍ଷମ ହୋଇଅଛ ତୁମ୍ଭର ଅଧୀର ହେବା ଶୋଭା ପାଉନାହିଁ ।’’

 

ଦେବ ଏଥିରେ କ’ଣ ବା କହିବ, ପିତାମାତାଙ୍କର ଧର୍ମ କାର୍ଯ୍ୟରେ ବାଧା ବା କିପରି ଦେବ । ବିମଳା ଏତେକ୍ଷଣ ମୌନ ଭାବରେ ଥିଲା । ସେ ଶଶୁର ଓ ଶାଶୁଙ୍କର ଚରଣ ଧରି କେତେ ଯେ ନ୍ତ୍ରନ୍ଦନ କରିବାକୁ ଲାଗିଲା ତାହାର ସୀମା ନାହିଁ । ତାହାର ନ୍ତ୍ରନ୍ଦନରେ ମହାଦେବବାବୁ ଓ ତାଙ୍କର ସ୍ତ୍ରୀର ମନ ମଧ୍ୟ ତରଳି ଗଲା ଓ ସେମାନେ ନ୍ଦ୍ରନ୍ଦନ ସମ୍ୱରଣ କରି ପାରିଲେ ନାହିଁ । କିଛିକ୍ଷଣ ନ୍ଦ୍ରନ୍ଦନ କଲାପରେ ମହାଦେବବାବୁ ଓ ତାଙ୍କ ସ୍ତ୍ରୀ ଧୈର୍ଯ୍ୟ ଧରିଲେ ଓ ବିମଳାକୁ ଅନେକ ବୁଝାଇ କହିଲେ ‘‘ଆମ୍ଭେମାନେ ଧର୍ମକାର୍ଯ୍ୟ କରିବାକୁ ଯାଉଅଛୁ, ତୁମ୍ଭେ ଆମ୍ଭମାନଙ୍କୁ ସେଥିରେ ସାହାଯ୍ୟ ନ କରି ବାଧା ଦେଉଅଛ । ଆମ୍ଭେମାନେ ଚିରଦିନ ଏପରି ବୋଝ ବୋହୁ ଥିବୁ ଏହା ହିଁ ତୁମ୍ଭର ଇଛା, ଆମ୍ଭମାନଙ୍କୁ କିଞ୍ଚିତ ବିଶ୍ରାମ ଦିଅ ।’’

 

ବିମଳା ସାଶ୍ରୁଲୋଚନରେ ଉତ୍ତର ଦେଲା ‘‘ଆପଣମାନେ ଘରଠାରେ ରହି ଧର୍ମ କରନ୍ତୁ, ମୁଁ ସମସ୍ତ ବୋଝ ମୁଣ୍ଡାଇବି, ଆପଣମାନଙ୍କର କୌଣସି ଭାବନା ନାହିଁ । ମୋତେ ଛାଡ଼ି ଦେଇ ଆପଣମାନେ ଯାଉଅଛନ୍ତି, ମୋତେ ସଙ୍ଗରେ ନେଇଯାନ୍ତୁ ।’’

 

ତହୁଁ ଶଶ୍ରୁ ଉତ୍ତର ଦେଲେ ‘‘ମା, ତୋହର କ୍ଷେନ୍ତ୍ରବାସର ସମୟ ହୋଇନାହିଁ, ସମୟ ହେଲେ ତୁ ମଧ୍ୟ ଯିବୁ । ଆମ୍ଭେମାନେ ସମୟ ସମୟ ଘରକୁ ଆସିବୁ ମାତ୍ର ଚିରସ୍ଥାୟୀ ଭାବରେ ଆଉ ରହି ପାରିବୁ ନାହିଁ । ତୁ ମଧ୍ୟ ଶ୍ରୀକ୍ଷେନ୍ତ୍ରଦର୍ଶନ କରି ଗଲେ ଆମ୍ଭମାନଙ୍କ ନିକଟରେ ରହିବୁ, ଏତେ ଭାବନା କାହିଁକି ? ଆମ୍ଭମାନଙ୍କୁ ଖୁସିରେ ବିଦା କର ।’’

 

ଦେବ ଓ ବିମଳା କ’ଣ ବା ଉତ୍ତର ଦେବେ । ସେମାନେ ନୀରବ, ନିରୁତ୍ତର । ପିତାମାତା ସେମାନଙ୍କୁ ପୁଣି ଅନେକ ବୁଝାଇ ସାନ୍ତ୍ୱନା ଦେଲେ ମାତ୍ର ଦେବ ଓ ବିମଳା ସେମାନଙ୍କୁ ଛାଡ଼ି କିପରି ରହିବେ ଏହାହିଁ କେବଳ ଭାବିବାକୁ ଲାଗିଲେ । ଦେବ ବର୍ତ୍ତମାନ ସଂସାର ମାୟା ବୁଝି ସ୍ତମ୍ଭିତ ହେଲା । ‘ମାୟା କ’ଣ, କେତେଦୂର ବିସ୍ତାର କରି ଅଛି ’ ଏହା ବୁଝିବାକୁ ଆଉ ବାକୀ ରହିଲା ନାହିଁ ।

 

ଶ୍ରୀକ୍ଷେତ୍ରଯାତ୍ରାର ଦିନ ସ୍ଥିର ହେଲା । ଶୁଭକ୍ଷଣରେ ମହାଦେବବାବୁ ଓ ତାଙ୍କ ସ୍ତ୍ରୀ ଧନ ସମ୍ପତ୍ତି, ବହୁମୂଲ୍ୟ ବସ୍ତ୍ର, ଅଳଙ୍କାରାଦି ସମସ୍ତ ସେମାନଙ୍କୁ ଅର୍ପଣ କରି ଦୀନବେଶରେ ଗୃହରୁ ବହିର୍ଗତ ହେଲେ ଓ ଦୁହିଙ୍କି ଅତି ସାବଧାନରେ ସଂସାର ଯାତ୍ରା ନିର୍ବାହ କରିବାକୁ ଉପଦେଶ ଦେଇ ଗଲେ । ସେମାନେ ଦେବକୁ ବାରମ୍ବାର ଆଶ୍ୱାସ ଦେଇ କହିଲେ ‘‘ଭଗବାନ ଅଛନ୍ତି, ତାଙ୍କୁ ଡାକ, ସେ ସବୁ ଚଳାଇବେ ।’’ ଉଭୟ ପ୍ରତିବେଶୀ, ବନ୍ଧୁ, କୁଟୁମ୍ବ ସମସ୍ତଙ୍କଠାରୁ ବିଦାୟ ନେଲେ । ଯାତ୍ରାକାଳରେ ନ୍ତ୍ରନ୍ଦନ ସମ୍ୱରଣ କରିବାକୁ କହି ସେମାନେ ଗୃହତ୍ୟାଗ କଲେ । ସେ ଦୃଶ୍ୟ ଦେବ ଓ ବିମଳାର ଅନ୍ତଃକରଣରେ ଯେ ଦାରୁଣ ଶେଳବିଦ୍ଧ କଲା ତାହା ବର୍ଣ୍ଣନାତୀତ । ସଂସାର ଅନିତ୍ୟ ଓ ମାୟାଚ୍ଛନ୍ନ ଏହା ବୁଝିବାକୁ ଦେବର ଆଉ ବାକୀ ରହିଲା ନାହିଁ ।

Image

 

ଦ୍ୱାଦଶ ପରିଚ୍ଛେଦ

ବିବାହିତ ଜୀବନ

 

ବିବାହ ହେବା ଦିନରୁ ଦେବର ଦାୟିତ୍ୱ ଯେ ବୃଦ୍ଧି ହୋଇଅଛି ଏହା ସେ ଭଲରୂପେ ଜାଣେ । ବର୍ତ୍ତମାନ ପିତାମାତାଙ୍କର ଅବର୍ତ୍ତମାନରେ ଯେ ସଂସାରର ସମସ୍ତ ଭାର ତାହା ଉପରେ ପଡ଼ିଅଛି ଏହା ବୁଝିବାକୁ ଆଉ ବାକୀ ନାହିଁ । ଏକାକୀ କିପରି ସଂସାର ନିର୍ବାହ କରିବି ଏହି ଭାବନାରେ ସେ ଅସ୍ଥିର । ସଂସାର କ୍ଷେତ୍ରରେ ତାହାର ଯେ ଆଶ୍ରୟ ଥିଲା ତାହା ବର୍ତ୍ତମାନ ଆଉ ନାହିଁ-। ସେ ବର୍ତ୍ତମାନ ସମ୍ପୂର୍ଣ୍ଣ ନିରାଶ୍ରୟ । ପିତାମାତାଙ୍କ ଆଦେଶାନୁଯାୟୀ ଭଗବାନଙ୍କୁହିଁ ଏକମାତ୍ର ଆଶ୍ରୟ ବୋଲି ସେ ସ୍ଥିର କରିଅଛି ।

 

ଅବିବାହିତ ଜୀବନରେ ତାହାର ଯେ ସ୍ୱାଧୀନତା ଥିଲା ତାହା ବର୍ତ୍ତମାନ ଆଉ ନାହିଁ । ବର୍ତ୍ତମାନ ସବୁ ବିଷୟରେ ବିଶେଷ ସାବଧାନତାର ସହିତ କାର୍ଯ୍ୟ କରିବା ଆବଶ୍ୟକ ଏହା ସେ ହୃଦୟଙ୍ଗମ କରିଅଛି । ପୂର୍ବେ କେବଳ ଆପଣାର ପେଟ ଚିନ୍ତା ଥିଲା ବର୍ତ୍ତମାନ ସ୍ତ୍ରୀର ପେଟ ଚିନ୍ତା ମଧ୍ୟ ତାହାକୁ ଭାବିବାକୁ ହୁଏ । ପରିବାରବର୍ଗ, ବନ୍ଧୁ ବାନ୍ଧବ ସମସ୍ତଙ୍କର ଭଲମନ୍ଦ ପ୍ରତି ବର୍ତ୍ତମାନ ତାକୁ ଦୃଷ୍ଟି ରଖିବାକୁ ହୁଏ ।

 

ଏ ସଂସାରରେ ଜଣେ ମନୁଷ୍ୟର ମନୋରଞ୍ଜନ କରିବା କଷ୍ଟକର । ତେଣୁକରି ବନ୍ଧୁ ବାନ୍ଧବ, ପ୍ରତିବେଶୀ ସମସ୍ତଙ୍କର ସୁଖ ଦୁଃଖରେ ସହାନୁଭୂତି ପ୍ରକାଶ କରିବା ଓ ସମସ୍ତଙ୍କର ପ୍ରୀୟଭାଜନ ହେବା କମ୍ କଷ୍ଟକର କଥା ନୁହେଁ । ସ୍ତ୍ରୀ ସୁଖ ଦୁଃଖର ସଙ୍ଗିନୀ, ତାହାର ସୁଖ ଦୁଃଖ ସମସ୍ତ ନିଜ ଉପରେ ନିର୍ଭର କରେ ଇତ୍ୟାଦି ଚିନ୍ତାରେ ସେ ବ୍ୟସ୍ତ ।

 

ଦେବ ସରଳ ପ୍ରକୃତିର ଲୋକ, ସଂସାର ମାୟା ଛିନ୍ନ କରିବାର ତାର ଶକ୍ତି କାହିଁ ? ପିତାମାତାଙ୍କ ଅବର୍ତ୍ତମାନରେ ସେ ବନ୍ଧୁ ବାନ୍ଧବମାନଙ୍କ ଉପଦେଶମତେ କାର୍ଯ୍ୟକରେ । ବିମଳା ମଧ୍ୟ ସମସ୍ତଙ୍କର ମନ ଘେନି କାର୍ଯ୍ୟ କରେ । ଏହିପରି କିଛି ଦିନ ଚାଲିଗଲା । ଦେବର ସଂସାରରେ ସୁଖ ଶାନ୍ତି ପୂର୍ବରୂପ ରହିଲା ।

 

କ୍ରମେ ଦେବର ସଂସାରର ସୁଖ ଶାନ୍ତି ଦେଖି କାହାରି କାହାରି ହିଂସା ହେଲା । ସେମାନେ ତାହାର ସଂସାରର ଶାନ୍ତି ନଷ୍ଟ କରିବା ପାଇଁ ଚେଷ୍ଟା କରିବାକୁ ଲାଗିଲେ । ବିମଳା ଏହା ଜାଣିପାରି ଅଧିକ ସାବଧାନ ହେଲା କାରଣ ସେ ପୂର୍ବରେ ଏପରି ବିପଦରେ ଥରେ ପଡ଼ିଥିଲା । ବିମଳା ଉକ୍ତ ବିଷୟ ସ୍ୱାମୀଙ୍କୁ ପ୍ରକାଶ କଲା ନାହିଁ କାରଣ ତହିଁରେ ସ୍ୱାମୀଙ୍କ ମନରେ ଅଶାନ୍ତି ଜନ୍ମିପାରେ । ଏ ସଂସାରରେ କିଛି ଲୁଚି ରହେ ନା । କ୍ରମେ ଦେବ ମଧ୍ୟ ବନ୍ଧୁ ବାନ୍ଧବ, ଆତ୍ମୀୟ ସ୍ୱଜନ ସମସ୍ତଙ୍କର ସହାନୁଭୂତିର ଅଭାବ ବୁଝି ପାରିଲା ।

 

ସଂସାରର ରୀତିଗତି ଦେଖି ଦେବ ମର୍ମ୍ମାହତ ହେଲା । ସଂସାର ମାୟା ଛିନ୍ନ କରିବାକୁ ତାହାର ଇଛା ହେବାକୁ ଲାଗିଲା ମାତ୍ର ଏହା ଛିନ୍ନ କରିବା ଦୁଃସାଧ୍ୟ । ସମୟେ ସମୟେ ସଂସାର ପ୍ରତି ତାହାର ଏପରି ବିତୃଷ୍ଣା ହେଉଥିଲା ଯେ ସେ ସଂସାର ତ୍ୟାଗ କରି ନିର୍ଜନରେ ଏକାକୀ ବାସ କରିବାର ସଂକଳ୍ପ ମଧ୍ୟ କରୁଥିଲା । ସ୍ତ୍ରୀ ଏ ବିଷୟ ଜାଣିପାରି ଅଧିକ ଚିନ୍ତିତ ହେଲା । ପତିବ୍ରତା ସ୍ତ୍ରୀର ଗୁଣରେ ଦେବର ସାଂସାରିକ ଦୁଃଶ୍ଚିନ୍ତା କେତେକ ପରିମାଣରେ ହ୍ରାସ ହେଉଥିଲା ଓ ଶାନ୍ତି ଲଭୁଥିଲା ।

 

ଏ ସଂସାରରେ ସୁଖଠାରୁ ଦୁଃଖ ଅଧିକ । ଭଲମନ୍ଦରେ ଦେବକୁ ସାହସ ଦେବାକୁ ସହାନୁଭୂତି ଦେଖାଇବାକୁ ଆତ୍ମୀୟମାନଙ୍କ ମଧ୍ୟରେ ଜଣେ ବୟସ୍ଥା ସ୍ତ୍ରୀଲୋକ ଥିଲେ । ଦେବକୁ ସେ ବଡ଼ ଭଲ ପାଉଥିଲେ । ଦେବ ସଂସାର ନିର୍ବାହ ବିଷୟରେ ତାଙ୍କର ମତ ଘେନି ଚଳୁଥିଲା ତାଙ୍କୁ ମାତା ସ୍ୱରୂପ ମାନୁଥିଲା ଓ ଭକ୍ତି କରୁଥିଲା । ଭଗବାନଙ୍କ ମାୟା କିଏ ବୁଝିବ ? ସେହି ନିର୍ମଳପ୍ରାଣା ସରଳା ମାତୃସ୍ଥାନୀୟା ସ୍ତ୍ରୀଲୋକଟି ଅକାଳରେ ମୃତ୍ୟୁମୁଖରେ ପତିତା ହେଲେ । ଦେବର ଏକମାତ୍ର ଆଶ୍ରୟ ଭଗବାନ ନେଇଗଲେ । ଦେବ ଏ ଯନ୍ତ୍ରଣା ଆଉ ସହି ପାରିଲା ନାହିଁ । ଏହା ତାହା ପକ୍ଷରେ ଆପଣା ମୃତ୍ୟୁଠାରୁ ଅଧିକ ଯନ୍ତ୍ରଣାଦାୟକ ହୋଇ ପଡ଼ିଲା । ସେ ଅନ୍ୟ ଉପାୟ ନ ଦେଖି ଏକମାତ୍ର ଅସହାୟା ସ୍ତ୍ରୀର ବନ୍ଧନ ଛିନ୍ନ କରି ସଂସାରରୁ ପଳାଇ ଯିବାକୁ ସ୍ଥିର କଲା ।

 

ପିତାମାତାଙ୍କ ସଂସାରତ୍ୟାଗ ଜନିତ କଷ୍ଟ ଓ ସଂସାର କ୍ଷେତ୍ରରେ ଏକମାତ୍ର ଆଶ୍ରୟ ବୟସ୍ଥା ମାତୃସ୍ଥାନୀୟ ସ୍ତ୍ରୀ ଲୋକଟିର ମୃତ୍ୟୁଜନିତଦୁଃଖ ଦେବକୁ ପାଗଳ କରି ପକାଇଲା । ଦେବ ବର୍ତ୍ତମାନ ସଂସାର କ୍ଷେତ୍ରକୁ କୁରୁକ୍ଷେତ୍ର ବା ଅଶାନ୍ତିର କ୍ଷେତ୍ର ବୋଲି ମନେ କରିବାକୁ ଲାଗିଲା । ସରଳା ବାଳିକା ବିମଳା ଆଉ ସ୍ୱାମୀକୁ ଶାନ୍ତକରି ପାରିଲା ନାହିଁ । ଦେବ ସଦା ଚିନ୍ତିତ, ଆହାର ନିଦ୍ରା କିଛିରେ ମନ ନାହିଁ, ସେ ଏକ ରକମ ପାଗଳ ହୋଇ ପଡ଼ିଲା । ଗୃହ ତାକୁ ଅଗ୍ନି କ୍ଷେତ୍ର ସ୍ୱରୂପ ବୋଧ ହେଲା । ସେ ଶାନ୍ତି ପାଇବାକୁ ବ୍ୟସ୍ତ ହୋଇ ପଡ଼ିଲା । ଶୟନରେ ସ୍ୱପ୍ନରେ ମଧ୍ୟ ସେ ଶାନ୍ତି ପାଇଁ ଅଧୀର ହେଲା । ‘ଶାନ୍ତି କାହିଁ’ ବୋଲି ସେ କରୁଣ ଭାବରେ ସଦା ଚିତ୍କାର କରିବାକୁ ଲାଗିଲା-

 

ଦେବ ଦିନେ ହୃଦୟର ଆବେଗରେ ଉଚ୍ଚୈଃସ୍ୱରରେ ନ୍ତ୍ରନ୍ଦନ କରୁଁ କରୁଁ ଭଗବାନଙ୍କୁ କହିଲା ‘‘ହେ ଭଗବାନ, ମୁ୍ଁ କି ପାପ କରିଅଛି ଯେ ଏତେ ଶାସ୍ତି ପାଉଅଛି ? ମୋତେ ଏତେ କଷ୍ଟ ଦେଇ ଆପଣଙ୍କର କି ସୁଖ ହେଉଅଛି । ମୋହର କପାଳରେ ଏତେ ଦୁଃଖ ଥିଲା ଜାଣି ମଧ୍ୟ ପୁଣି ମୋହ ବେକରେ କାହିଁକି ଗୋଟିଏ ବାନ୍ଧି ଦେଲେ ? ମୋତେ ରକ୍ଷା କରନ୍ତୁ, ମୋହର ଏ ମାୟାବନ୍ଧନ ଛିନ୍ନ କରନ୍ତୁ, ମୋତେ ଶାନ୍ତି ଦିଅନ୍ତୁ !’’

 

କ୍ରମେ ଦେବର ଅଶାନ୍ତିମୟ ଜୀବନର ଆଭାସ ସମସ୍ତଙ୍କର କର୍ଣ୍ଣଗୋଚର ହେଲା । ଦୁଷ୍ଟ ଲୋକଙ୍କ ପକ୍ଷରେ ଏହା କମ୍ ସୁଖର କଥା ନୁହେଁ । ଦେବର ସାଂସାରିକ ସୁଖ ଦେଖି ଈର୍ଷାନ୍ୱିତ ହୋଇ ତାହା ନଷ୍ଟ କରିବାର ଉପାୟ ପୂର୍ବରେ ଥରେ କରି ସେମାନେ ଭଗ୍ନମନୋରଥ ହୋଇଥିଲେ-। ବର୍ତ୍ତମାନ ସୁଯୋଗ ଉପସ୍ଥିତ ଦେଖି ସେମାନେ ପୁନରାୟ ଶତ୍ରୁତାସାଧନରେ ବନ୍ଧପରିକର ହେଲେ ।

 

ଘୋର ନିଶୀଥ ସମୟରେ ଶନ୍ତ୍ରୁମାନେ ଷଡ଼ଯନ୍ତ୍ର ଆରମ୍ଭ କଲେ । ନାନାଦି ତର୍କ ବିତର୍କ ପର ସେମାନେ କିପରି କାର୍ଯ୍ୟରେ ଅଗ୍ରସର ହେବେ ଏହା ସ୍ଥିର ହେଲା ।

 

ଏଥର ଷଡ଼ଯନ୍ତ୍ରକାରୀଙ୍କର ଚନ୍ତ୍ରାନ୍ତ ଭେଦ କରିବା ଦେବେନ୍ଦ୍ରପକ୍ଷରେ ଅସମ୍ଭବ । ସେମାନେ ଥରେ ଭଗ୍ନମନୋରଥ ହୋଇଥିବାରୁ ଏଥର ବିଶେଷ ସାବଧାନତାର ସହିତ କାର୍ଯ୍ୟ କରିବାକୁ ମନସ୍ଥ କଲେ । ସେମାନଙ୍କର ବର୍ତ୍ତମାନ ଲକ୍ଷ୍ୟ ଅବ୍ୟର୍ଥ । ଧିକ୍ ତୁମ୍ଭମାନଙ୍କୁ ! ହିଂସା ବିଷ କି ଭୟଙ୍କର ! ସରଳା ବିମଳା ଏହାର ବିନ୍ଦୁବିସର୍ଗ କିଛି ଜାଣି ପାରିଲା ନାହିଁ ।

 

ଜଣେ ପ୍ରତିବେଶୀ ଦେବେନ୍ଦ୍ର ନିକଟ ପହଞ୍ଚି ତାହା ସହିତ ନାନାଦି କଥୋପକଥନ କରି ତାହା ମନକୁ ଆକର୍ଷଣ କଲା । ଦେବେନ୍ଦ୍ରର ଏକାକୀ ସଂସାର ନିର୍ବାହ, ପିତାମାତାଙ୍କ ଅନୁପସ୍ଥିତ ଜନିତ କଷ୍ଟ, ମହାଦେବବାବୁଙ୍କର କୁଶଳ ସମାଚାର ଇତ୍ୟାଦି ନାନାଦି ବିଷୟର ଅବତାରଣା କରି ଶେଷରେ ସେ ତାହାର ଚିନ୍ତାନ୍ୱିତ ଭାବର କାରଣ ପଚାରିଲା । ଦେବ ନିରୁତ୍ତର । ପୁଣି ସେ ଅଧିକତର ବ୍ୟଗ୍ରଭାବରେ ଦେବକୁ ପଚାରିଲେ ‘‘ତୁମ୍ଭର କ’ଣ ହୋଇଅଛି ? ତୁମ୍ଭର ଏପରି ପରିବର୍ତ୍ତନ କାହିଁକି ? ଆମ୍ଭେମାନେ ତୁମ୍ଭର ମଙ୍ଗଳାକାଙ୍କ୍ଷୀ, ତୁମ୍ଭର ଦୁଃଖ ଦେଖିଲେ ଆମ୍ଭମାନଙ୍କର ପ୍ରାଣ ଉଡ଼ିଯାଏ; ଆମ୍ଭମାନଙ୍କୁ ମନର କଥା ପ୍ରକାଶ କରି କହ ।’’ ସରଳପ୍ରାଣ ଦେବ ପ୍ରତିବେଶୀଟିକୁ ହିତାକାଙ୍କ୍ଷୀ ବୋଲି ଜାଣି ଥିବାରୁ ଆଉ ସ୍ଥିର ରହିପାରିଲା ନାହିଁ । ସେ ମନର କଷ୍ଟ ପ୍ରକାଶ କରି ତାକୁ କହିଲା ‘‘ମନର ଅଶାନ୍ତି ମୋତେ ଦଗ୍ଧ କରୁଅଛି, ଏ ସଂସାର ତ୍ୟାଗ କରି ପାରିଲେହିଁ ମୁଁ ସୁଖୀ ହେବି । ମୋତେ ଉପାୟ କହନ୍ତୁ;’’

 

‘‘ଅଶାନ୍ତିର କାରଣ କଣ ? ମୁଁ ତାହା ଦୂର କରିବାକୁ ଯଥାସାଧ୍ୟ ଚେଷ୍ଟା କରିବି ।’’

 

ଦେବ ଉତ୍ତର ଦେଲା ‘‘ଅଶାନ୍ତିର କାରଣ ଅନେକ ।’’

 

‘‘ସ୍ତ୍ରୀ ଦୁର୍ବ୍ୟବହାର ବୋଧ ହୁଏ ଗୋଟିଏ କାରଣ, ନା ?

 

ଏହା ଶୁଣିବା ମାତ୍ରକେ ଦେବ ଚକିତ ଭାବରେ ପ୍ରଶ୍ନ କଲା ‘‘କି ଦୁର୍ବ୍ୟବହାର ?’’ ତତ୍‍କ୍ଷଣାତ୍‍ ପ୍ରତିବେଶୀଟି ଦେବର କଥା ବନ୍ଦ କରି ନିଜେ କହିବାକୁ ଲାଗିଲେ ‘‘ସ୍ତ୍ରୀ ଲୋକ ତହିଁରେ ପୁଣି ଅଳ୍ପ ବୟସ୍କା, ସେ ଏକାକିନୀ ରହିଲେ ଏପରି ହେବା ସମ୍ଭବ । ମହାଦେବବାବୁଙ୍କର ଅଳ୍ପବୟସ୍କ ବଧୁମାତାଙ୍କୁ ଏକାକନୀ ରଖି ତୀର୍ଥବାସ କରିବା ଉଚିତ ହୋଇନାହିଁ ।’’

 

‘‘କ’ ଣ ମନ୍ଦ ହୋଇଅଛି ।’’

 

‘‘ତାଙ୍କର ଧର୍ମ୍ମ କର୍ମ୍ମ ସମୁଦାୟ ନଷ୍ଟ ହେବାର ଉପାୟ ହୋଇଅଛି ।’’

 

ଦେବ ଅତ୍ୟନ୍ତ ବ୍ୟସ୍ତ ହୋଇ ପ୍ରଶ୍ନ କଲା ‘‘ଆପଣ କ’ଣ କହୁ ଅଛନ୍ତି ? ମୁଁ କିଛି ବୁଝିପାରୁ ନାହିଁ, ମୋତେ ପ୍ରକାଶ କରି କହନ୍ତୁ ।’’

 

‘‘ଆଉ କ’ଣ କହିବି, କହିବାର ମୁହଁ ନାହିଁ ।’’

 

ଦେବ ପୂର୍ବର ଅଶାନ୍ତି ଭୋଗ କରୁଥଲା ବର୍ତ୍ତମାନ ପ୍ରତିବେଶୀ ମୁଖରୁ ଏପରି କଥା ଶୁଣି ଦେବର ମନ ଅତ୍ୟନ୍ତ ବିଚଳିତ ହେଲା ତାହାର ଧୈର୍ଯ୍ୟ ନାଶ ହେଲା । ସେ ପାଗଳର ନ୍ୟାୟ ତାଙ୍କର ହସ୍ତ ଧରି ଅତି ବିନୀତ ଭାବରେ ସମୁଦାୟ ପ୍ରକାଶ କରିବାକୁ ପୁନରାୟ ପ୍ରାର୍ଥନା କଲା ।

 

‘‘ଠିକ ହୋଇଅଛି, ଦେବ ବର୍ତ୍ତମାନ ଜାଲରେ ପଡ଼ିଅଛି, ଏତେ ଦିନରେ ଆମ୍ଭମାନଙ୍କର ମନୋବାଞ୍ଛା ପୂରଣର ଉପାୟ ହୋଇଅଛି ।’’

ଉକ୍ତରୂପ ଭାବି ପ୍ରତିବେଶୀଟି ଅତି ଦୁଃଖିତ ଭାବରେ କହିଲେ ‘‘କୂଳରେ ଅସତୀ ସ୍ତ୍ରୀ ରହିଲେ ଧର୍ମ୍ମ କ’ ଣ ଥାଏ ?’’

ସ୍ତ୍ରୀର ଏପରି କଳଙ୍କ ଶୁଣି କେହି କ’ଣ ସ୍ଥିର ଥାଇପାରେ ? ‘ଅସତୀ’ ଶବ୍ଦ ଶୁଣି ଦେବ ଅସ୍ଥିର ହୋଇ ପଡ଼ିଲା । ତାହାର ମନର ଅଶାନ୍ତି କ୍ଷଣକ ମଧ୍ୟରେ ସହସ୍ରଗୁଣ ବୃଦ୍ଧି ପାଇଲା । ସହସ୍ର ବିଛା ଏକାବେଳକେ ତାକୁ କାମୁଡ଼ା ଅଛି ଏପରି ବେଦନା ସେ ବୋଧ କରିବାକୁ ଲାଗିଲା । ସେ ଯନ୍ତ୍ରଣା ବର୍ଣ୍ଣନାତୀତ । ଦେବର ଅଶାନ୍ତି ଭୋଗ କରି ଏପରି ଦୁର୍ବଳଚିତ୍ତ ହୋଇଥିଲା ଯେ ସେ ପ୍ରତିବେଶୀଙ୍କଠାରୁ ଉପରୋକ୍ତ ନିନ୍ଦାବାଦ ଶୁଣି ତାହାର ସତ୍ୟାସତ୍ୟ ନିର୍ଣ୍ଣୟ କରିବାକୁ ମନ ବଳାଇ ପାରିଲା ନାହିଁ । ସେ ଅତ୍ୟନ୍ତ ବିଚଳିତ ହୋଇ ପଡ଼ିଲା । ତାହାର ହିତାହିତ ଜ୍ଞାନ ଲୋପ ପାଇଲା । ତାହାର ଶିକ୍ଷା, ବିଦ୍ୟା ବୁଦ୍ଧି ସମୁଦାୟ ବ୍ୟର୍ଥ ହୋଇଗଲା । ସେ ପ୍ରତିବେଶୀଙ୍କର ବାକ୍ୟକୁହିଁ ଧ୍ରୁବସତ୍ୟ ଜ୍ଞାନ କଲା ଓ ପରେ କିଞ୍ଚିତ ପ୍ରକୃତିସ୍ଥ ହୋଇ ପୁଣି ପ୍ରଶ୍ନ କଲା ‘‘କି ’ ଏ ଅସତୀ ?’’

‘‘ଆଉ କ’ଣ କହିବି ?’’

ଦେବ ବର୍ତ୍ତମାନ ଏକପ୍ରକାର ପାଗଳ କହିଲେ ଅତୁକ୍ତି ହେବ ନାହିଁ । ସେ ପ୍ରତିବେଶୀଟିର ପଦତଳେ ପଡ଼ି ନାନାଦି ଅନୁନୟ ବିନୟ କଲା ଓ ସମୁଦାୟ ପ୍ରକାଶ କରିବାକୁ ଅନୁରୋଧ କଲା ।

 

ପ୍ରତିବେଶୀ ଅତ୍ୟନ୍ତ ଦୁଃଖର ଅବତାରଣା କରି ଅସ୍ପଷ୍ଟ ଭାବରେ କହିଲା ‘‘ତୁମ୍ଭର ସ୍ତ୍ରୀ ଆଉ କ’ଣ ?’’

 

‘ବିମଳା ଅସତୀ’ ଏହି ବାଣୀ ତା ହୃଦୟର ଦାରୁଣ ଶେଳବିଦ୍ଧ କଲା । ଦେବ ମୁଣ୍ଡରେ ବଜ୍ରପାତ ହେଲା । ସେ ସମୁଦାୟ ବିଷୟ ଜାଣିବାକୁ ଆଉ ଚେଷ୍ଟା କଲା ନାହିଁ, କି ତାହାର ଇଛା ମଧ୍ୟ ହେଲା ନାହିଁ । ତାହାର ହୃତ୍‍କମ୍ପ ଉପସ୍ଥିତ ହେଲା । ସେ ପାଗଳ ପ୍ରାୟ କ୍ରନ୍ଦନ କରିବାକୁ ଲାଗିଲା ।

 

ପ୍ରତିବେଶୀଟି ଦେବକୁ ପ୍ରକୃତିସ୍ଥ ହେବାକୁ ନାନାଦି ଉପଦେଶ ଦେଲେ ଓ ଅଶାନ୍ତିର ମୂଳ କାରଣ ଦୂର କରିବାକୁ କହିଲେ । ସେ କହିଲେ ‘‘ଦୁଃଖ କିପାଇଁ କରୁଅଛ ? ବିମଳା ନାମ ସଂସାରରୁ ଲୋପ କରି ପାରିଲେ ତୁମ୍ଭର ଶାନ୍ତି ଆସିବ । ଏହା ହିଁ ତୁମ୍ଭର କର୍ତ୍ତବ୍ୟ ।’’

 

ଦେବର ମନ ସେ ଆଡ଼କୁ ଗଲା ନାହିଁ ସେ ଅତ୍ୟନ୍ତ ଦୁଃଖ ପ୍ରକାଶ କରିବାକୁ ଲାଗିଲା ।

ପ୍ରତିବେଶୀଟି ବିମଳାର ପ୍ରାଣନାଶର ଉପାୟ କରି କୃତକାର୍ଯ୍ୟ ହୋଇନପାରି ଦୁଃଖିତ ହେଲେ ମାତ୍ର ଏ ବିଷୟ ପ୍ରକାଶ ନକରି ଦେବକୁ ନାନାଦି ସାନ୍ତ୍ୱନା ଦେଇ ପ୍ରସ୍ଥାନ କଲେ ।

ସେ ପ୍ରସ୍ଥାନ କଲାପର ଦେବ ନିର୍ଜନରେ ଉକ୍ତ ବିଷୟ ଭାବି ନାନାଦି ବିଳାପ କରିବାକୁ ଲାଗିଲେ । ‘‘ମୁଁ’’ କଣ କରିବି ? କି ଉପାୟ ? ବିମଳା ଅସତୀ ବିଶ୍ୱାସଘାତିନୀ, କୁଳକଳଙ୍କିନୀ ! ହାୟ ବିଧାତା ! ହୃଦୟ ବିଦୀର୍ଣ୍ଣ ହୁଅ !’’

‘‘ବିମଳା କି ଅସତୀ ? ନା–କଦାପି ନୁହେଁ । ଯେଉଁ ବିମଳା ମୋତେ ଆତ୍ମସମର୍ପଣ କରିଥିଲା ସେ କି ପୁଣି ଅନ୍ୟ ପୁରୁଷକୁ ଆତ୍ମବିନ୍ତ୍ରୟ କରିପାରେ ? ଯାହାର ପବିନ୍ତ୍ର ଚରିନ୍ତ୍ରରେ କୌଣସି ଦୋଷ ମୁଁ ଏତେଦିନ ଦେଖିନାହିଁ ସେ କି ଏପରି ଅବିଶ୍ୱାସିନୀ ହୋଇପାରେ ? ସରଳା ବିମଳା କି ଅସତୀ ହୋଇପାରେ ? ନା ଏହା ସମ୍ଭବ ନୁହେଁ ।

‘‘ପ୍ରତିବେଶୀଟି ବା ମିଥ୍ୟା କହିବେ କାହିଁକି ?–ବିମଳା ପାପୀୟସୀ । ବିମଳାକୁ ହତ୍ୟାକରି ମୋହର ଅଶାନ୍ତି ଦୂର କରିବି ? ନା, ସ୍ତ୍ରୀହତ୍ୟା–ମହାପାପ ! ଏହି ପାପରେ ମୁଁ ଲିପ୍ତ ହେବି ନାହିଁ । ମୋହ ଜୀବନ ଥାଉ ଥାଉ ବିମଳା ନାମଟି ଏ ସଂସାରରୁ ଲୋପ କରି ପାରିବି ନାହିଁ । ସେ ମୋହର ଯେତେ କ୍ଷତିକରୁ ନା କାହିଁକି ମୁଁ ତାହାର କ୍ଷତି କରିବି ନାହିଁ ।’’

ଆତ୍ମଘାତ ହେବି ? –ଏଥିରେ ମୋହର ଶାନ୍ତି ହେବ । ଏହି ଜୀବନ ଦେବାହିଁ ବାଞ୍ଛନୀୟ-। ଏ ମୁଁହ ସଂସାରରେ ଆଉ ଦେଖାଇବି ନାହିଁ । କିପରି ଆତ୍ମଘାତୀ ହେବି ? ଅଫିମ ଖାଇବି ନା ପାଣିରେ ବୁଡ଼ି ମରିବି, ନା ବେକରେ ଦୌଡ଼ି ଲଗାଇବି ?’’

‘‘ନା–ନା–ନା–ଆତ୍ମଘାତୀ ହେବା ମହାପାପ । ଜୀବ ଈଶ୍ୱରଙ୍କ ସୃଷ୍ଟି । ଈଶ୍ୱରଙ୍କ ସୃଷ୍ଟି ନଷ୍ଟ କରିବାର ମୋହର କ୍ଷମତା ନାହିଁ । ଜୀବନ ବିସର୍ଜନ କରି ହେବ ନାହିଁ ।

 

‘‘ତେବେ କ’ଣ କରିବି ? କିପରି ଦୁର୍ବିସହ ଯନ୍ତ୍ରଣାରୁ ରକ୍ଷା ପାଇବି ? ଶାନ୍ତି କେଉଁଠି ? ହେ ଭଗବାନ ମୋତେ ରକ୍ଷା କରନ୍ତୁ !’’

 

‘‘ସଂସାରତ୍ୟାଗହିଁ ମୋହର ଏକମାତ୍ର ଉପାୟ । ସଂସାରମାୟା ଛିନ୍ନ କରି ଅରଣ୍ୟ ବାସ ହିଁ ଶ୍ରେୟସ୍କର । ଆତ୍ମୀୟ ସ୍ୱଜନ, ବନ୍ଧୁ କୁଟୁମ୍ବ ସମସ୍ତଙ୍କୁ ତ୍ୟାଗକରି ନିର୍ଜନରେ ଈଶ୍ୱରୋପାସନାହିଁ ଶାନ୍ତିଲାଭର ଏକମାତ୍ର ଉପାୟ ।’’

 

ଅଗତ୍ୟା ଗୃହତ୍ୟାଗ କରିବା ହିଁ ସ୍ଥିରହେଲା । ଦେବ ଆପଣାଲୋକ ସମସ୍ତଙ୍କୁ ତ୍ୟାଗକରି–ସରଳା ନିର୍ଦୋଷୀ ବିମଳାକୁ ସଂସାର ସାଗରରେ ଭସାଇ ଦେଇ ଗୃହତ୍ୟାଗ ପୂର୍ବକ ଆପଣା ସୁଖ ଅନ୍ୱେଷଣରେ ତତ୍‍ପର ହେଲା । ସୁଖର ସଂସାର ତାହା ପକ୍ଷରେ ଅଶାନ୍ତିର ଆକାର ହେଲା । ଦୁଷ୍ଟଲୋକଙ୍କର ଷଡ଼ଯନ୍ତ୍ର ସଫଳ ହେଲା । ହେ ଦେବ ! ତୁମ୍ଭେ ବିଦ୍ୱାନ ! ତୁମ୍ଭେ ପର କଥାରେ ପଡ଼ି ବିମଳାର କି ଦୁର୍ଦ୍ଦଶା ଘଟାଇବାକୁ ଯାଉଅଛ !

 

ଦେବ ବିମଳାକୁ ଦୁଃଶ୍ଚରିତ୍ରା ବୋଲି ସ୍ଥିରକଲା । ସେ ନାନାଦି ଅଶାନ୍ତି ଭୋଗ କରିଥିବା ଯୋଗୁଁ ତାହାର ମସ୍ତିସ୍କ ଏପରି ବିକୃତ ହୋଇଥିଲା ଯେ ସେ ବିମଳାକୁ ଏ ବିଷୟ ଥରେ ଜିଜ୍ଞାସା ମଧ୍ୟ କଲା ନାହିଁ । ଅବଳା ବିମଳାର ନିର୍ମଳ ଚରିତ୍ର ଉପରେ ଯେ କଳଙ୍କ ଆରୋପଣ ହୋଇଅଛି ସେ ବିଷୟ ତାକୁ କିଛିମାତ୍ର ନଜଣାଇ ତାହାର ଗୁହାରି କିଛିମାତ୍ର ନଶୁଣି, ତାହାର ଶାସ୍ତିର ଉପାୟ କରିବା ଦେବ ପକ୍ଷରେ କେତେଦୂର ଅନ୍ୟାୟ, ଅବିଚାର ଏହା କହିବା ବାହୁଲ୍ୟ ମାତ୍ର । ଯାହା ହେଉ ଦୈବ ଘଟଣା କିଏ ବା ରୋଧ କରିବ ।

 

ଦେବର ଆଉ ଗୃହପ୍ରତି ମାୟା ନାହିଁ, ସ୍ତ୍ରୀ ଉପରେ ସ୍ନେହ ମମତା ନାହିଁ । ସେ ଏକପ୍ରକାର ନୂତନ ରକମର ଲୋକ ହୋଇଅଛି । ସେ ସ୍ତ୍ରୀ ସହିତ ପୂର୍ବରୂପ ବ୍ୟବହାର ତ୍ୟାଗ କରିଅଛି । ସେ ହାସ୍ୟାଳାପ କରିବା ଦୂରେଥାଉ ତାହା ସହିତ କଥାବାର୍ତ୍ତା ମଧ୍ୟ ବନ୍ଦ କରିଅଛି । ସେ ସଦାହିଁ ଚିନ୍ତିତ, ଅନ୍ୟମନସ୍କ । ବିମଳା ପତିଙ୍କର ଏରୂପ ଅବସ୍ଥା ଦେଖି ବହୁବାର ଅନୁନୟ ବିନୟ ପୂର୍ବକ ତାହାର କାରଣ ଜିଜ୍ଞାସା କରି ମଧ୍ୟ କୌଣସି ଉତ୍ତର ନପାଇ ଅତ୍ୟନ୍ତ ଚିନ୍ତିତ । ସେ ନାନାରୂପ ଚେଷ୍ଟା କରି ମଧ୍ୟ ସ୍ୱାମୀଙ୍କର ମନ ବଦଳାଇ ପାରି ନାହିଁ । ଭଗବାନ ! ସରଳା ବିମଳା କପାଳରେ ଏତେ ଦୁଃଖ ଲେଖିଅଛି ? ଧନ୍ୟ ତବ ମାୟା !

 

ନାନାଦି ଚିନ୍ତାପର ଦେବ ଦିନେ ଗୃହରୁ ପଳାଇବାର ସମସ୍ତ ସ୍ଥିର କଲା । ସ୍ତ୍ରୀ ଏ ବିଷୟର ବିନ୍ଦୁ ବିସର୍ଗ ଜାଣି ପାରିଲା ନାହିଁ । ଗଭୀର ରାନ୍ତ୍ରରେ ଦେବ ପତିପ୍ରାଣ ବିମଳାକୁ ଏକାକିନୀ ଅସହାୟ ଅବସ୍ଥାରେ ରଖି ନିଃଶବ୍ଦରେ ଶଯ୍ୟାତ୍ୟାଗ କଲା । ହେ ଦେବ ! ଯେ ବିମଳାକୁ ଦିନେ ମଧ୍ୟ ଏକାକିନୀ ଛାଡ଼ି ନାହିଁ, ଯାହାର ଭଲମନ୍ଦ ତୁମ୍ଭ ଉପରେ ନ୍ୟସ୍ତ, ତାକୁ ଚିରଦିନ ନିମିତ୍ତ ତ୍ୟାଗ କରି କାହା ନିକଟରେ ରଖି ଯାଉଅଛ ?

 

ଦେବ ଶଯ୍ୟାତ୍ୟାଗ କରି ଅତି ଦ୍ରୁତଗତିରେ ଗୃହରୁ ବହିର୍ଗତ ହେଲା, ପଶ୍ଚାତକୁ ଦୃଷ୍ଟିପାତ ମଧ୍ୟ କଲା ନାହିଁ । ଗୃହତ୍ୟାଗ କରି ସେ ଇଚ୍ଛାମତ ଅଗ୍ରସର ହେବାକୁ ଲାଗିଲା । କ୍ରମେ ଲୋକାଳୟ ତ୍ୟାଗ କରି ସେ ନିର୍ଜନ ଅରଣ୍ୟ ମଧ୍ୟରେ ପ୍ରବେଶ କଲା । ଦେବର ଜ୍ଞାନ ନାହିଁ ସେ କେବଳ ଅଗ୍ରସର ହେଉଅଚ୍ଛି । ମନୁଷ୍ୟ ଛାୟା ମଧ୍ୟ ତାହା ପକ୍ଷରେ ଯନ୍ତ୍ରଣାଦାୟକ ହୋଇଅଛି । କି ଆଶ୍ଚର୍ଯ୍ୟ ପରିବର୍ତ୍ତନ !

Image

 

ତ୍ରୟୋଦଶ ପରିଚ୍ଛେଦ

ବିମଳାର ବିଳାପ

 

ଅରୁଣୋଦୟ ସଙ୍ଗେ ସଙ୍ଗେ ବିମଳାର ନିଦ୍ରାଭଙ୍ଗ ହେଲା । ଶର୍ଯ୍ୟାରେ ସ୍ୱାମୀଙ୍କୁ ନ ଦେଖି ସେ ଚମକିତ ହେଲା । ତତ୍‍କ୍ଷଣାତ୍‍ ଅତି ବ୍ୟଗ୍ରଭାବରେ ଶଯ୍ୟା ତ୍ୟାଗକରି ସେ ଅଗଣାକୁ ଆସିଲା । ସେଠାରେ ମ୍ୟଧ୍ୟ ସ୍ୱାମୀଙ୍କୁ ନ ଦେଖି ସେ ଦ୍ୱାରଦେଶରୁ ଦାଣ୍ଡକୁ ଅନାଇଲା ତାହା ମନ ମଧ୍ୟରେ ମହା ଆନ୍ଦୋଳନ ଉପସ୍ଥିତ ହେଲା । ସେ ଅତ୍ୟନ୍ତ ବ୍ୟାକୁଳ ହେଲା ।

 

‘‘ସ୍ୱାମୀ ଯେ କି ମୋତେ ଚକ୍ଷୁର ଅନ୍ତରାଳ କରନ୍ତି ନାହିଁ, ସେ ଆଜି ମୋତେ ନକହି କିପାଇଁ ଗଲେ ? –ବୋଧହୁଅ ବିଶେଷ କାର୍ଯ୍ୟବଶତଃ ଯାଇଥିବେ, ଅଥବା ମୋହ ନିଦ୍ରାଭଙ୍ଗ ହୋଇଯିବ ଏହି ଆଶଙ୍କାରେ ମୋତେ ନ ଜଣାଇ ଚାଲିଯାଇଥିବେ ।’’ ଏହିରୂପ ନାନାଦି ଚିନ୍ତାକରି ସେ କିଛି ସ୍ଥିର କରି ପାରିଲା ନାହିଁ ।

 

ସେ ପ୍ରତିମୁହୂର୍ତ୍ତରେ ସ୍ୱାମୀଙ୍କର ଆଗମନ ପ୍ରତୀକ୍ଷା କରିବାକୁ ଲାଗିଲା । ଗୃହକାର୍ଯ୍ୟରେ ତାହାର ମନ ଲାଗିଲା ନାହିଁ । ସେ ପଥପାର୍ଶ୍ୱକୁ ଅନାଇ ରହିଲା । ପ୍ରତି ପଦବିକ୍ଷେପର ଶବ୍ଦ ସ୍ୱାମୀଙ୍କ ପଦଶବ୍ଦ ବୋଲି ତାହାର ଭ୍ରମ ହେବାକୁ ଲାଗିଲା ।

 

କ୍ରମେ ଏକଘଣ୍ଟା, ଦୁଇଘଣ୍ଟା, ତିନିଘଣ୍ଟା ଅତିବାହିତ ହେଲା ମାତ୍ର ଦେବ ଆସିଲା ନାହିଁ କିମ୍ବା ତାହାର କୌଣସି ସଂବାଦ ମଧ୍ୟ ମିଳିଲା ନାହିଁ । ବିମଳା କାତର ହୋଇ ପଡ଼ିଲା । ‘ସ୍ୱାମୀଙ୍କର କି ବିପଦ ଘଟିଲା’ ଏହି ଭାବନାରେ ସେ ପାଗଳ ହୋଇ ଗଲା । ‘‘ଦୁଷ୍ଟଲୋକେ କି ତାକୁ ଅଚେତନ ଅବସ୍ଥାରେ ଘେନିଗଲେ ? ସେମାନଙ୍କର କି ଦୁରଭିସନ୍ଧ ଅଛି ? ଆମ୍ଭେମାନେ କାହାରି ଅନିଷ୍ଟ କରି ନାହୁଁ । ଆମ୍ଭମାନଙ୍କର ଅନିଷ୍ଟ କେହି ଅବା କରିବେ କି ପାଇଁ ? ସ୍ୱାମୀ କି ବିପଦରେ ପଡ଼ିଅଛନ୍ତି ? ସେ କି ଜୀବିତ ନାହାନ୍ତି ? ଏହିରୂପ ନାନାଦି ଭାବନା କରୁ କରୁ ସେ ନିସ୍ପନ୍ଦ ଭାବରେ ପଡ଼ିଗଲା ।

 

କିଛିକ୍ଷଣପର ଉଠି ବିମଳା ବ୍ୟାକୁଳ ଭାବରେ ଗୃହମଧ୍ୟରେ ଏଣେ ତେଣେ ଦୌଡ଼ି ସ୍ୱାମୀଙ୍କୁ ଖୋଜିବାକୁ ଲାଗିଲା । ଅବଶେଷରେ ନିରୁପାୟ ହୋଇ ସେ କ୍ରନ୍ଦନ କରିବାକୁ ଲାଗିଲା ।

 

ବିମଳାର କ୍ରନ୍ଦନଧ୍ୱନି ପ୍ରତିବେଶୀମାନଙ୍କର କର୍ଣ୍ଣଗୋଚର ହେବାମାତ୍ରକେ ସେମାନେ ଦୌଡ଼ିଆସି ବିମଳାକୁ ସମସ୍ତ ବୃତ୍ତାନ୍ତ ଜିଜ୍ଞାସ କଲେ । ସେମାନେ ମଧ୍ୟ ଦେବର ଏପରି ଆକସ୍ମିକ ଅଦର୍ଶନରେ ଆଶ୍ଚର୍ଯ୍ୟାନ୍ୱିତ ହେଲେ ମାତ୍ର କୌଣସି କାରଣ ନିର୍ଦ୍ଦେଶ କରିପାରିଲେ ନାହିଁ । ସମସ୍ତେ ଅବାକ୍ ! ଏ କ’ଣ ହେଲା ! ଏ କି ଦୈବ ଦୁର୍ଘଟନା ! ସୁଖର ସଂସାର ନଷ୍ଟ ହେଲା ଦେଖି ସମସ୍ତେ ମର୍ମ୍ମାହତ ହେଲେ ।

 

ପ୍ରତିବେଶିମାନେ ବିମଳାକୁ ସାନ୍ତ୍ୱନା ଦେଇ ଦେବର ଅନୁସନ୍ଧାନରେ ପ୍ରବୃତ୍ତ ହେଲେ । ସେମାନେ ବିମଳା ନିକଟ ସର୍ବଦା ରହି ତାହାର ଅସହାୟ ଅବସ୍ଥା ବିଷୟ ତାକୁ ଜାଣିବାକୁ ଦେଲେ ନାହିଁ ।

 

କ୍ରମେ ଉକ୍ତ ସଂବାଦ ଷଡ଼ଯନ୍ତ୍ରକାରିଙ୍କର କର୍ଣ୍ଣଗୋଚର ହେଲା । ସେମାନେ କୃତକାର୍ଯ୍ୟ ହୋଇଥିବା ଯୋଗୁଁ ଆନନ୍ଦିତ ହେଲେ ଓ ବିମଳାର ଅବସ୍ଥା ଦେଖିବା ନିମିତ୍ତ ଆସିଲେ । ସେମାନେ ବିମଳାକୁ ସାନ୍ତ୍ୱନା ଦେଇ ନାନାଦି କଥୋପକଥନ ଆରମ୍ଭ କଲେ ।

 

‘‘ହଁ ବିମଳା, ଦେବ ସହିତ ତୁମ୍ଭର କଳହ ହୋଇଥିଲା କି ? ତୁମ୍ଭେ ତ ସେପରି ସ୍ତ୍ରୀ ନୁଁହ-।’’

 

ବହୁକ୍ଷଣପର ଅନ୍ୟମନସ୍କ ଭାବରେ ସେ ଉତ୍ତର ଦେଲା ‘‘ନାହିଁ ତ ।’’

 

‘‘ତେବେ ଦେବ ହଠାତ୍ ଏପରି କାର୍ଯ୍ୟକଲା କାହିଁକି ? ସେ ବୁଦ୍ଧିମାନ ଓ ବିଦ୍ୱାନ । ସେ ଏପରି କରିବା ଅସମ୍ଭବ ।’’

 

ତହଁ ମଧ୍ୟରୁ ଜଣେ କହିଲା ‘‘ଆଲୋ ନାନୀ, କିଛିଦିନ ହେଲା ଦେବର ମନର ଅବସ୍ଥା ବଡ଼ ଖରାପ ହୋଇଥିଲା ସେ ଗୃହଛାଡ଼ି ପଳାଇ ଯିବାକୁ ବ୍ୟସ୍ତ ହେଉଥିଲା ।

 

‘‘ତୁ କିପରି ଜାଣିଲୁ ?’’

 

‘‘ସେ ମୋହ ସ୍ୱାମୀଙ୍କ ନିକଟ ସମସ୍ତ ପ୍ରକାଶ କରି କହିଥିଲେ । ତେଣୁକରି ସେ ଅନେକ ବୁଝାଇ ତାକୁ ଏତେଦିନ ରଖିଥିଲେ । ବର୍ତ୍ତମାନ କ’ଣ ମନେ ପାଞ୍ଚି ଦେବବାବୁ ହଠାତ୍ ଚାଲିଯାଇ ଅଛନ୍ତି ।’’

 

‘‘ଦେବ ଗୃହତ୍ୟାଗ କରିବାକୁ କହୁଥିଲା, ଏହାର କାରଣ କ’ଣ ?’’

 

‘‘ଆଉ କ’ଣ କହିବି ନାନୀ ? ପୁରୁଷଜାତି ଅତି ସନ୍ଦିଗ୍ଧମନା, ସେମାନଙ୍କର ଟିକିଏ କଥାରେ ସନ୍ଦେହ ।’’

 

‘‘କି ସନ୍ଦେହ ଲୋ ? ଦେବତ ସେପରି ନଥିଲା ।’’

 

‘‘ହଁ, ଏଣିକି ସେ ସଦା ବିରକ୍ତ ଓ ଅଶାନ୍ତି ଭୋଗ କରୁଥିଲେ ।’’

 

‘‘ହଁ ଲୋ, କ’ଣ ହୋଇଥିଲା ? ସମସ୍ତ କହ, ମୋହ ରାଣ ।’’

 

‘‘ବିମଳା ସଚ୍ଚରିତ୍ରା ନୁହେଁ ଏହି ଧାରଣା ଦେବର ମନରେ ପ୍ରବେଶ କରିଥିଲା ।’’

 

‘‘ସେ କି ପାଗଳ ? ଏହା କି କଦାପି ହୋଇପାରେ ?

 

ନିର୍ଦ୍ଦୋଷୀ ବିମଳା ଉପରେ ତାହାର ଅବିଶ୍ୱାସ ହେଲା କିପରି !’’

 

‘‘କିଏ ଜାଣେ କାହିଁକି ।’’

 

ଏହା ଶୁଣି ଅନ୍ୟାନ୍ୟ ପ୍ରତିବେଶିମାନେ ନିଃଶ୍ଚଳ ଭାବରେ ହତବୁଦ୍ଧି ହୋଇ ବସି ପଡ଼ିଲେ । ବିମଳା କପାଳରେ ଏପରି ଆକସ୍ମିକ ବିପଦ ଘଟିବ ଏହା ସେମାନେ ସ୍ୱପ୍ନରେ ମଧ୍ୟ ଭାବି ନ ଥିଲେ ‘କି ଉପାୟ ହେବ ’ ଏହି ଭାବନାରେ ସେମାନେ ବ୍ୟସ୍ତହୋଇ ପଡ଼ିଲେ । ତଦପର ସମସ୍ତେ ବିମଳାକୁ ନାନାଦି ସାନ୍ତ୍ୱନା ଦେଇ ଦେବର ପ୍ରତ୍ୟାଗମନର ଆଶା ଦେଲେ ଓ ଆପଣା ଆପଣା କାର୍ଯ୍ୟରେ ଚାଲିଗଲେ ।

 

ବିମଳା ଏତେକ୍ଷଣ ଚୁପ ଥିଲା । ବର୍ତ୍ତମାନ ବିପଦର ଆଭାସ ମଧ୍ୟ ସେ କେବେହେଁ ପାଇ ନଥିବାରୁ ଅଧିକ ମର୍ମ୍ମାହତ ହେଲା । ସ୍ୱାମୀଙ୍କ ମନରେ ସନ୍ଦେହ ହୋଇଅଛି ଏହା ତାହା ପକ୍ଷରେ ମୃତ୍ୟୁଠାରୁ ଅଧିକ ଯନ୍ତ୍ରଣା ଦାୟକ ହୋଇ ପଡ଼ିଲା । ସ୍ୱାମୀ ଯେ ତାକୁ ତ୍ୟାଗ କରି ଯାଇ ଅଛନ୍ତି କ୍ରମେ ଏହା ବିଶ୍ୱାସ ତାହା ମନରେ ବନ୍ଧମୂଳ ହେଲା । ସେ କିଂକର୍ତ୍ତବ୍ୟ ବିମୂଢ଼ ହୋଇ ପଡ଼ିଲା ।

 

ସେ ଭାବିବାକୁ ଲାଗିଲା ‘‘ଭଗବାନ ମୋହ କପାଳରେ ଏତେ ଦୁଃଖ ଏତେ ଅପମାନ ରଖିଥିଲେ କାହିଁ କି ? ମାତୃ ଗର୍ଭରେ ମୋହର ମୃତ ହେଲା ନାହିଁ କି ପାଇଁ ?’’

 

‘‘ସ୍ୱାମୀ ମୋତେ ତ୍ୟାଗ କଲେ ମାତ୍ର ମୁଁ ସ୍ୱାମୀଗୃହ ତ୍ୟାଗ କରିପାରେ ନା । ଏହା ଅନୁଚିତ । ସ୍ୱାମୀଙ୍କର ସୁଖର ସଙ୍ଗିନୀ ହୋଇ ନପାରି ମୁଁ ତାଙ୍କର ଅଶାନ୍ତିର କାରଣ ହେଲି । ଧିକ ମୋହ ଜୀବନରେ !’’

 

‘‘ହେ ଭଗବାନ, ତୁମ୍ଭେ ମୋତେ ଏହି ଦୁଃଖ ଦେବା ପାଇଁ ଜନ୍ମ ଦେଇଥିଲ କି ? ତୁମ୍ଭର ଏ କି ବିଚାର ? ସ୍ୱାମୀ ମୋହର କେଉଁଠି ଗଲେ ? ହେ ଭଗବାନ ! ତାଙ୍କୁ ସୁଖରେ ରଖନ୍ତୁ ! ତାଙ୍କର ଅଶାନ୍ତି ଦୂର କରି ତାଙ୍କୁ ପୂର୍ଣ୍ଣ ଶାନ୍ତି ଦିଅନ୍ତୁ ! ମୋତେ ତ୍ୟାଗ କରି ତାଙ୍କର ଯେବେ ଶାନ୍ତି ହୁଏ ସେଥିରେ ମୁଁ ସନ୍ତୁଷ୍ଟ, ମୋହର ଆପତ୍ତି ନାହିଁ ।’’

 

‘‘ହେ ସ୍ୱାମୀ ! ତୁମ୍ଭେ ଶାନ୍ତିରେ ଥାଅ । ମୋହର ମୁଖଦର୍ଶନ କଲେ ତୁମ୍ଭର ଯେବେ ଅଶାନ୍ତି ହୁଏ ତେବେ ମୁଖଦର୍ଶନ କର ନା, ମୋତେ ସମ୍ପୂର୍ଣ୍ଣରୂପେ ଭୁଲି ଯାଅ । ଅସତୀ ବିମଳାର ନାମଟି ମଧ୍ୟ ହୃଦୟରେ ସ୍ଥାନ ଦିଅ ନା । ବିମଳା କୂଳକଳଙ୍କିନୀ, ତାହାର ନରକରେ ସ୍ଥାନ, ତାହା ସହିତ ତୁମ୍ଭର ସମ୍ପର୍କ କଦାପି ଚିରଦିନ ରହି ନ ପାରେ । ହେ ସ୍ୱାମୀ ! ତୁମ୍ଭେ ମୋତେ ଭୁଲି ଯାଇ ସୁଖୀ ହୁଅ । ତୁମ୍ଭେ ଶାନ୍ତି ପାଇଲେ ହିଁ ମୋହର ଯଥେଷ୍ଟ ।’’

 

‘‘ସ୍ୱାମୀଙ୍କର ଏପରି ପରିବର୍ତ୍ତନର କାରଣ କ’ଣ ? ସେତ ମୋତେ କେବେ ହେଁ ଅବିଶ୍ୱାସ କରି ନଥିଲେ । ସେତ ବିବାହ ଦିନୁ ମୋତେ ମନ ପ୍ରାଣ ସମର୍ପଣ କରିଥିଲେ । ଆମ୍ଭେ ଦୁହେଁ ତ ଏକ ଆତ୍ମାରୂପେ ବାସ କରୁଥିଲୁ । ସେ ବିଦ୍ୱାନ ଓ ଦେବସ୍ୱଭାବ । ସେ ମୋତେ କେବେ ହେଁ ଅସତୀ ବୋଲି ମନେକରି ନ ପାରନ୍ତି ।’’

 

‘‘ହେ ସ୍ୱାମୀ ! ତୁମ୍ଭେ ମୋତେ ଅବିଶ୍ୱାସିନୀ ମନେ କରିଅଛ ନଚେତ୍ ତ୍ୟାଗ କରି ଗଲ କିପାଇଁ ? –ତ୍ୟାଗ କରିଅଛ, ଭଲ କରିଅଛ ମାତ୍ର ମୋତେ ଏ ବିଷୟ କିଛି ଜଣାଇଲ ନାହିଁ କିପାଇଁ-? ମୋହ ଚରିନ୍ତ୍ର ବିଷୟରେ ସନ୍ଦେହ ହେବା ମାତ୍ରକେ ମୋତେ କଳଙ୍କ ମୋଚନର ସୁବିଧା ଦେଲ ନାହିଁ କିପାଇଁ ? ଅବଳା ବାଳିକାର ଗୁହାରି ନଶୁଣି ତାକୁ ନିରାଶ୍ରୟ ଭାବରେ ତ୍ୟାଗ କଲ କିପାଇଁ ? ଏତ ପୁରୁଷୋଚିତ କାର୍ଯ୍ୟ ହେଲାନାହିଁ । ତୁମ୍ଭ ନିଶ୍ଚୟ ପର କଥାରେ ପଡ଼ି ମୋହର ଏପରି ଦୁର୍ଦ୍ଦଶା କରିଅଛ । ଏ ନିଶ୍ଚୟ ପୂର୍ବ ଷଡ଼ଯନ୍ତ୍ରକାରିମାନଙ୍କର କାର୍ଯ୍ୟ । ମୋହ କପାଳ ! ତୁମ୍ଭର ଦୋଷ କ’ଣ-?’’

 

‘‘ସ୍ତ୍ରୀଜାତୀର ଜୀବନ କି ବିପଦ ସଙ୍କୁଳ ! ପ୍ରତିପଦରେ ସେମାନଙ୍କର ବିପଦ ଘଟି ପାରେ । ଭଗବାନ, ତୁମ୍ଭର ନ୍ୟାୟ ରାଜ୍ୟରେ ଏପରି ଅନ୍ୟାୟ ବିଚାର କିପାଇଁ ? ମୋହର କପାଳ ଦୋଷ ! ମୋହ କପାଳରେ ସୁଖ ଥିଲେ ଦେବସ୍ୱଭାବ ସ୍ୱାମୀ ମୋତେ କି ସନ୍ଦେହ କରି ଗୃହତ୍ୟାଗ କରିଥାନ୍ତେ ? ତାଙ୍କ ପବିନ୍ତ୍ର କୂଳରେ ଏପରି କଳଙ୍କ କି ସ୍ପର୍ଶ କରିଥାନ୍ତା ? ହେ ପିତୃଦେବ, ହେ ମାତା ଠାକୁରାଣୀ, ଦେଖ ଆସ, ତୁମ୍ଭମାନଙ୍କର ସ୍ନେହର ବିମଳାର ଆଜି କି ଦୁର୍ଦ୍ଦଶା ! ହେ ଦେବତାମାନେ, ଦୃଷ୍ଟିପାତ କର ମୋହର କି ଦୁର୍ଦ୍ଦଶା ! ମୋହ ପରି ହତଭାଗିନୀର ନରକରେ ମଧ୍ୟ ସ୍ଥାନ ନାହିଁ ।’’

Image

 

ଚତୁର୍ଦ୍ଦଶ ପରିଚ୍ଛେଦ

ମହାପୁରୁଷ ଦର୍ଶନ

 

ଏହି ସଂସାରକ୍ଷେତ୍ର କେବଳ ମାନବର ପରୀକ୍ଷାକ୍ଷେତ୍ର ମାତ୍ର । ଭଗବାନ ମନୁଷ୍ୟକୁ ନାନାପ୍ରକାର ବିପଦରେ ପକାଇ ପରୀକ୍ଷା କରନ୍ତି । ତାଙ୍କ ପରୀକ୍ଷା ଶେଷ ହେବା ମାତ୍ରକେ ମାନବର ଦୁଃଖ ଯାଏ । ସେ ପରୀକ୍ଷା ବିଷମ ପରୀକ୍ଷା । ଯେ ବ୍ୟକ୍ତି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୁଏ ସେ ବିମଳ ଆନନ୍ଦ ଚିରଦିନ ଭୋଗ କରେ ମାତ୍ର ଯେ ଉତ୍ତୀର୍ଣ୍ଣ ହୋଇ ନ ପାରେ ସେ ଚିରଦିନ ଦୁଃଖସାଗରରେ ନିମଗ୍ନ ରହେ ତାହାର ଦୁଃଖର ସୀମା ନ ଥାଏ ।

 

ଆମ୍ଭମାନଙ୍କର ବିମଳାର ସଂସାର ପରୀକ୍ଷା ଶେଷ ହୋଇ ଅଛି । ସେ ପରୀକ୍ଷାରେ ଉର୍ତ୍ତୀର୍ଣ୍ଣ ହୋଇ ଅଛି । ଭଗବାନ ବର୍ତ୍ତମାନ ତାହା ପାଇଁ ବ୍ୟାକୁଳ । ବିମଳା ମନର ଶାନ୍ତି ନଷ୍ଟ ହୋଇ ଅଛି । ସେ ଶାନ୍ତି ପାଇବ କିପରି ଏହାର ଉପାୟ ଆବଶ୍ୟକ । ଭଗବାନ ଉକ୍ତ ଉପାୟ କରିବାକୁ ମନସ୍ଥ କଲେ ।

 

ଅରଣ୍ୟ ମଧ୍ୟରେ ଯାଉଁ ଯାଉଁ ଦେବ ହଠାତ୍ ଏକ ମହାପୁରୁଷଙ୍କ ସାକ୍ଷାତ ଲାଭ କଲା । ମହାପୁରୁଷଙ୍କ ସୌମ୍ୟ ଓ ପବିତ୍ରତା ବ୍ୟଞ୍ଜକ ଶାନ୍ତମୂର୍ତ୍ତି ଦର୍ଶନ ମାତ୍ରକେ ଦେବ ତାଙ୍କପ୍ରତି ଆକୃଷ୍ଟ ହୋଇ ପଡ଼ିଲା । ଦେବ ତାଙ୍କୁ ଦଣ୍ଡବତ କରି ସତୃଷ୍ଣନୟନରେ ତାଙ୍କ ଆଜ୍ଞା ଅପେକ୍ଷା କରିବାକୁ ଲାଗିଲା । ମହାପୁରୁଷ ମଧ୍ୟ ଦେବର ମନଭାବ ବୁଝିପାରି ତାକୁ ଆପଣା ଆଶ୍ରମକୁ ଘେନି ଗଲେ । ଆଶ୍ରମ ପ୍ରବେଶ ମାତ୍ରକେ ସେଠାକାର ପବିନ୍ତ୍ର ବାୟୁ ସ୍ପର୍ଶେ ଦେବର ମୋହ ଭାଙ୍ଗିଗଲା । ସେ ଅନେକ ପରିମାଣରେ ସୁସ୍ଥ ବୋଧ କଲା । ଧନ୍ୟ ମହାପୁରୁଷ ! ଧନ୍ୟ ତବ ଆଶ୍ରମ ! ଆଶ୍ରମଟି ପବିନ୍ତ୍ରତା ଓ ନିର୍ଜତାରେ ଇନ୍ଦ୍ରଙ୍କ ଅମରାବତୀ ତୁଲ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ ।

 

ଆଶ୍ରମଟି ସୁନ୍ଦର ଫୁଲ ଓ ଫଳ ବୃକ୍ଷରେ ପରିପୂର୍ଣ୍ଣ । ଚତୁର୍ଦ୍ଦିଗ ଜନଶୂନ୍ୟ । ମହାପୁରୁଷ ଯୋଗବଳରେ ପୂର୍ବରୁ ସମସ୍ତ ବୁଝି ପାରି ଥିବାରୁ ମୁଣ୍ଡ ହଲାଇ ଦେବକୁ ଉପବେଶନ କରିବା ଲାଗି ସଙ୍କେତ ଦେଲେ । ସେ ଦେବକୁ ଆଶ୍ରମସ୍ଥିତ ଫଳମୂଳମଧ୍ୟରୁ କିଞ୍ଚିତ ଦେଲେ । ଦେବ ତାହା ଆହାର କରିବା ମାତ୍ରକେ ଅପୂର୍ବ ଆନନ୍ଦ ବୋଧ କଲା ।

 

ଦେବ କିଛିକ୍ଷଣ ବିଶ୍ରାମ ନେଲାପର ମହାପୁରୁଷ ତାକୁ ନିର୍ଜନରେ ନାନାବିଧ ଉପଦେଶ ଦେବାକୁ ଲାଗିଲେ । ଦେବ ଚିତ୍ରାର୍ପିତବତ୍ ମନୋଯୋଗ ସହିତ ସମସ୍ତ ଶ୍ରବଣ କଲା ।

 

ମହାପୁରୁଷ କହିଲେ ‘‘ତୁମ୍ଭର ଅଶାନ୍ତିର ମୂଳକାରଣ ସ୍ତ୍ରୀ ଉପରେ ସନ୍ଦେହ । ଏହା ସତ କ ନା ?’’

 

ଦେବ ଅବାକ୍ ! ‘‘ମୋହର ମନର କଥା ମହାପୁରୁଷ କିପରି ବୁଝିଲେ ? ସେ କି ମନର କଥା ବୁଝି ପାରନ୍ତି ?’’ ଦେବ ତାଙ୍କ ପଦତଳେ ଆତ୍ମବିସର୍ଜନ କଲା ।

 

ମହାପୁରୁଷ ପୁଣି କହିବାକୁ ଲାଗିଲେ ‘‘ତୁମ୍ଭ ଗୃହ ନିକଟବର୍ତ୍ତୀ ପ୍ରତିବେଶିମାନେ ବିମଳା ଗୁଣରେ ଈର୍ଷାନ୍ୱିତ ହୋଇ ମହାଦେବବାବୁ ସଂସାରଧର୍ମରେ ଥିବା ସମୟରେ ଥରେ ଏପରି ଷଡ଼ଯନ୍ତ୍ର କରି ତାହାର ସର୍ବନାଶ କରିବାର ଚେଷ୍ଟା କରିଥିଲେ ମାତ୍ର ବିଫଳମନୋରଥ ହୋଇଥିଲେ-। ବର୍ତ୍ତମାନ ବିମଳାକୁ ଏକାକିନୀ ଅସହାୟା ପାଇ ମିଥ୍ୟା ଅପବାଦ ଦେଇ ତୁମ୍ଭକୁ ଭୁଲାଇ ଏପରି ଘଟନା ଘଟାଇ ଅଛନ୍ତି । ବିମଳା ସଚ୍ଚରିତ୍ରା । ତାହାର ପବିତ୍ର ଚରିତ୍ରରେ କିଛି ମାତ୍ର ଦୋଷ ନାହିଁ ମୁଁ ଭଲରୂପେ ଜାଣେ । ସରଳା ବାଳିକାକୁ ବୃଥାରେ ଏ ରୂପ କଷ୍ଟ ଦେବା ମହାପାପ । ତୁମ୍ଭେ ଗୃହକୁ ଫେରିଯାଅ । ତୁମ୍ଭେ ସେଠାରେ ଶାନ୍ତି ପାଇବ । ମୋହ ଆଶୀର୍ବାଦ ଅକ୍ଷରେ ଅକ୍ଷରେ ଫଳିବ ।’’

 

ଏହା ସମସ୍ତ ଶୁଣି ଦେବର ମୋହଭଙ୍ଗ ହେଲା । ‘ମହାପୁରୁଷ ଆମ୍ଭମାନଙ୍କର ସାଂସାରିକ ଘଟଣା ସମସ୍ତ କିପରି ଜାଣିଲେ ?’ ଦେବ ମନ ମଧ୍ୟରେ ଭୟାନକ ଆନ୍ଦୋଳନ ଉପସ୍ଥିତ ହେଲା । ଏ କି ସିଦ୍ଧପୁରୁଷ !

 

କ୍ଷଣକପର ମହାପୁରୁଷ ପୁଣି କହିବାକୁ ଲାଗିଲେ ‘‘ବସ୍ତ୍ର ! ଏ ସଂସାର ଅସାର, ଅନିତ୍ୟ, ଚିରସ୍ଥାୟୀ ନୁହେଁ, ମନୁଷ୍ୟ କେବଳ ମାୟାଛନ୍ନ । ଏହା ହୃଦୟଙ୍ଗମ କରି ବୃଥା ଦୁଃଖ କରିବା ଉଚିତ ନୁହେଁ । ଏ ସଂସାରରେ ଜୟୀ ହେବାକୁ ଚେଷ୍ଟାକର ନଚେତ୍ ଶାନ୍ତି ପାଇବ ନାହିଁ ।

 

ଦେବ ପ୍ରଶ୍ନକଲା ‘‘ମହାରାଜ ! କିପରି ଜୟୀ ହେବି ? ଉପାୟ କ’ଣ ?’’

 

‘ରିପୁ ଦମନ କରିବା ପ୍ରଥମ ଆବଶ୍ୟକ । ସେମାନେ ଆମ୍ଭମାନଙ୍କର ପ୍ରଧାନ ଶନ୍ତ୍ରୁ ।’’

 

‘‘ଏ ସଂସାରରେ ଆମ୍ଭମାନଙ୍କୁ କି ଉଦ୍ଦେଶ୍ୟ ସାଧନ କରିବାକୁ ହେବ ?’’

 

‘‘ତ୍ୟାଗସ୍ୱୀକାର ଆବଶ୍ୟକ । ନିଜେ ଅଶେଷ କଷ୍ଟ, ଦୁଃଖ ଭୋଗ କରି ମଧ୍ୟ ପରମଙ୍ଗଳ ସାଧନ କରିବାକୁ ହେବ । ସେବାବ୍ରତ ହିଁ ଜୀବର ପ୍ରଧାନ ଧର୍ମ ।’’

 

‘‘ସତ୍ ବା ଭକ୍ତିପଥର କଣ୍ଟକ କ’ଣ ?’’

 

‘‘ରିପୁ । ରୋଗ, ଶୋକ ଇତ୍ୟାଦିକୁ କେହି କେହି ଭକ୍ତି ପଥର କଣ୍ଟକ ମଣନ୍ତି ମାତ୍ର ତାହା ପ୍ରକୃତ ନୁହେଁ । ସେମାନେ ମନୁଷ୍ୟକୁ ଶିକ୍ଷା ଦିଅନ୍ତି ଓ ଭକ୍ତିପଥକୁ ଘେନି ଯିବାକୁ ବିଶେଷ ସାହାଯ୍ୟ କରନ୍ତି । ଯେପରି ଅନ୍ଧକାର ନ ଥିଲେ ଆଲୋକର ଗୁଣ ବୋଧଗମ୍ୟ ହୁଏ ନାହିଁ, ସେହିପରି ରୋଗ, ଶୋକ ନ ଥିଲେ, ସୁଖ କ’ଣ, ଶାନ୍ତି କ’ଣ ଏହା ମାନବ ହୃଦୟଙ୍ଗମ କରି ପାରନ୍ତା ନାହିଁ ଓ ତାହା ପାଇବା ନିମିତ୍ତ ଆକାଂକ୍ଷା ମଧ୍ୟ କରନ୍ତା ନାହିଁ ।’’

 

ଦେବ ଉତ୍ତର କଲା ‘‘ମହାରାଜ, ଶାନ୍ତି ଲାଭର ଉପାୟ କ ’ ଣ ?’’

 

‘‘ଶାନ୍ତି ଆପଣା ମନ ମଧ୍ୟରେ ଅଛି ଜାଣିବା । କୌଣସି ବିପଦ ପାତରେ ବା ଦୁଃଖରେ ଅଭିଭୂତ ହେବ ନାହିଁ । କେବେ ହେଁ ଧୈର୍ଯ୍ୟ ନଷ୍ଟ କରିବ ନାହିଁ । ଜଣେ ମନୁଷ୍ୟ ଯାହାକୁ ସୁଖ ମନେକରେ, ଅନ୍ୟଜଣେ ତାକୁ ଦୁଃଖ ମନେକରେ ସୁତରାଂ ଆମ୍ଭମାନଙ୍କର ଜ୍ଞାନ ହିଁ ସୁଖ ଦୁଃଖର ମୂଳ ଜାଣିବା । ତୁମ୍ଭେ ଅସଦ୍‍ ଉପାୟରେ ଧନ ଉପାର୍ଜନକୁ ଖରାପ ମନେକର, ଅନ୍ୟଜଣେ ତାକୁ ସୁଖ ମନେକରେ । ତୁମ୍ଭେ ଇନ୍ଦ୍ରିୟ ସେବାକୁ ପାପ ମନେକର, କେହି ଅବା ତାକୁ ସଂସାରର ସୁଖ ମନେ କରି ସେଥିରେ ସର୍ବଦା ମତ୍ତ ଥାଏ । ତୁମ୍ଭେ ନିଜର ସାଂସାରିକ ଓ ଆର୍ଥିକ କଷ୍ଟ ସହ୍ୟକରି ସ୍ୱଦେଶର ବା ପରମଙ୍ଗଳ ସାଧନଦ୍ୱାରା ବିମଳ ଆନନ୍ଦ ଭୋଗକର, କେହି ଅବା ତାହା ଅନୁଚିତ ମନେକରି ନିଜ ମଙ୍ଗଳ ସାଧନାକୁ ହିଁ ଅଧିକ ସୁଖ ମନେକରେ ।’’

 

ଦେବ ମହାପୁରୁଷଙ୍କ ଉପଦେଶ ଶ୍ରବଣ ମାତ୍ରକେ ଏ ସଂସାରକୁ ଭିନ୍ନଭାବରେ ଦେଖିବାକୁ ଲାଗିଲା । ସେ ଯେପରି ନବଜୀବନ ପ୍ରାପ୍ତ ହେଲା ଓ ଅନିର୍ବଚନୀୟ ଆନନ୍ଦ ଉପଭୋଗ କରିବାକୁ ଲାଗିଲା । ତାହାର ସମୁଦାୟ ଅଶାନ୍ତି ଦୂରହେଲା । ବିଧାତାଙ୍କ ମନୋବାଞ୍ଛା ପୂର୍ଣ୍ଣ ହେଲା-

 

ମହାପୁରୁଷଙ୍କ ଉପଦେଶ ପାଇ ଦେବ ପ୍ରକୃତ ଶାନ୍ତି ପାଇଲା । ତାହାର ପୂର୍ବଭାବ ପରିବର୍ତ୍ତିତ ହେଲା । ତାହାର ଶୋକ, ତାପ ଦୂର ହେଲା । ସେ ନିର୍ଲିପ୍ତଭାବରେ ସଂସାରରେ ରହିବାକୁ ମନସ୍ଥ କଲା । ଦେବର ହୃଦୟାକାଶରେ ଯେ ଅଶାନ୍ତିରୂପ ମେଘଖଣ୍ଡି ଦୃଷ୍ଟିଗୋଚି ହେଉଥିଲା ତାହା ଅନ୍ତର୍ହିତ ହେଲା । ସେ ପୁଣି ଗୃହକୁ ଲେଉଟି ଯିବାକୁ ମନସ୍ଥ କଲା । ବିମଳା ଯେ ସତୀ ଏହା ତାହା ମନରେ ବଦ୍ଧମୂଳ ହେଲା । ବିମଳାର ପୂର୍ବସ୍ୱଭାବ ସ୍ମରଣକରି ସେ ଆପଣାର ଭ୍ରମ ବୁଝି ଅଧିକ ଦୁଃଖିତ ହେଲା । ବିମଳାକୁ ଅଯଥା ଏପରି କଷ୍ଟ ଦେଇଥିବା ଯୋଗୁଁ ତାହାର ଅନୁତାପ ହେଲା । ବିମଳା ବର୍ତ୍ତମାନ କିପରି ଅବସ୍ଥାରେ ଅଛି ଏହା ଜାଣିବା ଲାଗି ତାହାର ମନ ବ୍ୟାକୁଳ ହେଲା । ଧନ୍ୟ ଭଗବାନ ! ଧନ୍ୟ ତବ ମହିମା !

Image

 

ପଞ୍ଚଦଶ ପରିଚ୍ଛେଦ

ଦୈବ ଯୋଗ

 

ଦିନପର ଦିନଗଲା ମାତ୍ର ଦେବର କୌଣସି ସଂବାଦ ମିଳିଲା ନାହିଁ । ବିମଳା ମନରେ ପୂର୍ବଭାବ ଦୃଢ଼ବଦ୍ଧ ହେଲା । ସେ ଅନ୍ୟ ଲୋକଙ୍କୁ ଏ ପାପ ମୁଁହ ଦେଖାଇବାକୁ ମଧ୍ୟ ଲଜ୍ଜିତ ହେଲା-

ସେ ଦିନେ ଭାବିଲା ‘‘ଏ ବିମଳା ନାମ ସଂସାରରେ ଥିଲେ ଲୋକଙ୍କର ପାପଆଡ଼େ ମନ ଯାଇପାରେ । ଯେ ଅସତୀ, ଯେ ଦେବସ୍ୱଭାବ ସ୍ୱାମୀ କର୍ତ୍ତୃକ ତ୍ୟକ୍ତ, ତାହାର ପୃଥିବୀରେ ସ୍ଥାନ ନାହିଁ-।’’ ଅଗତ୍ୟା ସେ ଆତ୍ମହତ୍ୟାଦ୍ୱାରା ମନର ଅଶାନ୍ତି ଦୂର କରିବାକୁ ମନସ୍ଥ କଲା ।

‘‘କିପରି ଏ ପାପମୟ ଜୀବନର ଅବସାନ କରିବି ? ବେକରେ ଦୌଡ଼ି ଦେବି ? –ନା, ଯଦି କେହି ଦେଖି ପକାଏ; ଯଦି ଏଥିରେ ଜୀବନ ନଯାଏ । ପୋଖରୀରେ ପଡ଼ି ପ୍ରାଣ ବିସର୍ଜନ ଦେଇ ପାରେଁ ମାତ୍ର ମୁଁ ଗୃହରୁତ ବାହାର ହୁଏ ନାହିଁ କିପରି ହେବ ? ସ୍ୱାମୀଗୃହ ତ୍ୟାଗ କରିବା ସତୀ ସ୍ତ୍ରୀର କି ଉଚିତ ? –କଦାପି ନୁହେଁ । ମୁଁ ଏହି ଗୃହରେ ଥାଇଁ ପ୍ରାଣ ବିସର୍ଜନ କରିବି କଦାପି ଗୃହରୁ ବାହାର ହେବି ନାହିଁ । ଶ୍ୱଶୁରାଳୟ ପୁତ୍ତ୍ରବଧୁ ପକ୍ଷରେ ତୀର୍ଥସ୍ଥାନ ସ୍ୱରୂପ ଏହା ତ୍ୟାଗ କରିବା ମହାପାପ ମୁଁ ଏହା କେବେହେଁ କରିପାରିବି ନାହିଁ ।’’

‘‘ଅଫିମ ଖାଇ ପ୍ରାଣତ୍ୟାଗ କରିବା ହିଁ ମୋହ ପକ୍ଷରେ ଶ୍ରେୟସ୍କର ।’’ ଏଣୁ କରି ସୁଯୋଗ ବୁଝି ସେ ଅତି ଗୋପନରେ ବଜାରରୁ ଅଫିମ କିଣି ଅଣାଇଲା । ଅଫିମ ପାନ୍ତ୍ରରେ ରଖି ଜଳସହିତ ମିଶ୍ରିତ କଲା ।

ଗଭୀର ରାନ୍ତ୍ରରେ ଅଫିମ ମିଶ୍ରିତ ଜଳପାନ କରିବା ନିମିତ୍ତ ସେ ପ୍ରସ୍ତୁତ ଏପରି ସମୟରେ ତାହାର ମନେ ହେଲା ‘‘ଜୀବ ଭଗବାନଙ୍କ ସୃଷ୍ଟ ତେଣୁ ତାଙ୍କଠାରୁ ବିଦାୟ ନେବା ଆବଶ୍ୟକ ।’’ ତତ୍‍ପରେ ସେ ଭଗବାନଙ୍କୁ କାତରଭାବରେ ଅନେକ ଡାକିଲା ‘‘ହେ ଭଗବାନ, ମୋହଦ୍ୱାରା ଯେତେବେଳେ ସ୍ୱାମୀଙ୍କର ଶାନ୍ତିସୁଖ ବୃଦ୍ଧିହେବା ଦୂରେ ଥାଉ ତାହା ଦୂରହେଲା ତେତେବେଳେ ମୋହର ଜୀବନ ବୃଥା । ମୋହ ପାଇଁ ସ୍ୱାମୀଙ୍କ ପବିନ୍ତ୍ର କୂଳରେ କଳଙ୍କ ଲାଗିଲା, ମୋହ ପାଇଁ ସ୍ୱାମୀ ଗୃହତ୍ୟାଗୀ ହେଲେ । ମୁଁ ଅସତୀ ବୋଲି ଜନସମାଜରେ ପ୍ରଚାରିତ ହେଲି । ସତୀତ୍ୱହିଁ ସ୍ତ୍ରୀର ଭୁଷଣ ଅସତୀ ସ୍ତ୍ରୀର ପ୍ରାଣଧାରଣା ଅନୁଚିତ । ମୋତେ ବିଦାୟ ଦିଅନ୍ତୁ ! ମୋହର ପାପମୟ ଜୀବନର ଅବସାନ କରନ୍ତୁ !’’

 

ଭଗବାନ ସତୀ ସ୍ତ୍ରୀର କ୍ରନ୍ଦନରେ ସ୍ଥିର ରହି ପାରିଲେ ନାହିଁ । ସେ ପ୍ରତୀକାର ବ୍ୟବସ୍ଥା କଲେ ।

 

ସେହିରାତ୍ରରେ କି’ଏ ଜାଣେ କାହିଁକି ବିମଳାର ଅପିମ ଖାଇବାର ଇଚ୍ଛା ଆଉ ହେଲା ନାହିଁ ।

 

ଏଣେ ସିଦ୍ଧପୁରୁଷଙ୍କ ଉପଦେଶମତେ ଦେବର ଗୃହକୁ ଲେଉଟିବା ଇଚ୍ଛା ବଳବତୀ ହେଲା । ମହାପୁରୁଷ ତାକୁ ଅନେକ ଆଶୀର୍ବାଦ କରି ସୁଖରେ ସଂସାର ଯାତ୍ରା ନିର୍ବାହ ନିମିତ୍ତ ନାନାଦି ଉପଦେଶ ଦେଇ ଘରକୁ ଲେଉଟି ଯିବାକୁ ବିଦାୟ ଦେଲେ । ଦେବ ମହାପୁରୁଷଙ୍କ ପଦଧୂଳି ଗ୍ରହଣ କରି ଶାନ୍ତିମୟ ଆଶ୍ରମପ୍ରତି ପୁନଃ ପୁନଃ ଦୃଷ୍ଟିନିକ୍ଷେପ କରୁ କରୁ ସଜଳନୟନରେ ଗୃହାଭିମୁଖରେ ଯାତ୍ରା କଲା ।

 

ଆଶ୍ରମ ତ୍ୟାଗ କରି ଦେବ ଗୃହାଭିମୁଖରେ ଯାତ୍ରା କଲା । ପଥରେ ଅଗ୍ରସର ହେଉଁ ହେଉଁ ସେ ଗୃହପ୍ରତି ଏକ ଅପୂର୍ବ ଆକର୍ଷଣ ଅନୁଭବ କରିବାକୁ ଲାଗିଲା । ହଠାତ୍ ତାହା ମନରେ ଭୟାନକ ଦୁଃଶ୍ଚିନ୍ତା ଉପସ୍ଥିତ ହେଲା । ସେ ବିଦ୍ୟୁତ୍ ବେଗରେ ଦୌଡ଼ିବାକୁ ଲାଗିଲା ।

 

ପାଠକ ପାଠିକାମାନେ ବର୍ତ୍ତମାନ ବିମଳା କିପରି ଅବସ୍ଥାରେ ଅଛି ଦେଖିବା ଚାଲ । ସେ ବିମଳା ଅର୍ଦ୍ଧମୃତା ଅବସ୍ଥାରେ ଗୃହର ଏକ ପାର୍ଶ୍ୱରେ ପଡ଼ି ରହିଛି । ପ୍ରତିବେଶିମାନେ ତାହାର ସେବାଦି କରୁଅଛନ୍ତି, ସାନ୍ତ୍ୱନା ଦେଉ ଅଛନ୍ତି ମାତ୍ର ବିମଳାର ମନୋଭାବ କିଞ୍ଚିତ ମାତ୍ର ପରିବର୍ତ୍ତିତ ହୋଇ ନାହିଁ । ସେ ଭାବୁଅଛି ‘‘ଆଜି ନିଶ୍ଚୟ ଏହି ଦୁଃଖମୟ ଜୀବନର ଅବସାନ କରିବି । କାଲି ଆଉ ଏହି ପାପିୟସୀର ମୁଁହ କେହି ଦେଖି ପାଇବ ନାହିଁ’’ ସେ କେତେବେଳେ ଅବା କାନ୍ଦୁ ଅଛି, କେତେବେଳେ ଅବା ଅତି ଦୀନଭାବରେ ସମସ୍ତଙ୍କ ପାଦ ଧରି ଦୋଷ ମାଗି ନେଉଅଛି । ତାହାର ମନୋବେଦନା କି ’ଏ ଅବା ବୁଝିବ ?

 

ସନ୍ଧ୍ୟା ଆଗତପ୍ରାୟ ଦେଖି ସମସ୍ତେ ଯେ ଯାହା ଗୃହକୁ ଗଲେ ଜଣେ ବୃଦ୍ଧା ସ୍ତ୍ରୀ ଲୋକ କେବଳ ବିମଳା ନିକଟରେ ରହିଲା । କ୍ରମେ ରାତ୍ର ହେଲା ବୃଦ୍ଧାଟି ରନ୍ଧନକାର୍ଯ୍ୟରେ ପ୍ରବୃତ୍ତ ହେଲେ-। ବିମଳା ପୂର୍ବବତ୍ ପଡ଼ିଅଛି ଓ ଭାବୁଅଛି । ତାହାର ଭାବନାର ଆଦି ନାହିଁ ଅନ୍ତ ନାହିଁ !- ‘‘ହେ ହୃଦୟେଶ୍ୱର ! ତୁମ୍ଭ ମନରେ ଏହା ଥିଲା ? ମୋହର ଦୋଷ ଶୁଣି ପାରି ଗୋପନରେ ମୋହର ପ୍ରାଣନାଶ କଲ ନାହିଁ କି ପାଇଁ ? ଜନସମାଜରେ ମୋହର ଦୋଷ ପ୍ରଚାର କଲ କି ପାଇଁ-? ତୁମ୍ଭର ପବିତ୍ର କୂଳରେ କଳଙ୍କ ଢାଳିଲ କିପାଇଁ ? ହେ ପ୍ରାଣନାଥ, ତୁମ୍ଭ ହସ୍ତରେ ମୃତୁ ହେଲେ ମୁଁ ଅତ୍ୟନ୍ତ ସୁଖୀ ହୋଇ ଥାନ୍ତି, ମୋହର କିଛି ମାତ୍ର କ୍ଷୋଭ ରହନ୍ତା ନାହିଁ । ବିବାହ ଦିନରୁ ମୁଁ ମନପ୍ରାଣ ତୁମ୍ଭଠାରେ ଅର୍ପଣ କରିଥିଲେ ତୁମ୍ଭେ ହିଁ ମୋହର ଏକମାତ୍ର ଆଶ୍ରୟ । ତୁମ୍ଭର ପ୍ରାପ୍ୟ ତୁମ୍ଭଠାରେ ନ୍ୟସ୍ତ ହୋଇଥିଲେ ଭଲ ହୋଇ ଥାନ୍ତା । ହେ ଦେବ, କେଉଁଠି ତୁମ୍ଭେ ? ତୁମ୍ଭେ ସୁଖରେ ଥାଅ ! ମୁଁ ଆଉ ବିରକ୍ତ କରିବି ନାହିଁ ।’’

 

ବୃଦ୍ଧା ରନ୍ଧନକାର୍ଯ୍ୟ ଶେଷ କରି ବିମଳାକୁ ଖାଇବାକୁ ଡାକିଲା । ସେ କ’ଣ ଅବା ଖାଇବ-? ତାହା ପେଟରେ ଆଉ ସ୍ଥାନ ନାହିଁ ବୃଦ୍ଧାଟି ନାନାଦି ଅନୁନୟ ବିନୟ କଲା, ମାତ୍ର ବିମଳା ଖାଇବାକୁ ଅନିଚ୍ଛୁକ । ବୃଦ୍ଧା କହିଲା ‘‘ତେବେ ମୁଁ ମଧ୍ୟ ଉପାସ ଶୋଇବି ଚାଲ ।’’ ବିମଳା ଦେଖିଲା ବିଷମ ବିପଦ, ତାହା ନିମିତ୍ତ ଜଣେ ବୃଦ୍ଧା ମଧ୍ୟ ଉପାସ ପଡ଼ିବ ସେ ମନକୁ ଅନେକ ବୁଝାଇଲା । ସେ ଭାବିଲା ‘‘ଆଜି ଶେଷ ଭୋଜନ କରି ନିଏଁ, ବୃଦ୍ଧାଟିକୁ କାହିଁକି କଷ୍ଟ ଦେବି ।’’ ଅବଶେଷରେ ବିମଳା ଖାଇବାକୁ ସମ୍ମତ ହେଲା ।

 

ଦୁହେଁ ଖାଇବାକୁ ବସିଲେ । ବିମଳା ଗଣ୍ଡାଏ ମାତ୍ର ଖାଇଲା ଆଉ ଖାଇଲା ନାହିଁ । ଭୋଜନାନ୍ତେ ଉଭୟେ ବିଶ୍ରାମ କରିବାକୁ ଗଲେ । ବିମଳା ଗୋଟିଏ ନିଭୃତ କକ୍ଷରେ ଏକାକୀ ଶୟନ କଲା । ରାତ୍ର ଅଧିକ ହେଲାରୁ ବୃଦ୍ଧାଟି ଘୋର ନିଦ୍ରାରେ ଅଭିଭୂତ ହୋଇ ପଡ଼ିଲା ସୁଯୋଗ ବୁଝି ବିମଳା ଶଯ୍ୟାତ୍ୟାଗ କରି ଆପଣାର ଭୀଷଣ କାର୍ଯ୍ୟ ସମ୍ପନ୍ନ କରିବା ନିମିତ୍ତ ବହିର୍ଗତ ହେଲା । ତାହାର ହୃତକମ୍ପ ଲାଗିଲା, ତାହାର ଅଙ୍ଗ ପ୍ରତ୍ୟଙ୍ଗ କମ୍ପିତ ହେବାକୁ ଲାଗିଲା । ‘ବିମଳା ତୁମ୍ଭେ କ’ଣ କରୁଅଛ ?’ ଏହି ଶବ୍ଦ କେବଳ ତାହା କର୍ଣ୍ଣଗୋଚର ହେଲା ।

 

ବିମଳାର ଗୋଟିଏ କଥା ହଠାତ୍ ମନେ ପଡ଼ିଲା ‘‘ଆମ୍ଭର ବିବାହ ଦେବୀ ଇପ୍ସିତ, ତାହାର ଏହି ପରିଣାମ । ହେ ଦେବୀ ! ତୁମ୍ଭେ ଏପରି ବନ୍ଧନ ପୂର୍ବର ଛିନ୍ନ କଲ ନାହିଁ କି ପାଇଁ ? ହେ ଦେବୀ, ମୋହ କପାଳରେ ଏତେ ଲାଞ୍ଛନା ଲେଖିଥିଲ ? ଅଳପ ବୟସରେ ମୋହର ମୃତ୍ୟୁ ଘଟାଇଲ ନାହିଁ କିପାଇଁ ? କିପାଇଁ ମୋହର ପବିନ୍ତ୍ର ଶ୍ୱଶୁର କୂଳରେ ଏପରି ପାପୀୟସୀର ସ୍ଥାନ ଦେଲ ? ତୁମ୍ଭର ପବିତ୍ର ନାମ ମୋହ ନିମିତ୍ତ କଳଙ୍କିତ ହେଲା । ମୋହ କପାଳରେ ଯାହା ଅଛି ତାହା ହେବ । ମୋହର ସ୍ୱାମୀ ଓ ପୂଜନୀୟ ଶଶୁର ଓ ଶାଶୁ ଯେପରି ମୋହ ପାପନିମିତ୍ତ କଷ୍ଟ ନ ପାନ୍ତି, ତାଙ୍କ ପବିନ୍ତ୍ର କୁଳ ଯେପରି କଳଙ୍କିତ ନହୁଏ । ହେ ଦେବୀ, ନିଜ ମହିମାରେ ସାଧାରଣଙ୍କ ମନରୁ ମୋହର ଚରିନ୍ତ୍ର ବିଷୟକ ସନ୍ଦେହ ଦୂର କରି ଦିଅନ୍ତୁ ଏତିକି ମୋହର ପ୍ରାର୍ଥନା । ’

 

‘‘ମୁଁ ନିର୍ଦ୍ଦୋଷୀ ଅସହାୟ । ସ୍ୱାମୀ ବିନା ମୁଁ କିଛି ଜାଣେ ନା, ସ୍ୱାମୀଙ୍କୁ ଏକଦଣ୍ଡ ନ ଦେ୍ଖିଲେ ମୁଁ ରହି ପାରେ ନା । ପରପୁରୁଷର ମୁଁହ ପର୍ଯ୍ୟନ୍ତ ମୁଁ କେବେହେଁ ଦେଖି ନାହିଁ, ଚିରଦିନ ସ୍ୱାମୀଙ୍କୁ ଦେବତା ସ୍ୱରୂପ ଜ୍ଞାନ କରିଅଛି । ସ୍ୱାମୀ ମଧ୍ୟ ମୋତେ ସ୍ନେହସାଗରରେ ଭସାଇଥିଲେ । ଆମ୍ଭେମାନେ ସୁଖରେ ସଂସାର କରୁଥିଲୁ । ବିଧାତାଙ୍କ ଇଚ୍ଛା ବିପରୀତ । କି’ଏ ତାହା ବନ୍ଦ କରିବ-? ତାଙ୍କ ଇଛା ପୂର୍ଣ୍ଣ ହେଉ । ହେ ଦେବୀ, ସ୍ତ୍ରୀଜାତି ମୋହରି ଦୁର୍ଦ୍ଦଶା ଦେଖି ଭବିଷ୍ୟତରେ ଯେପରି ଅଧିକ ସତର୍କତାର ସହିତ କାଯ୍ୟ କରନ୍ତି, ଆଉ ସେମାନଙ୍କର କାହାରି ଯେପରି ଏ ରୂପ ଦୁର୍ଦ୍ଦଶା ନ ଘଟେ, ଏତିକି ମୋହର ପ୍ରାର୍ଥନା । ମୋହର ପ୍ରାଣବାୟୁ ସଙ୍ଗେ ସଙ୍ଗେ ଯେପରି ସମଗ୍ର ସ୍ତ୍ରୀ ଜାତିର ସମୁଦାୟ କଳଙ୍କ ଅନ୍ତର୍ହିତ ହୁଏ, ଏହା ହିଁ ମୋହର ବିନୀତ ଭିକ୍ଷା । ହେ ଦାବି ! ମୋହପ୍ରତି ସୁପ୍ରସନ୍ନ ହୁଅ, ମୋହର ଏହି କାର୍ଯ୍ୟରେ ସହାୟ ହୁଅ ।’’

 

ହଠାତ୍ ବିମଳାର ଦେହ କଣ୍ଟକିତ ହେଲା । ସେ ଅତି ଶୀଘ୍ର ଅଫିମ ମିଶ୍ରିତ ପାତ୍ରଟି ମୁହଁ ନିକଟକୁ ନେଲା ।

 

ବିମଳା ବିଷପାନ କରିବାକୁ ପ୍ରସ୍ତୁତ କିଏ ଅବା ତାକୁ ବନ୍ଦ କରିବ ? ହଠାତ୍ ପଶ୍ଚାଦଦିଗରୁ ଗୋଟିଏ ଶବ୍ଦ ଶୁଣି ବିମଳା ଚମକି ପଡ଼ିଲା । ଘୋର ନିଶୀଥ କାଳରେ ଜଣେ ପୁରୁଷ ତାହା ସମ୍ମୁଖରେ ଦଣ୍ଡାୟମାନ ।

 

ବିମଳା ପୁରୁଷର ଛାୟା ଦେଖିବା ମାତ୍ର ଥରଥର ହୋଇ କମ୍ପିବାକୁ ଲାଗିଲା । ସେ ଭାବିଲା କେହି ଦୁଷ୍ଟଲୋକ ତାହାର ସତୀତ୍ୱ ନଷ୍ଟ କରିବା ଅଭିପ୍ରାୟରେ ଆସିଅଛି ।’’ ସେ ଚିତ୍କାର କରିବା ମାତ୍ରକେ ଲୋକଟି ହାତଦ୍ୱାରା ତାହାର ପାଟି ଚିପି ଧଇଲା । ବିମଳା ସଜ୍ଞାହୀନ ଅବସ୍ଥାରେ ଭୂତଳରେ ପତିତ ହେଲା । ତାହାର ଚିତ୍କାରଧ୍ୱନିରେ ଗୃହସ୍ଥିତ ବୃଦ୍ଧାଟିର ନିଦ୍ରାଭଙ୍ଗ ହେଲା । ବୃଦ୍ଧାଟି ବିମଳାର ଏପରି ଅବସ୍ଥା ଦେଖି ତାହା ମୁଖରେ ଜଳ ଦେଇ ତାକୁ ସୁସ୍ଥ କଲେ । ବିମଳାର ଚେତନା ହେଲା ମାତ୍ରକେ ସେ ଯାହା ଦେଖିଲା ତହିଁରେ ତାହାର ବିଶ୍ୱାସ ହେଲା ନାହିଁ । କି’ଏ ? –ପ୍ରାଣନାଥ-! ନା, କେବେହେଁ ହୋଇ ନପାରେ । ମୋହର ଭ୍ରମ ହେଉଅଛି ।’’ ବିମଳା ଉକ୍ତ କଥାଗୁଡ଼ିକ ଅସ୍ପଷ୍ଟ ସ୍ୱରରେ ଉଚ୍ଚାରଣ କଲା ।

 

ଦେବ ନିରୁତ୍ତର, ତାହା ମୁଁହରେ କଥା ନାହିଁ । ସେ ବିମଳାର ଅବସ୍ଥା ଦେଖି ମର୍ମ୍ମାହତ । ସେ ଯେ ନିଜେ ବିମଳାର ଦୂରାବସ୍ଥାର ଏକ ମାତ୍ର କାରଣ ଏହା ହୃଦୟଙ୍ଗମ କରି ସେ ନିଶ୍ଚଳ । ଏହି ପାପର ଫଳ ଯେ ତାହାକୁ ହିଁ ଭୋଗ କରିବାକୁ ହେବ ଏହା ଭାବି ସେ ଅସ୍ଥିର କିଛିକ୍ଷଣ ପର ଧୈର୍ଯ୍ୟଧରି ସେ ମୃଦୁସ୍ୱରରେ କହିଲା । ‘‘ବିମଳା ଦେଖ ମୁଁ ତୁମ୍ଭର ସେହି ଦେବ, ମୋତେ କ୍ଷମାକର-। ମୁଁ ବିନାଦୋଷରେ ତୁମ୍ଭଙ୍କୁ ଯେ ଅଶେଷ କଷ୍ଟ ଦେଇଅଛି ତାହାର ପ୍ରାୟଶ୍ଚିତ ନାହିଁ । ତୁମ୍ଭେ ସତୀ ମୋତେ କ୍ଷମାକର । ତୁମ୍ଭଙ୍କୁ ମୁଖ ଦେଖାଇବାକୁ ମୋହର ଲଜ୍ଜା ବୋଧ ହେଉଅଛି । ପ୍ରିୟେ ! ତୁମ୍ଭ କି କାର୍ଯ୍ୟ କରୁଥିଲ ?’’

 

ବିମଳା ଏତେବେଳେ ଆପଣା ଚକ୍ଷୁକୁ ବିଶ୍ୱାସ କରି ପାରିଲା । ଦେବ ଯେ ସମ୍ମୁଖରେ ବିଦ୍ୟମାନ ଏହା ତାହାର ବିଶ୍ୱାସ ହେଲା । ସେ ପୂର୍ବ ଲାଞ୍ଛନା ସମୁଦାୟ ତତ୍‍କ୍ଷଣାତ୍‍ ଭୁଲିଯାଇ ଅଶ୍ରୁପୂର୍ଣ୍ଣଲୋଚନରେ ଦେବର ପଦତଳରେ ପତିତ ହୋଇ ଦୋଷ ଭିକ୍ଷାକଲା । ପତିବ୍ରତା ସ୍ତ୍ରୀର ଲକ୍ଷଣ ହିଁ ଏହା ଉଭୟ ଉଭୟଙ୍କୁ ପାଇ ଅଶ୍ରୁ ବିସର୍ଜନ କରିବାକୁ ଲାଗିଲେ । ଉଭୟଙ୍କର ମନଃକ୍ଷୋଭ କ୍ଷଣକମଧ୍ୟରେ ସମୁଦାୟ ମେଣ୍ଟିଗଲା । ଦୁଷ୍ଟ ପ୍ରତିବେଶୀମାନଙ୍କର ଷଡ଼ଯନ୍ତ୍ରହିଁ ଯେ ଏହି ଦୁର୍ଘଟନାର ମୂଳକାରଣ ଏହା ସ୍ପଷ୍ଟ ପ୍ରକାଶ ପାଇଲା । ବିମଳା କହିଲା ‘‘ପୂଜନୀୟ ଶ୍ୱଶୁର ଓ ଶଶ୍ରୁ ଠାକୁରାଣୀ ଗୃହରେ ଥିଲେ ମୋହର ଏପରି ଦୁର୍ଦ୍ଦଶା କଦାପି ଘଟି ନଥାନ୍ତା ।’’ ଦେବ ମଧ୍ୟ ଷଡ଼ଯନ୍ତ୍ରକାରୀମାନଙ୍କର ମନ୍ତ୍ରଣା ବୁଝିନପାରିବା ହେତୁ ଆପଣା ବୁଦ୍ଧି ବିଦ୍ୟାର ଅସାର୍ଥକତା ସ୍ୱୀକାର କରି ଅନେକ ଆକ୍ଷେପ କଲା । ଦୁହେଁ ଦୁହିଁଙ୍କର ଅତୀତ ଦୁଃଖ କାହାଣୀ ବିବୃତ କରୁକରୁ ରାତ୍ର ଶେଷହେଲା । ସ୍ୱାମୀ ସ୍ତ୍ରୀଙ୍କର କଥୋପକଥନର ଆଜି ଅନ୍ତ ନାହିଁ । ଉଭୟହିଁ ଆତ୍ମହରା ।

 

ପ୍ରଭାତ ହେଲା ମାତ୍ରକେ ଉକ୍ତ ଶୁଭସମ୍ମିଳନ ସମ୍ବାଦ ସମସ୍ତଙ୍କ କର୍ଣ୍ଣଗୋଚର ହେଲା । ହିତାକାଂକ୍ଷୀ ପ୍ରତିବେଶୀମାନେ ଆନନ୍ଦରେ ନୃତ୍ୟ କରିବାକୁ ଲାଗିଲେ । ଷଡ଼ଯନ୍ତ୍ରକାରୀମାନେ ଲଜ୍ଜାରେ ଦେଶତ୍ୟାଗୀ ହୋଇ ଚାଲିଯିବାକୁ ବାଧ୍ୟ ହେଲେ ।

 

ଦେବ ଓ ବିମଳାର ସାଂସାରିକ ପରୀକ୍ଷା ଶେଷ ହୋଇଗଲା । ଉକ୍ତ ପରୀକ୍ଷାରୁ ଉତ୍ତୀର୍ଣ୍ଣ ହୋଇ ଉଭୟ ଅଧିକତର ସ୍ନେହ ବନ୍ଧନରେ ଆବଦ୍ଧ ହେଲେ ଓ ଭବିଷ୍ୟତରେ ପ୍ରେମବନ୍ଧନକୁ ଅକ୍ଷୁଣ୍ଣ ରଖିବାକୁ ପ୍ରତିଶ୍ରୁତି ହେଲେ । ଭଗବାନଙ୍କ ଦୟାରୁ ଯଥାସମୟରେ ବିମଳାଗର୍ଭରୁ ଚିତ୍ତାକର୍ଷକ ପୁତ୍ତ୍ର କନ୍ୟାମାନେ ଜନ୍ମଗ୍ରହଣ କରି ଦୁହିଁଙ୍କ ଚିରଦିନ ନିମିତ୍ତ ସଂସାର ବନ୍ଧନରେ ଦୃଢ଼ରୂପେ ଆବଦ୍ଧ କଲେ । ସ୍ୱାମୀ ଓ ସ୍ତ୍ରୀ ପୁତ୍ତ୍ର କନ୍ୟା ସହିତ ପରମ ସୁଖରେ ଆଦର୍ଶ ଗୃହସ୍ଥର ଜୀବନଯାପନ କରିବାକୁ ଲାଗିଲେ । ସେ ଦୁହିଁଙ୍କର ଏ କାହାଣୀ ସର୍ବ ସାଧାରଣଙ୍କର ଶିକ୍ଷାପ୍ରଦ ହେଲା । ଧନ୍ୟ ଭଗବାନ ! ଧନ୍ୟ ତୁମ୍ଭର ଲୀଳା !

Image